ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ଯୁଗୋଳ ପଞ୍ଚାୟତର ବିଶ୍ରିପୁର ଗ୍ରାମରେ ଏକ ଲଜ୍ଜାଜନକ ଘଟଣା ଘଟିଥିବା ଅଭିଯୋଗ ହୋଇଛି।ମିଳିଥିବା ସୂଚନା ମୁତାବକ ଚଳିତ ମାସ ୧୯ ତାରିଖ, ସୋମବାର ବିଳମ୍ବିତ ରାତିରେ ବିଶ୍ରିପୁର ଗ୍ରାମର ସ୍ୱର୍ଗତଃ ଭାଗବତ ସିଂ ଙ୍କ ପୁଅ ଦଶରା ସିଂ (୪୦) ନିଶାଶକ୍ତ ଅବସ୍ଥାରେ ସେହି ଗ୍ରାମର ୧୪ ବର୍ଷୀୟା ଜନୈକା ନାବାଳିକା ଘରେ ଶୋଇଥିବା ସମୟରେ ବଳାତ୍କାର ଉଦ୍ୟମ କରିଥିଲେ। ନାବାଳିକା ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ଦଶରା ଦୌଡ଼ି ପଳାଇଥିଲେ। ପୀଡିତା ଜଣକ ନିଜ ପରିବାର ବର୍ଗଙ୍କୁ ସବୁ କଥା କହିବା ପରେ ଆଜି ଗ୍ରାମରେ ଏକ ବୈଠକ ମଧ୍ୟ ବସିଥିଲା। ବୈଠକରେ ଉପଯୁକ୍ତ ନ୍ୟାୟ ନ ପାଇ ପରିବାର ବର୍ଗ ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ୨୮୧/୨୨ରେ ମାମଲା ମୂଳେ ଆଜି ଦଶରା ସିଂଙ୍କୁ ଗ୍ରାମରୁ ଗିରଫ କରି ଥାନାକୁ ନେଇ ଆସିଥିବା ଜଣାଯାଇଛି। ଅଭିଯୁକ୍ତ ଜଣକ ନାବାଳିକାର ସମ୍ପର୍କୀୟ କକା ଅଟନ୍ତି ବୋଲି ଗ୍ରାମବାସୀଙ୍କ ଠାରୁ ପ୍ରକାଶ। ଆସନ୍ତାକାଲି ଅଭିଯୁକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ
