ବେତନଟୀ : ଭୟଙ୍କର ହେଉଛି କରୋନା ସଂକ୍ରମଣ । ସଂକ୍ରମଣ ରୋକିବାକୁ ମୟୂରଭଞ୍ଜ ଜିଲ୍ଲାର ସବୁ ସାପ୍ତାହିକୀ ହାଟ ଗୁଡିକୁ ଜିଲ୍ଲା ପ୍ରଶାସନ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିଦେ୍ର୍ଦଶ ଦେଇଛନ୍ତି । ଏହି ପ୍ରତିବନ୍ଧକ ଆଗାମୀ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣା ପଡିଛି । ଯେହେତୁ ହାଟ ଗୁଡିକରେ ଜନ ସମାଗମ ହୋଇ ଥାଏ ଓ ଏହା ଦ୍ୱାରା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି, ଏହି ତଥ୍ୟ ଭିତ୍ତିରେ ଏପରି ପଦକ୍ଷେପ ନିଆ ଯାଇଛି । ମୟୂରଭଞ୍ଜ ଜିଲ୍ଲାରେ ସାପ୍ତାହିକୀ ହାଟ ଗୁଡିକ କେବଳ ପନିପରିବା, ମନୋହରି, ଲୁଗାପଟା, ଭୁଷିମାଲ କିଣା ବିକାର ବଜାର ନୁହେଁ । ଏହି ହାଟ ଗୁଡିକରେ ଆଦିବାସୀ ଓ ଗ୍ରାମୀଣ ଲୋକ ମାନଙ୍କର ପଣ୍ୟ ମଧ୍ୟ ବିକ୍ରି ହୋଇ ଥାଏ । ସେ ମଧ୍ୟରେ ଶାଳପତ୍ର, ଖଲି, ଦୋନା, ସବାଇ ଘାସ, ଦଉଡି ବିକି୍ର ହୋଇ ଥାଏ ।
ଯାହାକି ଏହି ଜିଲ୍ଲାର ଲୋକ ମାନଙ୍କର ଅବସର କାଳୀନ ବୃତ୍ତି ବୋଲି କେଉଁ ଆବହମାନ କାଳରୁ ଖ୍ୟାତି ଲାଭ କରି ଆସିଛି । ଶାଳପତ୍ର ତୋଳିବା, ତାକୁ ଟିପିବା ଓ ହାଟକୁ ନେଇ ବିକ୍ରି କରିବା, ସବାଇକୁ ବୋଳିବା, ପାଗ ଦେବା, ରଞ୍ଜିବା, ବିଡା ବାନ୍ଧି ହାଟକୁ ନେଇ ବିକ୍ରି କରିବାରେ ପରିବାରର ମହିଳା ମାନଙ୍କର ଅଧିକ ଭାଗିଦାରୀ ରହି ଥାଏ । ଘରର ପୁରୁଷ ମାନେ ଯେଉଁ ବୃତ୍ତିରେ ବି ଥାଆନ୍ତୁ ନାକାହିଁକି ଗ୍ରାମୀଣ ମହିଳା ମାନେ ପ୍ରାୟ ସବାଇ ରଶି, ଶାଳପତ୍ର କିଣାବିକାରେ ମିଳୁଥିବା ଅର୍ଥର ହିସାବ ରଖନ୍ତି ଓ ଏହି ଅର୍ଥକୁ ଘରର ପରିଚାଳନାରେ ବ୍ୟବହାର କରି ଥାଆନ୍ତି । ସବାଇ ଓ ଶାଳପତ୍ର ସହିତ ମୟୂରଭଞ୍ଜ ଜିଲ୍ଳାର ଆଦିବାସୀ, ଗ୍ରାମୀଣ, ଗରୀବ, ଖଟିଖିଆ, ନିମ୍ନ ମଧ୍ୟବିତ୍ତ ପରିବାରର ଅନ୍ୟୁନ ୧୦ ଲକ୍ଷ ଲୋକ ସଂପୃକ୍ତ ଅଛନ୍ତି ଯେଉଁ ମାନଙ୍କ ସାମଗ୍ରୀ ଗୁଡିକ ଏବେ ଅବିକ୍ରି ରହିବ ।
