ବେତନଟୀ / ବୈଶିଙ୍ଗା : –ଦହିକୋଟୀ ଓ ଦାନ୍ତିଆଁ ମୁହାଁ ପଞ୍ଚାୟତର ସଂଯୋଗ ସ୍ଥଳ ଏକ ନାଳ ଉପରେ ବହୁବର୍ଷ ପୂର୍ବରୁ ହୋଇଥିବା ଏକ ପୋଲ ଗୁରୁବାର ଭାଙ୍ଗିଯିବା ଫଳରେ ଉଭୟ ପଟ ଯାତାୟତ ବାଧାପ୍ରାପ୍ତ ହୋଇଛି। ଫଳରେ ବେତନଟୀ ବ୍ଲକ ସମେତ ବାରିପଦା, ମୋରଡା ତଥା ପଶ୍ଚିମ ବଙ୍ଗ ଯିବା ଆସିବା କରୁଥିବା ଯାତ୍ରୀଙ୍କ ପାଇଁ ବାଧା ସୃଷ୍ଟି କରିଛି। ଏହି ପୋଲ ମରାମତି ନିମନ୍ତେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ଦାବି ହୋଇଆସିଥିଲେ ମଧ୍ୟ ଉଭୟ ପଞ୍ଚାୟତ ପକ୍ଷରୁ ତଥା ବ୍ଲକ ପ୍ରଶାସନ ସମେତ ଜିଲ୍ଲା ପ୍ରଶାସନ ଓ ରାଜନୈତିକ ନେତୃବୃନ୍ଦ ଏହା ଉପରେ ଗୁରୁତ୍ଵ ଦେଇ ନ ଥିବାରୁ ଏହି ପୋଲ ଉପରେ ମରାମତି ହୋଇପାରିନଥିଲା। ପ୍ରକାଶ ଥାଉ କି ପ୍ରସିଦ୍ଧ ବୁବେଇ ଦଉଡି ଓ ସବାଇ ଘାସ ହାଟ ପାଇଁ ପ୍ରସିଦ୍ଧି ଲାଭ କରି ଆସି ଥିବା ବେଳେ ଏହି ରାସ୍ତାର ପୋଲ ମରାମତି ନ ହେବା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ସାଧାରଣରେ ଆଲୋଚିତ ହେଉଛି। ଦହିକୋଟୀ ଓ ଦାନ୍ତିଆଁମୁହାଁ ପଞ୍ଚାୟତର ସରପଞ୍ଚ ମାନେ ଏଥି ପ୍ରତି ଆଦୌ ଧ୍ୟାନ ଦେଉ ନ ଥିବାରୁ ଓ ନିଜ ଭିତରେ ସମନ୍ଵୟ ରଖି ନ ପାରିବାରୁ ଏହି ରାସ୍ତାର ପୋଲ ମରାମତି ହେବାରେ ବିଳମ୍ବ ହେଉଛି ବୋଲି ବରିଷ୍ଠ ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ଵାମୀ ପ୍ରକାଶ କରିଛନ୍ତି।
