ବେତନଟୀ ବ୍ଲକ ପରିସର ଓ ଗୋବିନ୍ଦପୁର ଗ୍ରାମକୁ ବିଶୋଧନ : ଗୋଷ୍ଠୀ ସଂକ୍ରମଣ ରୋକିବାକୁ ୧୫ ଘଣ୍ଟା ସଟଡାଉନ ଘୋଷଣା କଲେ ଯୁଗଳ ସରପଞ୍ଚ
ବେତନଟୀ : ବେତନଟୀ ବ୍ଲକ ବିଡିଓଙ୍କ ଡ୍ରାଇଭର କରୋନା ପଜିଟିଭ ବାହାରିବା ଖବର ପ୍ରକାଶ ପାଇଛି । ଏହା ପରେ ପ୍ରଶାସନ ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଥିବା ସମସ୍ତ ବ୍ୟକ୍ତିଙ୍କୁ ଠାବ କରିବାରେ ଲାଗିଛି । ଆଜି ବେତନଟୀ ବିଡିଓ ସ୍ମୃତିରଞ୍ଜନ ମଲ୍ଲିକଙ୍କ ନିଦେ୍ର୍ଦଶକ୍ରମେ ଦମକଳ ବାହିନୀ ଉକ୍ତ ଡ୍ରାଇଭରଙ୍କ ଗ୍ରାମ ଗୋବିନ୍ଦପୁରରେ ପହଞ୍ଚି ବିଶୋଧନ କାର୍ଯ୍ୟକ୍ରମ କରି ଥିଲେ । ଏହାଛଡା ବ୍ଲକ ପରିସରକୁ ମଧ୍ୟ ବିଶୋଧନ କରା ଯାଇଛି । ସେପଟେ ଗୋଷ୍ଠୀ ସଂକ୍ରମଣ ରୋକିବାକୁ ଯୁଗଳର ମହିଳା ସରପଞ୍ଚ କବିତା ସିଂ ଅନନ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତାକାଲି ସକାଳ ୬ଟାରୁ ନେଇ ରାତ୍ରୀ ୯ଟା ପର୍ଯ୍ୟନ୍ତ ସରପଞ୍ଚ ଯୁଗଳ ପଞ୍ଚାୟତର ସମସ୍ତ ଗ୍ରାମକୁ ସାଟଡାଉନ ଘୋଷଣା କରିଛନ୍ତି । ରାତ୍ରୀ ୯ଟା ପରେ ସାଧାରଣ ଲକ ଡାଉନ ବ୍ୟବସ୍ଥାରେ ନାଇଟ କର୍ଫ୍ୟୁ ରହିବ । ଏହା ପରେ ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ ଥିବାରୁ କରୋନା ସଂକ୍ରମଣ ଚେନକୁ ରୋକା ଯାଇ ପାରିବ ବୋଲି ଜଣା ପଡିଛି । ସରପଞ୍ଚ କବିତା ଏହି ସାଟଡ଼ାଉନ ପାଇଁ ବେତନଟୀ ବିଡିଓ, ବେତନଟୀ ତହସିଲଦାର ଓ ବୈଶିଙ୍ଗା ଥାନା ଆଇଆଇସିଙ୍କୁ ପତ୍ର ଜରିଆରେ ଅବଗତ କରାଇ ଥିବାର ସୂଚନା ମିଳିଛି ।