ଏହାର ଫାଇଦା ଦେଇ ମୁନାଫାଖୋର ବ୍ୟବସାୟୀ ମାନେ ଗ୍ରାମକୁ ଗ୍ରାମ ବୁଲି ଏସବୁକୁ ପ୍ରକୃତ ଦରରୁ ଏକ ତୃତୀୟାଂଶ ଦର ଦେଇ ହାତେଇବା ପାଇଁ ପ୍ରୟାସ କରିବେ ଯାହା ଦ୍ୱାରା ପରିବାର ଗୁଡିକ କ୍ଷତି ସହିବେ । ଅନ୍ୟ ପକ୍ଷରେ ଯଦି ଅନୁଧ୍ୟାନ କରା ଯାଏ ତେବେ ସାପ୍ତାହିକ ହାଟ ଗୁଡିକରେ ବାଡି ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଘଣାରେ ପେଶା ଶୋରିଷ ତେଲ, ଖସା, ବିରି, କୋଳଥ, ମହୁ, ଝୁଣା, ପତ୍ର ଟିପିବା ପାଇଁ ଖଡିକା, କୃଷି ଉତ୍ପାଦନ, ମଶିଣା, ପଟିଆ, ଝାଡୁ, ରଶି, ତୁଣ୍ଡା ଓ ଅନ୍ୟାନ ଦ୍ରବ୍ୟ ମିଳେ ଯାହାକି ଗ୍ରାମୀଣ ଲୋକ ମାନଙ୍କର ଉତ୍ପାଦନ ବା ହାତ ତିଆରି ସାମଗ୍ରୀ । ଏପରିକି କଦଳୀପତ୍ରରେ ତିଆରି ସ୍ୱାସ୍ଥ୍ୟକର ଦୋନା ଇତ୍ୟାଦି ମଧ୍ୟ ହାଟରୁ ମିଳି ଥାଏ । ଔଷଧୀୟ ଗୁଣ ବହନ କରୁ ଥିବା ଜଳଘଟି, ଗେଣ୍ଡା, ଶୁଖୁଆ, ବାଉଁଶ କାରିଗରଙ୍କ ଚେଞ୍ଚେଡା, କଠା, ପାଛିଆ, କୁଲା ଓ ଅନ୍ୟାନ ଘରକରଣା ସାମଗ୍ରୀ ମଧ୍ୟ ହାଟରେ ବିକ୍ରି ହୋଇ ଥାଏ । ହାଟ ଗୁଡିକ ବନ୍ଦ ହେବା ଦ୍ୱାରା ଏସବୁ ସାମଗ୍ରୀ ଉତ୍ପାଦନ କରୁ ଥିବା ଉତ୍ପାଦକ, କିଣୁ ଥିବା ହିତାଧିକାରୀ ଉଭୟ ପ୍ରଭାବିତ ହୋଇଛନ୍ତି ।
ହାଟ ବନ୍ଦ ହେତୁ ମହିଳା ମାନଙ୍କର ଏହି ବୃତ୍ତି ହରଣ ହେବା ହେତୁ ମୟୂରଭଞ୍ଜର ଗାଁଗାଁରେ ଉଦାସୀର ଛାୟା ଦେଖିବାକୁ ମିଳୁଛି । ଅନ୍ୟ ପକ୍ଷରେ ତର୍ଜମା କଲେ ଜଣା ପଡେ ଯେ ଓଡିଶାର ସର୍ବ ବୃହତ୍ତ ମୟୂରଭଞ୍ଜ ଜିଲ୍ଲାଟି ଆଦିବାସୀ ଓ ମହିଳା ବହୁଳ ଜିଲ୍ଲା ଭାବେ ଖ୍ୟାତି ଲାଭ କରିଛି । ୨୦୧୧ ମସିହା ଜନ ଗଣନା ମୁତାବକ ଜିଲ୍ଲାରେ ଥିବା ୨୬ଟି ବ୍ଲକର ୪୦୪ଟି ପଞ୍ଚାୟତର ୩୯୬୬ ଗ୍ରାମ, ୨ଟି ମ୍ୟୁନିସିପାଲଟି, ୨ଟି ଏନଏନସିରେ ବସବାସ କରୁ ଥିବା ମୋଟ ଜନ ସଂଖ୍ୟା ୨୫ ଲକ୍ଷ ୧୯ ହଜାର ବୋଲି ଜଣା ପଡିଛି । ଏହି ଜନସଂଖ୍ୟାରୁ କେବଳ ଆଦିବାସୀ ଜନ ସଂଖ୍ୟା୧୪ ଲକ୍ଷ ୭୯ ହଜାର ୫୭୬ ହୋଇ ଥିବାରୁ ଏହା ଆଦିବାସୀ ବହୁଳ ଜିଲ୍ଲା ବୋଲି କୁହା ଯାଇଛି । ସେହି ପରି ପୁରୁଷ ଓ ମହିଳାଙ୍କ ସଂଖ୍ୟାକୁ ତୁଳନା କଲେ ଏହି ଜିଲ୍ଲାର ଲୋକ ସଂଖ୍ୟା ମଧ୍ୟରୁ ୧୨ ଲକ୍ଷ ୫୬ ହଜାର ୨୧୩ ପୁରୁଷ ହୋଇ ଥିବା ବେଳେ ୧୨ ଲକ୍ଷ ୬୩ ହଜାର ୫୨୫ ଜଣ ମହିଳା ଅଛନ୍ତି । ତେଣୁ ଗ୍ରାମୀଣ ପରିବାର ପରିଚାଳନାରେ ମହିଳାଙ୍କ ଭାଗିଦାରୀ ମଧ୍ୟ ଅଧିକ ରହିଛି । ହାଟ ଦ୍ୱାରା ପ୍ରଭାବିତ ପରିବାର ଗୁଡିକୁ ଯଦି ଆକଳନ କରା ଯାଏ ତେବେ ମହିଳା ମାନେ ଅଧିକ ମାତ୍ରାରେ ପ୍ରଭାବିତ ହୋଇ ଥିବାର ଜଣା ପଡିଛି ।