Odisha news

ବୈଶିଙ୍ଗା ବିଦ୍ୟୁତ୍ ସେକ୍ସନରେ ବିଜୁଳି ବିଭ୍ରାଟ: ବୈଶିଙ୍ଗା ମିଡିଆ ସେଣ୍ଟର ସହଯୋଗରେ ୩୦ରେ ଧାରଣା

0

ବେତନଟୀ/ବୈଶିଙ୍ଗା : — ସାଧାରଣ ଜୀବନ ଯାପନରେ ବିଜୁଳି ଶକ୍ତିର ଆବଶ୍ୟକତା ଯେତେ ବଢ଼ିଚଲିଛି ତା ଠାରୁ ଅଧିକ କଷ୍ଟ ସହୁଛନ୍ତି ବିଦ୍ୟୁତ୍ ଗ୍ରାହକମାନେ। ଘନ ଘନ ବିଜୁଳି କାଟ ସାଙ୍ଗକୁ ଲୋ ଭୋଲଟେଜ୍‌ କୁ ଲକ୍ଷ୍ୟରେ ରଖି ପ୍ରାୟ ୭୦/୮୦ ଶତକଡା ଉପଭୋକ୍ତା ବ୍ୟାଟେରୀ + ଇନଭେଟର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ବୈଶିଙ୍ଗା ବିଦ୍ୟୁତ୍ ସେକ୍ସନ  ଅଧିନ ରେ ଥିବା ଘରୋଇ ଏବଂ ବ୍ୟବସାୟିକ ଉପଭୋକ୍ତା ମାନେ ବାରମ୍ଵାର ବିଦ୍ୟୁତ୍ ବଣ୍ଟନ ,ଶୁଳ୍ପ ଆଦାୟ ଏବଂ ମିଟର ରିଡିଂ ର ଅବ୍ୟବସ୍ଥା ସଂପର୍କରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି। ପ୍ରାୟ ୫୦/୬୦ ବର୍ଷ ଧରି ସାରା ରାଜ୍ୟରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ୍‌ ଉପଭୋକ୍ତା ମାନେ ଯେଉଁ ମୌଳିକ ସୁବିଧା ପାଉଥିଲେ ତାହା ଆଜି ନାହିଁ। ଓ ଏସ୍‌ ଇ ବି କୁ ଭାଙ୍ଗି ରାଜ୍ୟ ସରକାର ଶକ୍ତି  ସଂସ୍କାର ଆଣିବା ପାଇଁ ଉତ୍ତର-ପୂର୍ବ ଅଞ୍ଚଳ ରେ “ନେସ୍କୋ” ଭଳି ଘରୋଇ ସଂସ୍ଥା କୁ ପରିଚାଳନା ଦାୟିତ୍ଵ ଦେଲେ। କିଛି ବର୍ଷ ଧରି  ନେସ୍କୋ ପରିଚାଳନା କରିଲା ସତ କିନ୍ତୁ ନିୟମିତ ବିଦ୍ୟୁତ୍ ଉପଭୋକ୍ତା ଙ୍କ ସମସ୍ୟା ସମାଧାନ ପରିବର୍ତ୍ତେ କେବଳ ବକେୟା ଆଦାୟ କରିବାରେ ବ୍ୟସ୍ତ ରହିଲା।

ବିଦ୍ୟୁତ୍ ସରବରାହ ପାଇଁ ବ୍ୟବହୃତ ତାର, ଖୁଣ୍ଟ , ଇନସୁଲେଟର୍, ଟ୍ରାନ୍ସଫରମର ଆଦି ବଦଳ କରିବା ପରିବର୍ତ୍ତେ ସବୁ ପୁରୁଣା ଯନ୍ତ୍ରାଂଶ ଉପରେ ବିଦ୍ୟୁତ୍ ସରବରାହ ଜାରି ରଖିବା ଯୋଗୁଁ ଅଧିକାଂଶ ସମୟରେ ବିଦ୍ୟୁତ ବ୍ୟାଘାତ ସୃଷ୍ଟି ହୋଇ ଚାଲିଲା। ପରବର୍ତ୍ତୀ ସମୟରେ ସରକାର ପୁଣି ଏହି ଅଞ୍ଚଳକୁ ଟାଟା ପାୱାର ହାତକୁ ଟେକି ଦେଲେ। ହେଲେ କଣ ହେବ “ନୂଆ ବୋତଲ କୁ ପୁରୁଣା ମଦ ” ସଦୃଶ ପରିଚାଳନା ହେଲା। ଜଣେ କନିଷ୍ଠ ଯନ୍ତ୍ରୀ ଥିବା ବେଳେ ଆଉ ଜଣେ କମର୍ସିଆଲ  କନିଷ୍ଠ ଯନ୍ତ୍ରୀ, ଜଣେ ସୁପରଭାଇଜର,ଆଉ ୧୮ଜଣ ଟେକନିକାଲ କର୍ମଚାରୀ ଙ୍କୁ ନିଯୁକ୍ତି ଦିଆଗଲା ସତ ମାତ୍ର କାର୍ଯ୍ୟ କିଛି ହେଲାନାହିଁ। ଫଳରେ ଦିନକୁ ଦିନ ବିଦ୍ୟୁତ୍ ବିଭ୍ରାଟ ବଢି ଚାଲିଲା। ଘରକୁ ଘର ବୁଲି ଉପଭୋକ୍ତାଙ୍କ ବ୍ୟବହାରିକ ତାରତମ୍ୟ କୁ ଲକ୍ଷ୍ୟ କରି ୨/୩/୫ କିଲୋଓ୍ଵାଟ୍ ର ସଂଯୋଗ କରାଗଲା ମାତ୍ର ଅବଶ୍ଯକୀୟ ଟ୍ରାନ୍ସଫରମର ଲଗାଗଲାନାହିଁ। ଫଳରେ ଅଧିକ ଲୋଡ୍‌ ହେବା ଯୋଗୁଁ ସବୁ ସମୟରେ ବିଦ୍ୟୁତ୍‌ କାଟ୍ର ହେଉଛି। ଏଇ ଅଳ୍ପ କିଛିଦିନ ଧରି ବୈଶିଙ୍ଗା ବିଦ୍ୟୁତ୍ ସେକସନ୍‌ ଅଧିନରେ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଉପଭୋକ୍ତା ମାନେ ହନ୍ତସନ୍ତ ହୋଇସାରିଲେଣି। ଏହାକୁ ଆଧାର କରି ଉପଭୋକ୍ତା ମାନେ ବୈଶିଙ୍ଗା ମିଡିଆ ସେଣ୍ଟର ସହିତ ଯୋଗା ଯୋଗ କରି ଆସନ୍ତା ଜୁନ୍ ୩୦ ତାରିଖରେ ବୈଶିଙ୍ଗା ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଏକ ଗଣଧାରଣା ଦିଆ ଯିବାର କାର୍ଯ୍ୟକ୍ରମ ରହିଛି।

Leave A Reply