Odisha news

ବୈଶିଙ୍ଗା ଉପ ଡାକଘର କାହା ସ୍ଵାର୍ଥରେ, ଲୋକେ ଖୋଜି ପାଉନାହାଁନ୍ତି

0

ବେତନଟୀ/ ବୈଶିଙ୍ଗା : ଯେତେବେଳେ ଯୋଗା ଯୋଗ କ୍ଷେତ୍ରରେ କେବଳ ଡାକ ବିଭାଗ ଉପରେ ସାଧାରଣ ଲୋକଙ୍କର ଭରଷା ଥିଲା ସେହିଦିନ ଠାରୁ ବୈଶିଙ୍ଗା ରେ ଡାକଘର କାର୍ଯ୍ୟକ୍ଷମ ହୋଇଥିଲା।ଏହି ଡାକଘର ଉପରେ ମେର୍ଦ୍ଦା, ଆଗ୍ରିଆ, ନଡ଼ପୁର,ଶିଂଲା ମୁଣ୍ଡଳି, ଗଡଦେଉଳିଆ , ପୁରୁଣିଆ, ଖୁଣ୍ଟାପୁର, ଆମ୍ବଗାଡ଼ିଆ ପରିଧିକୁ ନେଇ ୧୦୦ଖଣ୍ଡ ଗ୍ରାମ ର ଲୋକେ ନିର୍ଭର କରୁଥିଲେ।

ସ୍ଵାଧୀନତା ପୂର୍ବରୁ ଏହି ଡାକଘର କାର୍ଯ୍ୟ କରୁଥିବା ବେଳେ ଚିଠି ବଣ୍ଟନ ଦାୟିତ୍ୱରେ ଚାକିରୀ କରିଥିବା ସ୍ଵର୍ଗତ ପୁରୁଷୋତ୍ତମ ମହାପାତ୍ର ପର୍ଯ୍ୟାୟକ୍ରମେ ପ୍ରତି ଅଞ୍ଚଳକୁ ସପ୍ତାହରେ ଦୁଇଦିନ ଚିଠି ବାଣ୍ଟିବାକୁ ଯାଉଥିଲେ। ସାଇକେଲ ଘଣ୍ଟି ବାଜିବାକ୍ଷଣି ଲୋକମାନେ ଚାତକ ପରି ଦୁଇ ପଇସାର ପୋଷ୍ଟକାର୍ଡ ଖଣ୍ଡିକ ପାଇ ଆନନ୍ଦରେ ବିଭୋର ହୋଇ ଯାଆନ୍ତି । ଆଜିର ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲୋକମାନେ ନିମିଷକେ ସାରା ବିଶ୍ଵର ଖବର ପାଇ ପାରୁଥିଲେ ମଧ୍ୟ ଡାକ ବିଭାଗ ଉପରେ ଲୋକଙ୍କର ଭରଷା ତୁଟି ନାହିଁ। ଏହି ଭରଷା କୁ ଉଜ୍ଜିବୀତ ରଖିବା ପାଇଁ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ନ ଥିବାର ପରିଲକ୍ଷିତ ହେଉଥିବାର ଅଭିଯୋଗ ହେଉଛି।

ଦୀର୍ଘବର୍ଷ ଧରି ବୈଶିଙ୍ଗା ଡାକଘର କାର୍ଯ୍ୟ କରୁଥିଲେ ମଧ୍ୟ ନିଜସ୍ଵ ଘର ନଥିବାରୁ ଭଡ଼ା ଘରେ ଚାଲିଆସୁଛି। କିଛି ବର୍ଷ ଧରି ବୈଶିଙ୍ଗା ଉପ ଡାକଘର ବୈଶିଙ୍ଗା ରେ କାର୍ଯ୍ୟକ୍ଷମ ନ ହୋଇ ଏକ କିମି ଦୂର କୁଆଁଶୋଳ ମୌଜାରେ କାର୍ଯ୍ୟକାରୀ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ୧୮ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଏହି ଡାକଘର ଫଳକ ବିହୀନ ଭାବେ ଅବସ୍ଥିତ ଥିଲେ ମଧ୍ୟ ଲୋକେ ଖୋଜି ପାଉନଥିବାର ଅଭିଯୋଗ ହେଉଛି। ସମସ୍ତ କାର୍ଯ୍ୟ କମ୍ପୁଟରାଇଜ୍‌ କରାଯାଇଥିଲେ ମଧ୍ୟ ନିମ୍ନମାନର ଯନ୍ତ୍ରାଂଶ ପାଇଁ ଅଧିକାଂଶ ସମୟରେ ଲିଙ୍କ୍ ନଥିବାରୁ ଘଣ୍ଟା ଘଣ୍ଟା ଧରି ଲୋକେ ଲାଇନ୍ ରେ ଛିଡ଼ା ହେଉଛନ୍ତି। ଏଥିପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ଵାର ଅଭିଯୋଗ କରାଯାଇଥିଲେ ମଧ୍ୟ ଫଳପ୍ରଦ ହେଉନାହିଁ। ତୁରନ୍ତ ଏହି ଡାକଘରକୁ ବୈଶିଙ୍ଗା ର କେନ୍ଦ୍ରସ୍ଥଳରେ ସ୍ଥାପନ କରିବା ସହିତ ଗ୍ରାହକମାନଙ୍କର ସୁବିଧା ଉପରେ ଧ୍ୟାନ ଦେଲେ ଲୋକେ ଭପକୃତ ହୋଇ ପାରନ୍ତେ।

Nalco
Leave A Reply