Odisha news

ଶହେ ବର୍ଷର ପୁରୁଣା ଡାହିବାଡି ସାପ୍ତାହିକ ହାଟ ଆଜି ଅବହେଳିତ

0
ବେତନଟୀ/ବୈଶିଙ୍ଗା : –ବୈଶିଙ୍ଗା ପଞ୍ଚାୟତର ଏକମାତ୍ର ଡାହିବାଡି ସାପ୍ତାହିକ ହାଟ ଟି ପ୍ରଶାସନିକ ଅବହେଳାରୁ ଅବହେଳିତ ହୋଇପଡିଛି। ବୈଶିଙ୍ଗା ପଞ୍ଚାୟତର ଏକ ରୋଜଗାରିଆ ହାଟ ଭାବେ ପରିଗଣିତ ଏହି ଡାହିବାଡି ହାଟ ଚଳିତ ବର୍ଷ ଚାରି ଲକ୍ଷ ଟଙ୍କାର ନିଲାମ ହୋଇଥିବାର ଜଣାଯାଇଛି। ମାତ୍ର ଏହି ହାଟ ଦ୍ବୈତ ପରିଚାଳନାରେ ଚାଲୁଥିବାରୁ ଏହାର ଉନ୍ନତ୍ତି ପାଇଁ କେହି କେବେ ନିଘା ଦେଇନାହାନ୍ତି। ବର୍ଷାଦିନ ଆସିଲେ ହାଟ ଭିତରକୁ ଯିବାପାଇଁ ଗ୍ରାହକ ମାନେ ଭୟ କରିଥାଆନ୍ତି। କାରଣ ଆଣ୍ଠୁଏ କାଦ ଭିତରେ ପଶି ନିଜର ସଉଦା କିଣବା କଷ୍ଟକର ହୋଇ ପଡିଥାଏ।ତଥାପି ସପ୍ତାହର ଦୁଇଦିନ ବୁଧବାର ଓ ଶନିବାର ଜିଲ୍ଲା ବାହାରୁ ବ୍ୟବସାୟୀ ମାନେ ନିଜର ବିକ୍ରୀ ସାମଗ୍ରୀ ଧରି ପହଞ୍ଚି ଥାଆନ୍ତି। ସ୍ଥାୟୀ ପିଣ୍ଡି , ଚାଳି ,ଚଳାଚଳ ପାଇଁ ମଧ୍ୟ ଦ୍ଭାଗରେ ରାସ୍ତା ଏସବୁ ଆବଶ୍ୟକ ଥିଲେ ମଧ୍ୟ ତାହା ଅବହେଳିତ ଅବସ୍ଥାରେ ରହିଛି। ବର୍ଷାଦିନ ଆସିଲେ ପଞ୍ଚାୟତ ତରଫରୁ କିଛି ମୋରମ୍ ବିଛାଇ ଦିଆ ଯାଇଥାଏ ମାତ୍ର ଆଲୁଅ କିମ୍ଵା ପାଣିର ବ୍ୟବସ୍ଥା କିଛି ନଥାଏ । ମାତ୍ର ଏହି ହାଟର ସିଂହଭାଗ ଆର.ଏମ୍.ସି. ନେଉଥିବାରୁ କୌଣସି ଉନ୍ନତ୍ତି ମୂଳକ କାର୍ଯ୍ୟକ୍ରମ କରିବାର ନଜିର ନାହିଁ। ହାଟ ମଧ୍ୟକୁ ଯିବାପାଇଁ ମୂଖ୍ୟ ରାସ୍ତା ସମେତ ଚାରି ପାର୍ଶ୍ଵରାସ୍ତା ଅତି ଦୟନୀୟ ଅବସ୍ଥାରେ ରହିଛି। କୌଣସି ଚାରି ଚକିଆ ଯାନ ହାଟ ପ୍ରବେଶ କରିନପାରିବାରୁ ବ୍ୟବସାୟୀମାନେ ନିଜର ସାମଗ୍ରୀ ମଥାରେ ମୁଣ୍ଡାଇ ଭିତରକୁ ନେଉଥିବାର ଦେଖିବାକୁ ମିଳିଥାଏ। ଏହି ହାଟର ଉନ୍ନତ୍ତି ପାଇଁ ସବୁ ସମୟରେ ସାଧାରଣ ଜନତା ନିର୍ବାଚିତ ପ୍ରତିନିଧି ମାନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। କେତେ ବିଧାୟକ ଓ ସାଂସଦ ନିର୍ବାଚନ ପୂର୍ବରୁ ହାଟର ଉନ୍ନତ୍ତି ପାଇଁ ପ୍ରତିଶୃତି ଦେବାପରେ ଜିତି ଗଲା ପରେ ଭୁଲି ଯାଆନ୍ତି। ଅପରାହ୍ନ ଠାରୁ ରାତି ୯ ଘଣ୍ଟା ପର୍ଯ୍ୟନ୍ତ ଏହି ହାଟ ଚାଲୁଥିବାରୁ ରାତିରେ ଆଲୋକ ବ୍ୟବସ୍ଥା ନ ଥିବା ଯୋଗୁଁ ବାଇକ୍ ଚୋରୀ ,ପକେଟମାର, ଛିନତାଇ ଆଦି ବଢୁଥିବା ଲକ୍ଷ୍ୟ କରାଯାଉଛି। ଏସବୁ ଅସୁବିଧାକୁ ଦେଖି ପ୍ରଶାସନ ଯତ୍ନବାନ ହେବାକୁ ଦାବୀ ହେଉଛି।
Nalco
Leave A Reply