ବେତନଟୀ : ଆଦିବାସୀ ଭାଷା ଓ ଲିପିକୁ ସରକାରୀ ସ୍ୱୀକୃତି ଦିଆଯିବା ଦାବି ନେଇ ମିଳିତ ଆଦିବାସୀ ସଂଗଠନ ପକ୍ଷରୁ ମଙ୍ଗଳବାର ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ପାଳନ ହୋଇଯାଇଛି।ଦାବି ଅନୁଯାୟୀ ,ଜିଲ୍ଲାରେ ୨୦୦୭ ମସିହାରେ ରାଜ୍ଯ ସରକାର ୧୦୦ଜଣ ଅଲଚିକି କମ୍ୟୁନିଟି ମୋବିଲାଇଜର ଓ ୨୦୦୯ରେ ୨୦ଜଣ ମୁଣ୍ଡାରୀ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇଥିଲେ। ସ୍ୱଳ୍ପ ଦରମା ପାଉଥିବା ସତ୍ତ୍ୱେ ବିଦ୍ୟାଳୟରେ ଏମାନେ ଅନ୍ୟ ଶିକ୍ଷକଙ୍କ ଭଳି ଶିକ୍ଷାଦାନ କରିବା ସହ ସରକାରଙ୍କ ନିର୍ଦ୍ଦେଶିକ ଅନ୍ୟାନ୍ୟ ଅନୁସଙ୍ଗିକ କାର୍ଯ୍ଯ ମଧ୍ଯ କରି ଆସିଛନ୍ତି। ଦୀର୍ଘ ୧୫ ବର୍ଷ ନିରବଚ୍ଛିନ୍ନ କାର୍ଯ୍ଯ କରିଥିବା ଯୋଗୁଁ ସରକାର ତାଙ୍କୁ ନିୟମିତ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଦାବିପତ୍ର ସରକାର କର୍ଣ୍ଣପାତ ନ କରିବାରୁ ସର୍ବଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ୩୪ ଦିନଧରି ଧାରଣାରେ ବସିବା ପରେ କିଛି ସୁଫଳ ନ ମିଳିବାରୁ ୧୫ ନଭେମ୍ବରରୁ ରାଇରଙ୍ଗପୁର ପୋଖରିଆ ଗ୍ରାମରୁ ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ଯାଇଛନ୍ତି ସମସ୍ତ ଶିକ୍ଷକ। ୨୮ ଦିନପରେ ସେମାନେ ଭୂବନେଶ୍ୱର ପହଞ୍ଚିବା ସତ୍ତ୍ୱେ ସରକାର ତାଙ୍କ ସହ କୌଣସି ପ୍ରକାର ଆଲୋଚନା ନ କରିବା ଦୁର୍ଭାଗ୍ୟ ଜନକ ଘଟଣା। ରାଜ୍ଯ ସରକାରଙ୍କ ଏଭଳି ଉଦାସୀନତାର ବିରୋଧ କରି ବିଭିନ୍ନ ଆଦିବାସୀର ସଂଗଠନ ପକ୍ଷରୁ ମିଳିତ ଭାବେ ମଙ୍ଗଳବାର ସକାଳ ୬ରୁ ସନ୍ଧ୍ୟା ୬ ବାର ଘଣ୍ଟା ମୟୂରଭଞ୍ଜ ବନ୍ଦ କରାଯାଇଥିଲା। ଜିଲ୍ଲା ପେସା ଗ୍ରାମସଭା ସମନ୍ବୟ କମିଟି,ଆଦିବାସୀ-ମୂଳବାସୀ ମଞ୍ଚ,ମାସା ଆର୍ମି,ମାଝି ପାର୍ଗାନା ମୋହଲ,ମୁଣ୍ଡାରୀ ସମାଜ ସାୱାର ଜାମଡା,ଭଞସେନା ଆଦିବାସୀ ଶାଖାର ମିଳିତ ଆହ୍ୱାନରେ ୧୨ ଘଣ୍ଟିଆ ହରତାଳ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ବେତନଟୀ ବ୍ଲକ ପେସା ଗ୍ରାମସଭା ସମନ୍ବୟ କମିଟି ତରଫରୁ କଳମା ପଞ୍ଚାୟତର ମେଲାଡାଙ୍ଗର ପେସା ଗ୍ରାମସଭା,ଗଡଦେଉଳିଆ ପଞ୍ଚାୟତର ଭାନୁପୁର ପେସା ଗ୍ରାମସଭା କମିଟି,ସଙ୍ଖସାହି (ବାଲକା) ପେସା ଗ୍ରାମସଭା କମିଟି,ଲାଖବିନ୍ଧା ଗ୍ରାମର ଆଦିବାସୀ ଯୁବକ ଓ ମହିଳା ମାନେ ପାରମ୍ପାରିକ ବସ୍ତ୍ର ରେ ବୈଶିଙ୍ଗା ଅଞ୍ଚଳର ବିଭିନ୍ନ ବ୍ୟାଙ୍କ,ବିଦ୍ୟାଳୟ,ମହାବିଦ୍ୟାଳୟ ଓ ସରକରୀ କାର୍ଯ୍ୟାଳୟ ଗୁଡିକୁ ବନ୍ଦ କରିଥିଲେ ସୁଦ୍ଧା ବୈଶିଙ୍ଗା ବଜାରରେ ଥିବା ଦୋକାନୀ ମାନଙ୍କ ତରଫରୁ ଶାନ୍ତି ଶୃଙ୍ଖଳା ବନ୍ଦରେ ସହଯୋଗ ମିଳିନଥିବାରୁ ଦୋକାନ ବଜାର ବନ୍ଦ ପାଇଁ ଅସଫଳ ହୋଇଥିଲା।
