Odisha news

ବୁଢାବଳଙ୍ଗ ବନ୍ୟାଞ୍ଚଳ ବୁଲିଲେ ବିଡିଓ, ଆର.ଆଇ ଓ ବିଧାୟକ

0

ବେତନଟୀ/ବୈଶିଙ୍ଗା : ବୁଢ଼ାବଳଙ୍ଗ ନଦୀରେ ଆସନ୍ନ ବନ୍ୟା ପରିସ୍ଥିତିକୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଥିଲା। ତଥାପି ବିଡିଓ ସଂଗ୍ରାମ କେଶରୀ ପରିଡା ଗତ ସନ୍ଧ୍ୟାରେ ସ୍ଥିତି ଅନୁଧ୍ୟାନ କରିବା ସହିତ ପ୍ରାକ୍ତନ ବିଧାୟକ ଗଣେଶ୍ଵର ପାତ୍ର,ବ୍ଲକ ଅଧ୍ୟକ୍ଷ,ଉପାଧ୍ଯକ୍ଷ ଓ କିଛି ସ୍ଵେଚ୍ଛାସେବୀଙ୍କ ସହିତ ସମୀକ୍ଷା ମଧ୍ୟ କରିଥିଲେ। ଅଗ୍ନିଶମ ବିଭାଗ, ଯୋଗାଣ ବିଭାଗ ଓ ଉଦ୍ଧାରକାରୀ ଦଳଙ୍କୁ ଆଲର୍ଟ କରାଇ ବିଳମ୍ବିତ ରାତିରେ ବେତନଟୀ ବସାକୁ ଫେରିଥିଲେ। ରାତି ମଧ୍ୟରେ ବନ୍ୟାଜଳ ଚାରିଆଡ଼େ ମାଡିଯିବା ଯୋଗୁଁ ପରଦିନ ସକାଳେ ଖବର ମିଳିଲା ଯେ ବେଲାଣପୁରା ବାତ୍ୟା ଆଶ୍ରୟ ସ୍ଥଳୀରେ ବନ୍ୟାପ୍ରପୀଡିତ ଙ୍କୁ ରଖାଯାଇଛି। ସଙ୍ଗେ ସଙ୍ଗେ ଜଳଘେର ଭିତରେ ପଶି ସେଠାରେ ପହଞ୍ଚି ସେମାନଙ୍କୁ ପ୍ରଥମେ ଶୁଖିଲା ଖାଦ୍ୟ ନିଜେ ପରଷିବା ସହିତ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ପାଟଳିପୁରା ଅତିରିକ୍ତ ଆର୍.ଆଇ. ଗଗନ କୁମାର ପ୍ରଧାନଙ୍କୁ ଦାୟିତ୍ୱ ଦେଇଥିଲେ। ଏହାର କିଛି ସମୟ ପରେ ବିଧାୟକ ସନାତନ ବିଜୁଳି ସକାଳେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ମାନଗୋବିନ୍ଦପୁର ପଞ୍ଚାୟତ,ମାଣତ୍ରୀ ପଞ୍ଚାୟତ ଓ  ଶାଳଗାଁ ପଞ୍ଚାୟତର ଗଙ୍ଗାହାର ଏବଂ ବୁଢ଼ାବଳଙ୍ଗ ଅବବାହିକାରେ ପ୍ରପୀଡିତଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖା ଯାଇ ଶୁଖିଲା ଏବଂ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବାକୁ ପ୍ରଶାସନକୁ ତାଗିଦ କରିଥିଲେ। ଏପଟେ ବଡ କ୍ଷୀରପଦାର ପ୍ରଦୀପ ନନ୍ଦୀ ଏବଂ ପଦୁ ମୁର୍ମୁଙ୍କର ଦୁଇଟି ଟାଇଲ ଘର ଭାଙ୍ଗିଯାଇଥିବା ଖବର ପାଟଳିପୁରା ସରପଞ୍ଚ ମମତା ନାୟକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ବେତନଟୀ ବିଡିଓ ଓ ଏଆରଆଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗତକାଲି ଅପରାହ୍ନ ଠାରୁ ବୈଶିଙ୍ଗା – ମାଣତ୍ରୀ ଏମଡିଆର-୭୦ ରୋଡ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲାବେଳେ  ଆଜି ଜଳ କମିଯିବା ଯୋଗୁଁ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିବାର ଜଣାଯାଇଛି। ଏହି ବନ୍ୟା ଜଳ ହଜାର ହଜାର ଏକର ଚାଷ ଜମି ଉପରେ ମାଡି ଯିବା ଫଳରେ ଧାନଚାଷ ଏବଂ ପରିବା ଚାଷ ପ୍ରବାହିତ ହୋଇଥିବା ଜଣାଯାଇଛି।

Nalco
Leave A Reply