Odisha news

ଆସନ୍ନ ନିର୍ବାଚନକୁ ଲକ୍ଷ୍ୟ ରଖି ଆଶାୟୀ ପ୍ରାର୍ଥୀମାନେ ଗ୍ରାମାଭିମୂଖୀ

0
ବେତନଟୀ : ଦେଶରେ ସାଧାରଣ ନିର୍ବାଚନ ପାଇଁ ଠିକ୍ ଆଉ ଏକ ବର୍ଷର ଅବଧି ଥିବା ବେଳେ ପ୍ରାୟତଃ ଛଅ ମାସ ପୂର୍ବରୁ ନିର୍ବାଚନ ହୋଇ ଯିବାର ସମ୍ଭାବନା ଆଶା କରାଯାଉଛି। ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ହେବା ପରେ ୨୦୨୩-୨୪ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟେ ନିଜ ନିଜର ସ୍ଥିତି ରକ୍ଷା ପାଇଁ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରି ଲୋକଙ୍କ ନିକଟତର ହେବାକୁ ଲାଗି ପଡିଛନ୍ତି। ସେପଟେ ନିଜ ନିଜର ଅନ୍ତର୍ନିହିତ ଶକ୍ତି ଦ୍ଵାରା ଆଗାମୀ ନିର୍ବାଚନରେ ପ୍ରାର୍ଥୀମାନଙ୍କ କୁଣ୍ଡଳୀ ଚକ୍ର ଦେଖା ଚାଲିଛି। ଗାଁ ରୁ ସହର ପର୍ଯ୍ୟନ୍ତ ଦଳୀୟ ଗୁପ୍ତଚର ମାନେ ଘର ଘର ବୁଲି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପ୍ରତି କେତେ ମାତ୍ରାରେ ଆଶାବାଦୀ ବା ନିରାଶାର ଛାୟା କବଳିତ କରିଛି ତାହାର ତଥ୍ୟ ସଂଗ୍ରହ କରିବା ସହିତ ନିଜ ଅଞ୍ଚଳ ପାଇଁ କେଉଁମାନେ ଆଶାୟୀ ବିଧାୟକ ବା ସାଂସଦ ପ୍ରାର୍ଥୀ ଅଛନ୍ତି ସେମାନଙ୍କର ସଠିକ୍ ତଥ୍ୟ ସଂଗ୍ରହ କରାଯାଉ ଥିବାର ନଜରକୁ ଆସିଛି।ଏହି ଖବର ଏବେ ଆଶାୟୀଙ୍କୁ ଘାରିଛି, ସେଥି ପାଇଁ ଡଜନ୍‌ ଡଜନ୍ ଆଶାୟୀ ପ୍ରାର୍ଥୀ ଗାଁଆ ମାନଙ୍କରେ ଥିବା କ୍ଲବ୍ ପିଲାଙ୍କ ସହ ମିଶି  ଖେଳକୁଦରେ ଅତିଥି ହେବା, ପର୍ବପର୍ବାଣୀରେ ଯୋଗଦେବା, ଘର ପୋଡି ବା ଅକାଳ ମୃତ୍ୟୁରେ ପରିବାରଙ୍କୁ ସାହାଯ୍ୟ ଦେବା ଭଳି ଘଟଣା ଦୈନଦିନ ଶୁଣିବାକୁ ମିଳୁଛି। ବଡସାହି ବିଧାନ କ୍ଷେତ୍ର କଥା ବିଚାରକୁ ନିଆଗଲେ ଏକଦା ଏହି ନିର୍ବାଚନ ମଣ୍ଡଳୀ ବା ଅବିଭକ୍ତ ବୈଶିଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଦୁର୍ଗ ଭାବେ ପରିଚିତ ଥିଲା। ୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ୫ଟି ସାଧାରଣ ନିର୍ବାଚନରେ ତିନି ଥର ଭାରତୀୟ ଜନତା ପାର୍ଟି ଓ ଦୁଇଥର ବିଜୁ ଜନତା ଦଳ କ୍ଷମତା ହାସଲ କରିପାରିଛି।
