ଇକୋ କ୍ଲବର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚାନ୍ଦିପୁର ବେଳାଭୂମିରେ ପ୍ରକୃତି ଶିବିର ଅନୁଷ୍ଠିତ , ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ସହ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ବେତନଟୀ : ବେତନଟୀ ବ୍ଲକ ଅନ୍ତର୍ଗତ ରାଇକମା ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଜିତ କୁମାର ଜେନା ଜେନାଙ୍କ ମାର୍ଗଦର୍ଶନ ଓ ପୌରହିତ୍ୟରେ ଇକୋ କ୍ଳବ୍ ର ଛାତ୍ର ଛାତ୍ରୀ ଙ୍କୁ ନେଇ ଏକଦିବସୀୟ ପ୍ରକୃତି ଶିବିର ଚାନ୍ଦିପୁର ବେଳାଭୂମିଠାରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ମୋଟ ୮୫ଜଣ ଛାତ୍ର ଛାତ୍ରୀ ଏହି ଶିବିରରେ ଅଂଶ ଗ୍ରହଣ କରି ପ୍ରକୃତି ସମ୍ବନ୍ଧୀୟ ଅନେକ ଉପାଦେୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଯେପରିକି ବିଭିନ୍ନ ବୃକ୍ଷକୁ ଚିହ୍ନି ତାର ଉପାଦେୟତା ଅନୁଧ୍ୟାନ, ଅଦରକାରୀ କାଗଜର ସଦୁପଯୋଗ କରି ନିତ୍ଯ ବ୍ୟବହାର୍ଯ୍ୟ ତଥା ଘରୋଇ ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତି, ତାଳ ଓ ଖଜୁରୀ ପତ୍ର ବ୍ୟବହାର କରି ବିଭିନ୍ନ ଆକର୍ଷଣୀୟ ଆସନ , ବିଞ୍ଚଣା,ଗୃହ ସଜ୍ଜୀକରଣ ସାମଗ୍ରୀ ପ୍ରସ୍ତୁତି, ଅଦରକାରୀ ପ୍ଲାଷ୍ଟିକ ଦ୍ରବ୍ୟର ସଦ୍ ବ୍ୟବହାର କରି ବିଭିନ୍ନ ଉପାଦେୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି, ପେନ୍ ଷ୍ଟାଣ୍ଡ, ଫୁଲଦାନୀ, ଫୁଲକୁଣ୍ଡ, ପ୍ରତିମୂର୍ତ୍ତି, ଖେଳଣା, ଫଟୋ ଫ୍ରେମ୍ ଆଦି ବହୁବିଧ ଉପକରଣ ପ୍ରସ୍ତୁତିରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏତଦବ୍ୟତୀତ ସମୁଦ୍ର ବେଳାଭୂମିରୁ ଶାମୁକା ସଂଗ୍ରହ କରି ବିଭିନ୍ନ ପ୍ରକାରର ଚିତ୍ତାକର୍ଷକ ଘରୋଇ ସାଜସଜ୍ଜା ଉପକରଣ ପ୍ରସ୍ତୁତ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ଆକର୍ଷଣୀୟ ପ୍ରକୃତି ଆଧାରିତ ଚିତ୍ରାଙ୍କନ, କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ସେଣ୍ଟର ଫର୍ ଏନଭିରନ୍ ମେଣ୍ଟାଲ ଷ୍ଟଡିଜ୍(ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ) ସହଯୋଗରେ ଅନୁଷ୍ଠିତ ଏହି ପରିବେଶ ଭିତ୍ତିକ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଜ୍ଞାନରଞ୍ଜନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରକୃତି ସୁରକ୍ଷାରେ ଛାତ୍ର ଛାତ୍ରୀ ମାନେ ସାମିଲ ହେବାକୁ ଆହ୍ଵାନ ଦେଇଥିଲେ। ବିଶିଷ୍ଟ ପରିବେଶବିତ୍ ଶ୍ରୀ ଦୀପକ କୁମାର ଦାଶ, ପ୍ରକୃତି ବନ୍ଧୁ ରାଜକିଶୋର ଦାଶ ସମ୍ନାନନୀୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଜେନାଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର, ଟ୍ରଫି ଓ ପରିବେଶ ଅନୁକୂଳ ବ୍ୟାଗ୍ ପ୍ରଦାନକରି ଉତ୍ସାହିତ କରାଯାଇ ଥିଲା। ପରିଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ବେଳାଭୂମି ସଫେଇ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର, ନିରଞ୍ଜନ ବାରିକ, ବଂଶୀଧର ଗିରି, ସତ୍ୟନାଥ ମହାନ୍ତ, ଅଭୟ ପ୍ରଧାନ, ଉପେନ୍ଦ୍ର ନାଥ ମହାନ୍ତ, ହରେକୃଷ୍ଣ ମହାନ୍ତ , ଓ ଶୁଭାଶିଷ ପଣ୍ଡା ସକ୍ରିୟ ଅଂଶ ଗ୍ରହଣ କରି ପ୍ରକୃତି ଶିବିରକୁ ସଫଳ ରୂପାୟନ କରିଥିଲେ।
