ବେତନଟୀ : ପରମ ପ୍ରେମମୟ ,ସାଂସାରିକ ଜୀବନର ମାର୍ଗଦର୍ଶକ ତଥା କଳିଯୁଗର ତ୍ରାଣକର୍ତ୍ତା ଯୁଗମାନବ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ପ୍ରତିଷ୍ଠା କଳ୍ପେ ୧୬ତମ ଉସ୍କୃଜୀ ମହା ମହୋତ୍ସବ ବୈଶିଙ୍ଗା ନିକଟସ୍ଥ ମହୁରୀ ଉଡା ପଡିଆରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଠାକୁରଙ୍କ ଚରଣାଶ୍ରୀତ ଶହ ଶହ ଭକ୍ତ ବୄନ୍ଦ ସମାଗମ ସହଯୋଗରେ ବ୍ରହ୍ମମୁହୁର୍ତ୍ତରେ ନହବତ, ଉଷା କୀର୍ତ୍ତନ, ବିନତୀ ପ୍ରାର୍ଥନା ସହିତ ସତଗ୍ରନ୍ଥ ପଠନ ପରେ ୭ ଘଟିକା ସମୟରେ ଠାକୁରଙ୍କ ପ୍ରତିମୂର୍ତ୍ତୀ ଙ୍କୁ ବିମାନରେ ନେଇ ନଗର କୀର୍ତ୍ତନ କରାଯାଇଥିଲା। ୯ ଘଟିକା ସମୟରେ ଋତ୍ୱିକ୍ ଙ୍କ ଅଧ୍ୟକ୍ଷତାରେ ଆର୍ଯ୍ୟ କୃଷ୍ଟି ପତାକା ଉତ୍ତୋଳନ କରା ଯାଇଥିଲା।ଏହା ପରେ ବୋଧ ବିକ୍ଷଣୀ ସଭା ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଜ୍ଞାନୀ, ଗୁଣୀ, ଧର୍ମ ଯାଜକ ବୃନ୍ଦ ଶ୍ରୀଶ୍ରୀ ଠାକୁରଙ୍କ ବାଣୀ “ସମଗ୍ର ମାନବ ଜାତିର ଉଦ୍ଧାର ମାନସେ ,ଯୁଗ ଗୁରୁଙ୍କ ବାସ୍ତବ ଧର୍ମାଚରଣ ର ଧାରା ” କୁ ନେଇ ବାସ୍ତବ ଜୀବନରେ ସଦ୍ ଗୁରୁଙ୍କର ଆବଶ୍ୟକତା ଉପରେ ଭକ୍ତଙ୍କୁ ଉପଦେଶ ଦେଇଥିଲେ। ଆନନ୍ଦ ବଜାରରେ ମଧ୍ୟାହ୍ନ ଭୋଜନ ବିରତି ପରେ ୩ଘଟିକା ସମୟରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। “ଆଦର୍ଶ ସମାଜ ଗଠନରେ ନାରୀର ଭୂମିକା “ଶୀର୍ଷକ ବିଷୟବସ୍ତୁ ଉପରେ ମହିଳା ଭକ୍ତମାନେ ନିଜନିଜର ଅନୁଭୂତିକୁ ନେଇ ବକ୍ତବ୍ୟ ରଖିଥିଲେ । ସୁ ସନ୍ତାନ ପ୍ରାପ୍ତି ପାଇଁ ଉତ୍ତମ ପରିବେଶ, ସାତ୍ଵିକ ଆହାର, ତଥା ଭଗବତ୍ ଜ୍ଞାନର ଆବଶ୍ୟକତା ଉପରେ ପର୍ଯ୍ୟବେଷିତ ହୋଇଥିଲା। ସନ୍ଧ୍ୟା ଘ.୫.୫୭ମି.ରେ ସନ୍ଧ୍ୟାବିନତୀ ପରେ ଦେଓଘର ମୂଖ୍ୟ ଆଶ୍ରମର ଶ୍ରୀଶ୍ରୀ ଠାକୁରଙ୍କ ପ୍ରପୌତ୍ର ପୂଜ୍ୟପାଦ ବୋଧାୟନ ଚକ୍ରବର୍ତ୍ତୀଙ୍କ ପୌରହିତ୍ୟରେ ମହାଧିବେଶନ ଆରମ୍ଭ ହୋଇଥିଲା।ଏଥିରେ ବିଷୟ ବସ୍ତୁ ଥିଲା “ତୁମେ ଲତାର ସ୍ଵଭାବ ଅବଲମ୍ବନ କର, ଆଦର୍ଶ ରୂପକ ବୃକ୍ଷକୁ ଜଡାଇ ଧର, ସିଦ୍ଧ କାମ ହେବି ହିଁ ହେବ “lବହୁ ଋତ୍ୱିକ୍ ଗଣ ଶ୍ରୀଶ୍ରୀ ଠାକୁରଙ୍କ ଅମୃତ ବାଣୀ, ନୀତି, ଆଦର୍ଶ ଓ ଅନୁଶୀଳନର ତତ୍ତ୍ୱ ଉପରେ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ।
