Odisha news

ବୈଶିଙ୍ଗା ବନପାଳ ଅଞ୍ଚଳରେ ହାତୀ ଉପଦ୍ରବ , ଭାଙ୍ଗିଲେ ଚାଳ ଛପର ଘର

0

ବେତନଟୀ/ବୈଶିଙ୍ଗା : ବେତନଟୀ ରେଞ୍ଜ ଅଧୀନରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗିରହିଛି। ବୈଶିଙ୍ଗା ବନାଞ୍ଚଳରେ ପୁଣି ହାତୀପଲ ଫେରି ଆସିଥିବାର ଖବର ମିଳିବା ପରେ ପରେ ବୁଧବାର ବିଳମ୍ବିତ ରାତିରେ ଏହି ବ୍ଲକ ଅଧୀନ ସନ୍ତରା ଗ୍ରାମପଞ୍ଚାୟତର ହୋତାପୁର ଉପକଣ୍ଠ ନୂଆସାହି ଗ୍ରାମର ବାଇଧର ମାଝିଙ୍କ ଚାଳ ଛପର ଘରଟିକୁ ଭାଙ୍ଗି ଦେଇଛି ଏକ ଗୋଠ ଛଡା ଦନ୍ତା। ସୂଚନା ମୁତାବକ ବୁଧବାର ବାଇଧର ପରିବାର ଲୋକ ଖାଇ ସାରିବା ପରେ ହଠାତ୍ ହାତୀ ଆସିଥିବାର ଖବର ଜାଣିବାକୁ ପାଇଥିଲେ। ସେମାନେ ଭୟଭୀତ ହୋଇ ଚାଳଘର ଛାଡି ଅନ୍ୟ ଏକ ଘରକୁ ଶୋଇବା ପାଇଁ ପଳାଇଯାଇଥିଲେ।

ବାଇଧରଙ୍କ ଘରଟି ଜଙ୍ଗଲ କଡ଼ରେ ଥିବା ହେତୁ ବାଇଧର ପରିବାର ଲୋକେ ଘର ଛାଡି ଯିବା ପରେ  ହାତୀଟି ବାଇଧର ଘରକୁ ପ୍ରବେଶ କରି ଚାଳ ଛପର ଘରଟିକୁ ଭାଙ୍ଗି ଦେଇ  ଘରେ ଥିବା  ଧାନ,ଚାଉଳକୁ  ନଷ୍ଟ କରୁଥିବା ସମୟରେ ଖବର ପାଇ ବନବିଭାଗ କର୍ମଚାରୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡ଼ାଇବାରେ ସୁଫଳ ହୋଇଥିଲେ। ତେବେ ବାଇଧର ଜଣେ ଦିନ ମଜୁରିଆ ହୋଇଥିବା ଘରକୁ ସଜାଡ଼ିବା ତାଙ୍କ ପକ୍ଷେ କାଠିକର ପାଠ। ଆଗକୁ ଖୁବ ଶୀଘ୍ର ମୌସୁମୀ ଆସିବାର ସମ୍ଭାବନା ଥିବାରୁ ବାଇଧର ମୁଣ୍ଡରେ ଏକ ରକମ ଚଡ଼କ ପଡିଯାଇଛି। ତେଣୁ ବନବିଭାଗ ଏହା ଶିଘ୍ର ତଦନ୍ତ କରି ବାଇଧରଙ୍କୁ କ୍ଷତିପୂରଣ ବାବଦକୁ କିଛି ଅର୍ଥ ପ୍ରଦାନ କରାଯାଉ ବୋଲି ଗ୍ରାମବାସୀ ଓ ବୁଦ୍ଧିଜୀବି ମାନେ ଦାବି କରିଛନ୍ତି। ବର୍ତ୍ତମାନ ଗୋଠଛଡ଼ା ଦନ୍ତାହାତୀଟି ପାଟଳିପୁରା ପଞ୍ଚାୟତ ଅଧୀନ ଗଣ୍ଡବାଙ୍କ କଦଳୀ ବାଗାନ ଠାରେ ଥିବାବେଳେ ଶତାଧିକ କଦଳୀଗଛ ଭାଙ୍ଗି ଧ୍ଵଂସ ବିଧ୍ଵଂସ କରିଦେଇଥିବା ବୈଶିଙ୍ଗା ବନପାଳ ସୂଚନା ଦେଇଛନ୍ତି।

Leave A Reply