ବେତନଟୀ, ୯/୭ : ବେତନଟୀ ରେଞ୍ଜର ବଡାମପୁର ବନପାଳ କ୍ଷେତ୍ରର ଫାଲଝରୀ ଗ୍ରାମରେ ଗତକାଲି ରାତ୍ରୀରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଗ୍ରାମର ଆଦିବାସୀ ଚାଷୀ ସୁରାଏ ମୁର୍ମୁ, ପନôୀ ଫୁଲମଣୀ, ପୁଅବୋହୁ ଓ ନାତି ରାତ୍ରରେ ଖାଇ ସାରି ଶୋଇବାକୁ ଯାଇ ଥିଲେ । ବଡାମପୁର ଅଞ୍ଚଳରେ ଥିବା ତିନୋଟି ହାତୀ ମଧ୍ୟରୁ ଏକ ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣରେ ସୁରାଏଙ୍କ ଘରେ ପହଞ୍ଚି ଥିଲା । ଖାଦ୍ୟ ଖୋଜୁଖୋଜୁ ଖାଦ୍ୟ ଗନ୍ଧ ବାରି ହାତୀଟି ଚୁଲି ପାଖରେ ପହଞ୍ଚି ଥିଲା । ହେଲେ କିଛି ସମୟ ପୂର୍ବରୁ ଚୁଲିରେ ରୋଷେଇ ହୋଇ ଥିବାରୁ ଚୁଲିରେ ନିଆଁ ଥିଲା ଓ ହାତୀଟି ନିଆଁର ଉଷ୍ମତା ବାରି ପାରି ଥିଲା । ଚୁଲିର ନିଆଁ ଲିଭାଇବାକୁ ହାତୀଟି ଅଭିନବ ପ୍ରୟାସ ଆରମ୍ଭ କରି ଥିଲା । ସେ ପାଖରେ ପଡିଥିବା ନଟାଝଟା ଓ ଅନ୍ୟାନକୁ ନେଇ ଚୁଲିରେ ପକାଇ ଥିଲା । ସୁରାଏଙ୍କ ଘର ଚାଳରୁ ନଡାକୁ ମଧ୍ୟ ଟାଣି ଚୁଲିରେ ପକାଇ ଥିଲା । ହେଲେ ନିଆଁ ଲିଭିବା ବଦଳରେ ଫଳ ହେଲା ଓଲଟା । ନଡା ପଡିବା ପରେ ଚୁଲିରେ ଥିବା ଅଙ୍ଗରାରୁ ନିଆଁ ଧରି ଯାଇ ଥିଲା ଓ ନିଆଁ ହୁତହୁତ ହୋଇ ଜଳି ଥିଲା । ଏହି ନିଆଁ ହାତୀ ଟାଣି ଥିବା ନଡାରେ ଲାଗି ଶେଷରେ ଘରେ ଲାଗି ଯାଇ ଥିଲା । କିନ୍ତୁ ଗ୍ରାମବାସୀ ମାନେ ହାତୀ ଆସି ଥିବାରୁ ସତର୍କ ଥିଲେ ଓ ନିଆଁକୁ ଦେଖି ସୁରାଏଙ୍କ ଘରେ ପହଞ୍ଚି ଥିଲେ । ନିଆଁ ଯୋରରେ ଜଳିବାରୁ ହାତୀଟି ଘଟଣା ସ୍ଥଳରୁ ପଳାଇ ଯାଇ ଥିଲା ।
ଗ୍ରାମବାସୀ ମାନେ ସୁରାଏ ଓ ତାଙ୍କ ପରିବାରର ଚାରିପ୍ରାଣୀ କୁଟୁମ୍ବଙ୍କୁ ଘରୁ ଉଦ୍ଧାର କରି ଥିଲେ । ସୁରାଏ ଓ ତାଭ୍କର ପରିବାର ଲୋକମାନେ ପାଖରେ ଅର୍ଦ୍ଧନିର୍ମିତ ଏକ ପ୍ରଧାନମନ୍ତ୍ରୀ ଘରର ଛାତ ଉପରକୁ ଯାଇ ନିଜର ପ୍ରାଣ ବଞ୍ଚାଇ ଥିଲେ । ଗୋଟିଏ ପଟେ ଖାଦ୍ୟ ଖାଇବାକୁ ନପାଇ ହାତୀଟି ହିଂସ୍ର ହୋଇ ପଡି ଥିଲା । ହାତୀଟି ନିଜେ ଲଗାଇ ଥିବା ନିଆଁ ଲୋକମାନେ ଲଗାଇ ତାକୁ ଭୟଭୀତ କରୁଛନ୍ତି ଚିନ୍ତା କରି ହାତୀଟି ପ୍ରବଳ ଗର୍ଜନତର୍ଜନ କରି ଲୋକଙ୍କୁ ଭୟଭୀତ କରିବାକୁ ପ୍ରଚେଷ୍ଟା କରି ଥିଲା । ନିଆଁରେ ସୁରାଏଙ୍କ ଧାନଚାଉଳ, ଆସବାବ ପତ୍ର, ଟଙ୍କା ପଇସା, ବ୍ୟାଙ୍କ ପାସବହି, ଆଧାର କାର୍ଡ ଓ ଅନ୍ୟାନ ଦନ୍ତାବିଜ ସହିତ ସର୍ବସ୍ୱ ଜଳି ଯାଇଛି । ଖବର ପାଇ ବେତନଟୀ ଦମକଳ ଅଧିକାରୀ ରବୀନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଦମକଳ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରଚେଷ୍ଟା କରି ଥିଲେ । ଗୋଟିଏ ପଟେ ଦମକଳ କର୍ମଚାରୀ ମାନେ ନିଆଁ ଲିଭାଇବା ବେଳେ ଅନ୍ୟ ପଟରେ ହାତୀର ଛାତିଥରା ଗର୍ଜନ ସମସ୍ତଙ୍କୁ ଭୟଭୀତ କରି ଥିଲା । ଖବର ପାଇବା ପରେ ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ, ବଡାମପୁର ବନପାଳ ପଦ୍ମାବତୀ ବେହେରା, ସ୍ଥାନୀୟ ସରପଞ୍ଚ ଓ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ସୁରାଏଙ୍କୁ ନିୟମ ମୁତାବକ କ୍ଷତିପୂରଣ ପ୍ରଦାନ କରା ଯିବ ବୋଲି ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି ।
Comments are closed.