ବେତନଟୀ/ବୈଶିଙ୍ଗା : –ବୈଶିଙ୍ଗା ଥାନା ଠାରୁ ପାଞ୍ଚଶହ ମିଟର ଦୂର ୧୮ ନଂ ଜାତୀୟ ରାଜପଥର ଅରୋ ଫ୍ଳୋର ମିଲ ର ଫାଟକ ସମ୍ମୁଖରେ ଏକ ଅଭାବନୀୟ ଘଟଣା କ୍ରମରେ ଛିଡା ହୋଇଥିବା ଗହମ ବୋଝେଇ ଟ୍ରଲର ତଳେ ଜନୈକ ଡ୍ରାଇଭର ଜଣକ ବିଶ୍ରାମ ନେଇଥିବା ବେଳେ ଅନ୍ୟ ଜଣେ ଡ୍ରାଇଭର ଏହା ଜାଣି ନ ପାରି ଟ୍ରଲର ଟିକୁ ଫାଟକ ଭିତରକୁ ପୁରାଇବା ପାଇଁ ଚେଷ୍ଟା କରିବା ସମୟରେ ଶୋଇ ଥିବା ଡ୍ରାଇଭର ଉପରେ ଚଢିଯାଇଥିଲା। ଘଟଣା ସ୍ଥଳରେ ଡ୍ରାଇଭରଟିର ମୃତ୍ୟୁ ହୋଇଯାଇଥିଲେ ମଧ୍ୟ ମିଲ କର୍ତ୍ତୁପକ୍ଷ ଘଟଣାକୁ ଚାପି ଦେବା ପାଇଁ ବୈଶିଙ୍ଗା ପୁଲିସକୁ ଖବର ନଦେବା ଏବଂ ବୈଶିଙ୍ଗା ଡାକ୍ତରଖାନାକୁ ନ ଆଣି ମୃତ ଶରୀରଟିକୁ ବାଲେଶ୍ଵର ମେଡିକାଲକୁ ନେଇଯାଇଥିବା ଜଣାଯାଇଛି। ଦେଢ ବର୍ଷ ତଳେ ଏହି ପରି ଅନ୍ୟ ଏକ ଘଟଣା ମଧ୍ୟ ଘଟିଥିଲା।
ସେହିପରି ଗହମ ବୋଝେଇ ଟ୍ରକ ଚାପାରେ ଜନୈକ ଡ୍ରାଇଭରଙ୍କ ମୃତ୍ୟୁ ହେବା ପରେ ତାକୁ ରାସ୍ତା ଦୁର୍ଘଟଣାର ରୂପ ଦେଇ ରାତାରାତି ମରଶରୀରକୁ ନେଇ ବାରିପଦାରେ ବ୍ୟବଚ୍ଛେଦ କରାଇ ଘଟଣାକୁ ଚାପି ଦେଇଥିବାର ଶୁଣିବାକୁ ମିଳିଥିଲା। ଆଜିର ଏହି ଅଘଟଣର ଖବର ପାଇ ବୈଶିଙ୍ଗା ଥାନାର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅଫିସର ସୁମନ୍ତ ସେଠୀ ଓ ପ୍ରଦୀପ ରାଉତ ଘଟଣାଟିକୁ ଜବତ କରିବା ସହିତ ଟ୍ରଲର ଜବତ କରିଥିବା ଜଣାଯାଇଛି। ଏ ନେଇ ବୈଶିଙ୍ଗା ଥାନାରେ ୩୦୯/୨୨ ଏକ ମାମଲା ରୁଜୁ ହୋଇଥିବା ବେଳେ ମୃତକଙ୍କ ନାମ ସେଖ ଇକବାଲ (୩୫)- ପିତା-ହସରତ ଇଦୱାର ଏବଂ ଘର ଟି ରାଜସ୍ଥାନ ସ୍ଥିତ ଭରତପୁର ଜିଲ୍ଲା ସିକ୍ରି ଠାରେ ବୋଲି ଜଣାପଡିଛି। ଏଥି ସହିତ ଚାଳକ ଜଣକ ସେହି ରାଜସ୍ଥାନର ସେଖ ସମିିନ ବୋଲି ଜଣାଯାଇଛି। ଜବତ ଟ୍ରଲର (ଆରଜେ-O୨-ଜିବି-୪୩୩୭)ଟି ଜାକାମ ଖାନ ନାମରେ ରାଜସ୍ଥାନର ଅଲୱାର ଆରଟିଓରେ ପଞ୍ଜୀକୃତ ଥିବା ଜଣାଯାଇଛି।
