Odisha news

ଦେବୋତ୍ତର ବିଭାଗରେ ଅବହେଳାରୁ ସର୍ବପୁରାତନ ପ୍ରଭୁ ଶ୍ରୀ ନୃସିଂହନାଥ ଜୀଉଙ୍କ ମନ୍ଦିରର ଅବକ୍ଷୟ

0

ବେତନଟୀ : ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ମଠ ଓ ମନ୍ଦିର ସୁରକ୍ଷା ସ୍ଵାଧୀନତା ପରବର୍ତ୍ତୀ ଅବସ୍ଥା ଦୟନୀୟ ହୋଇ ପଡିଛି। ମୟୂରଭଞ୍ଜ ଗଡଜାତ ରାଜା ମହାରାଜାମାନଙ୍କ ଶାସନକାଳରେ ଅନେକ ମଠ ମନ୍ଦିର ଧର୍ମାନୁଷ୍ଠାନ ସ୍ଥାପିତ ହୋଇଥିଲା ଏବଂ ଏଗୁଡ଼ିକର ସେବା, ପୂଜାପାଇଁ ଜମିବାଡ଼ି ବଗାୟତ ସେବାୟତମାନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା। ମାତ୍ର କାଳକ୍ରମେ ମୟୂରଭଞ୍ଜ ୧୯୪୯ ମସିହାରେ ଓଡ଼ିଶା ରାଜ୍ୟ ସହିତ ମିଶ୍ରଣ ହେବାପରେ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଅଧିନକୁ ଅଣାଯାଇ ନିୟନ୍ତ୍ରଣ କରାଯିବା ପରେ ଏ ଜିଲ୍ଲାର ଅନେକ ପ୍ରାଚୀନ ମଠ ମନ୍ଦିର ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭୁଷୁଡ଼ି ପଡ଼ିବାକୁ ବସିଛି। ଯାହା ବୈଶିଙ୍ଗା ଥାନା ଅନ୍ତର୍ଗତ ଆଗ୍ରିଆ ଗ୍ରା.ପ ଅଧିନସ୍ଥ ବଡ଼ ଛୁରୁଣୀ ଭଳି ଏକ ପ୍ରାଚିନ ଗ୍ରାମରେ ଅବସ୍ଥିତ ଅମରା ମଠ ଏବଂ ଶ୍ରୀନୃସିଂହନାଥ ଜୀଉ ଙ୍କ ମନ୍ଦିର ଦେବୋତ୍ତର ବିଭାଗ ଓ ମନ୍ଦିରର ଟ୍ରଷ୍ଟ କମିଟୀର ଅବହେଳାରୁ ମାଟିରେ ମିଶିଯିବାକୁ ବସିଛି । ମୟୂରଭଞ୍ଜର ଭଞ୍ଜବଂଶ ରାଜାମାନଙ୍କ ଶାସନାଧିନ ସମୟରେ ଏଠାରେ ଏକ ମଠ ସହିତ ଶ୍ରୀ ନୃସିଂହନାଥ ଜୀଉଙ୍କ ମନ୍ଦିର ସ୍ଥାପିତ ହୋଇଥିଲା ଏବଂ ମଠର ଠାକୁରଙ୍କ ନାମରେ ସେବାପୂଜା ପାଇଁ ବିଭିନ୍ନ ମୌଜାରେ ଚାଷ ଜମି ଆଦି ରହିଆସିଛି। ସେତେବେଳେ କେଶରୀ ପୁର ମୌଜାର ନନ୍ଦ ଗୋସ୍ଵାମୀ ବଂଶର ମହନ୍ତ ପୁରୁଷାନୁକ୍ରମିକ ଭାବେ ଏହି ମଠ ଓ ମନ୍ଦିରର ରକ୍ଷଣାବେକ୍ଷଣ ସହିତ ସେବାପୂଜା – ପର୍ବପର୍ବାଣୀ ଦାୟିତ୍ଵ ରସିକା ନନ୍ଦ ଦେବ ଗୋସ୍ୱାମୀଙ୍କ ଉପରେ ୧୯୬୪ ମସିହା ପର୍ଯ୍ୟନ୍ତ ନ୍ୟସ୍ତ ରହିଆସିଥିଲା। ମାତ୍ର ଏହା ପରେ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ପକ୍ଷରୁ ଏହା ଉଛେଦ କରାଯାଇ ଏହି ମଠ ମନ୍ଦିରର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଏକ ଟ୍ରଷ୍ଟ ଗଠନ କରାଯାଇ ଟ୍ରଷ୍ଟି ଶ୍ୟାମସୁନ୍ଦର ଖଟୁଆଙ୍କୁ ଟ୍ରଷ୍ଟି ଭାବେ ନିଯୁକ୍ତି ଦିଆଯାଇ କମିଟୀ ମାଧ୍ୟମରେ ପରିଚାଳିତ ହୋଇଆସୁଥିଲା। ଟ୍ରଷ୍ଟି ଶ୍ୟାମସୁନ୍ଦର ଖଟୁଆଙ୍କ ୧୯୯୯ ରେ ମୃତ୍ୟୁ ହେବା ପରେ ଏହି ଟ୍ରଷ୍ଟର ମଧ୍ୟ ଅନ୍ୟ ଚରିଜଣ ସଦସ୍ୟଙ୍କର ମୃତ୍ୟୁ ଘଟି ସାରିଥିବା ଯୋଗୁଁ ନୂତନ ଟ୍ରଷ୍ଟ ଗଠନ ହୋଇ ଦେବୋତ୍ତର ବିଭାଗ ପକ୍ଷରୁ ଅନୁମୋଦନ ଲାଭ କରିନାହିଁ। ଟ୍ରଷ୍ଟି ଶ୍ୟାମସୁନ୍ଦର ଖଟୁଆଙ୍କ ମୃତ୍ୟୁ ପୂର୍ବରୁ ରାମାକାନ୍ତ ଗୋଚ୍ଛାୟତଙ୍କୁ ଏହି ମନ୍ଦିରର ପରିଚାଳନା ଦାୟିତ୍ୱ ସମ୍ଭାଳିବା ପାଇଁ ଅନୁରୋଧ କରିଥିଲେ ଏବଂ ସେ ବେସରକାରୀ ଭାବେ ଟ୍ରଷ୍ଟ ପୁର୍ନଗଠନ ନକରି ମଧ୍ୟ୍ୟ ଏହି ମଠ ମନ୍ଦିରର ପରିଚାଳନା ଦାୟିତ୍ୱ ସହିତ ଭୂସଂପତ୍ତି ର ଆୟ ବ୍ୟୟ ତାଙ୍କ ଠାରେ ନ୍ୟସ୍ତ ରହିଆସିଛି। ୧୯୯୯ ମସିହା ଠାରୁ ୨୦୨୩ ମସିହା ମଧ୍ୟରେ ଦୀର୍ଘ ୨୩ ବର୍ଷ ଧରି ଠାକୁରଙ୍କର ମୋଟ ୪୫ଏକର ରୁ ଉର୍ଦ୍ଦ ଜମିରୁ ସଂଜା(ଆୟ) ଟ୍ରଷ୍ଟ କାର୍ଯ୍ୟକ୍ଷମ ନଥିବା ହେତୁ ପ୍ରତି ବର୍ଷ ଫସଲ ଅମଳ ପରେ ଚାଷୀମାନେ ଦେଉନଥିବା ଯୋଗୁଁ ଏବେ ଏହି ମନ୍ଦିରରେ ସେବା ପୂଜାରେ ଏବଂ ରକ୍ଷଣା ବେକ୍ଷଣ ରେ ଗୁରୁତର ବିଭ୍ରାଟ ଦେଖାଯାଇଛି।ମରାମତି ଅଭାବରୁ ମନ୍ଦିରରୁ ପାଣି ଗଳିବା ସହିତ କାନ୍ଥ ଅଗ୍ରଭାଗ ଫାଟିଗଲାଣି ଏବଂ ନିତିଦିନ ପୂଜାପାଇଁ ମଧ୍ୟ ଖର୍ଚ୍ଚ ଅର୍ଥାଭାବ ଯୋଗୁଁ କରାଯାଇ ପାରୁନାହିଁ। ଏହି ଗ୍ରାମର କେତେକ ସଚେତନ ଗ୍ରାମବାସୀ, ପୂର୍ବତନ ସରପଞ୍ଚ, ଆଗ୍ରିଆ ଗ୍ରା.ପ ର ସରପଞ୍ଚ ମୀନତି ସିଂ ଓ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀଙ୍କ ପକ୍ଷରୁ ବେତନଟୀ ବ୍ଲକର ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେବୋତ୍ତର ବିଭାଗର ଦାୟିତ୍ଵହୀନତା ପାଇଁ ଏଭଳି ଏକ ପ୍ରାଚୀନ ମଠ ଓ ମନ୍ଦିର ମାଟିରେ ମିଶିବାକୁ ବସିଥିବା ସେମାନେ ଅଭିଯୋଗ କରିଥିଲେ।ଏହା ସହିତ ଏହି ପ୍ରାଚୀନ କୀର୍ତିର ସୁରକ୍ଷା ପାଇଁ ଗଣମାଧ୍ୟମ ଦେବୋତ୍ତର ବିଭାଗର ଦୃଷ୍ଟିକୁ ଆଣିବା ପାଇଁ ସହଯୋଗ କରିବାକୁ ନିବେଦନ କରିଥିଲେ। ଏଣୁ ଜିଲ୍ଲାପାଳ ଅଧିନସ୍ଥ ସଦର ଉପଜିଲ୍ଲାପାଳଙ୍କ ପକ୍ଷରୁ ଦେବୋତ୍ତର ବିଭାଗ ତୁରନ୍ତ ଏହା ପରିଦର୍ଶନ କରି ଟ୍ରଷ୍ଟ ପୁର୍ନଗଠନ କରାଯିବା ଏବଂ ଠାକୁରଙ୍କ ଜମି ଚାଷ କରୁଥିବା ଚାଷୀମାନଙ୍କଠାରୁ ସଞ୍ଜା ଏବଂ ବର୍ଷବର୍ଷ ଧରି ଆଦାୟ ହେଉ ନ ଥିବା ଚାଷୀମାନଙ୍କ ଠାରୁ ବକେୟା ସଞ୍ଜା ଆଦାୟ ପାଇଁ ଆଇନ ଗତ ପଦକ୍ଷେପ ନେବାକୁ ସମଗ୍ର ଅଞ୍ଚଳବାସୀ, ଗ୍ରାମବାସୀ,ସରପଞ୍ଚ, ବ୍ଲକ ଅଧ୍ୟକ୍ଷା ଦାବି କରିଛନ୍ତି। ଏହା ଦ୍ୱାରା ଆମ ସଂସ୍କୃତି ପରମ୍ପରା ଅତୁଟ ରହିବ ବୋଲି ଆଶା କରାଯାଉଛି।

Nalco
Leave A Reply