କଂଗ୍ରେସ ଦଳ ଦୁଇ ଦୁଇ ଥର ଝାଡଖଣ୍ଡ ଓ ସିପିଏମ୍ ସହିତ ସମଝୋତା କରି ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଛାଡି ଦେବା ଯୋଗୁଁ ଆଜି ଦଳୀୟ ସ୍ଥିତି ନିମ୍ନଗାମୀ ହେବାରେ ଲାଗିଛି। ତଥାପି ଆଗାମୀ ନିର୍ବାଚନ ତ୍ରୀମୂଖୀ ପ୍ରତିଦ୍ଵନ୍ଦିତା ହେବାର ଆଶା କରାଯାଉଛି। ବର୍ତ୍ତମାନ ଶାସକ ଦଳ ପାଇଁ କାଳ ସାଜିଛି ଆଶାୟୀଙ୍କ ଲମ୍ବା ତାଲିକା । ପ୍ରାକ୍ତନ ବିଧାୟକ ଗଣେଶ୍ଵର ପାତ୍ରଙ୍କ ସମେତ ଲଲାଟେନ୍ଦୁ, ଜଗନ୍ନାଥ,  ମାନସ, ଯାମିନୀ ,ଦୀପକ, ବୄନ୍ଦାବନ, ଅଭିନ୍ନ ,ଅର୍ଜୁନ, କରମଚାନ୍ଦ , ଶ୍ରୀଧର, ଗୌତମ, ସଂଯୁକ୍ତା, ସସ୍ମିତାଙ୍କ ବ୍ୟତୀତ ଏମିତି ଅନେକ ଆଶାୟୀ ପ୍ରତି ଗ୍ରାମରେ ଘୁରିବୁଲୁଥିବାର ଦେଖିବାକୁ ମିଳିଛି । ସମସ୍ତେ ଦଳ ମୂଖିଆଙ୍କ ନିକଟତର ହେବାପାଇଁ ଜଣେ ଜଣେ ଦଳର ଆଗ ଧାଡିର ତୁଙ୍ଗନେତାଙ୍କ ସହିତ ଭୂବନେଶ୍ଵରରେ ଚକ୍କର କାଟୁଥିବାର ଶୁଣିବାକୁ ମିଳୁଛି।ସେହିପରି ବିଜେପି ପାଇଁ ପ୍ରାର୍ଥୀ ଖୋଜା ଚାଲିଛି। ବର୍ତ୍ତମାନର ବିଧାୟକ ସନାତନ ବିଜୁଳି ଙ୍କ ପ୍ରତି  ନିଜର କିଛି ଦଳୀୟ କର୍ମୀଙ୍କ ବିରୋଧ ପାଇଁ ଆଗାମୀ ନିର୍ବାଚନରେ ଟିକେଟ ପାଇବାକୁ ନେଇ ସନ୍ଦିହାନ ହୋଇପଡିଛି। ଦୁଇ ଜଣ ଆଶାୟୀ ଗୁପ୍ତରେ ସଙ୍ଗଠନ କାର୍ଯ୍ୟରେ ଲିପ୍ତ ଥିବା କିଛି କର୍ମୀଙ୍କ ପାଖରୁ ସୁଚନା ମିଳିଛି। ମାତ୍ର ଯଦି ମହିଳା ପ୍ରାର୍ଥୀଙ୍କୁ ଚୟନ କରାଯାଏ ତେବେ ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୩୬ ନଂଜିଲ୍ଳା ପରିଷଦ ସଦସ୍ୟା ଭାବେ ନିର୍ବାଚନ ଲଢି ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ଅନୁପମା ଦଣ୍ଡପାଟଙ୍କ ନାମ ବିଚାରକୁ ନିଆଯାଇ ପାରେ । ସେହିପରି କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀ ଭାବେ କ୍ଷୀରୋଦ ପାତ୍ର ଏବଂ ସ୍ଵାଧୀନ ଭାବେ ସଞ୍ଜୟ କୁମାର ସେଠୀ ଟିକେଟ ଦୌଡରେ ରହି ଗ୍ରାମେ ଗ୍ରାମେ ସଙ୍ଗଠନ ସଜାଡିବାରେ ଲାଗିପଡିଛନ୍ତି।ଏହା ବ୍ୟତୀତ ବହୁତ ଆଶାୟୀ ପ୍ରାର୍ଥୀ ସାଧାରଣ ଲୋକଙ୍କ ନିକଟତର ହେବାରେ ଲାଗିପଡ଼ିଛନ୍ତି।
Nalco
Leave A Reply