ବେତନଟୀ ୨୯/୮ : ବେତନଟୀ ବ୍ଲକର ସମସ୍ତ କୁଡୁମୀ ବା କୁର୍ମୀ କ୍ଷେତ୍ରିୟ ଗ୍ରାମ ଗୁଡିକରେ ପ୍ରତ୍ୟେକ ଗାଁର ମୁଖିଆଙ୍କ ଘରେ କରମ୍ ପୂଜା ବା ଯାୱା ପାଳିତ ହୋଇଥାଏ । କୁଆଁରୀ ଝିଅମାନେ ଏକ ନୂତନ୍ ଖଟିଲିରେ ଏକ ନୂତନ୍ ଡଲା ଥୋଇ ଗଣ୍ଠି ପକା ଡଲାରେ ନଦୀ, ବନ୍ଧ ବା ପୋଖରୀ ତୋଠରୁ ଓଦା ବାଲି ପୁରାଇ ନବମୀ ଦିନ କୁଆଁରୀ ଝିଅମାନେ ଗାଧୁଆ ତୋଠରେ ବିରି, ସୋରିଷ, କଳଥ, ରାଶି ମଞ୍ଜି ଦେଇ ସେଇ ବାଲି ଉପରେ ବୁଣି ଦିଅନ୍ତି ।
ଈଲାବତୀ ଓ ଲକ୍ଷ୍ମୀଙ୍କ ନାମରେ ଦୁଇ ଗୋଟା ଧାନ ଗଛ ନିକଟସ୍ଥ ଜମିରୁ ଧଳାଧାନ ଗଛ କିଆରୀରୁ ଆଣି ଡାଲା ମଝିରେ ରୋଇ ଦିଅନ୍ତି । କୁଆଁରୀ ଝିଅମାନେ ପୁତ, ପବିତ୍ର ହୃଦୟରେ ଖଟୁଲି ଓ ଧାନଗଛରେ ଗାଧୋଇ ସାରି ଓଦା ଲୁଗାରେ ପିଠଉ, ସିନ୍ଦୁର, କଜ୍ଜଳ ଲଗାଇ ଅରୁଆ ଚାଉଳ, ଦୁବଘାସ, ଫୁଲ ଚନ୍ଦନ ସିଞ୍ଚô ପୂଜା କରନ୍ତି ଏବଂ ବନ୍ଦାପଣା ପରେ ଗୀତ ବୋଲନ୍ତି । “ଇତି ଇତି ଯାୱା, କିଆ କିଆ ଯାୱା”? “ଯାଉଲମା ଯାଉଲମା ଧାନ ବହୁଲା” । ଅର୍ଥାତ୍ ଏମିତି ଏମିତି ଯାୱା କଣ କଣ ଯାୱା କାଜୁଆ । ଉତ୍ତର- ଯାଉଲମା ବହୁତ ଧାନ ହୋଉ ।
ଗାଁର ସମସ୍ତ ଲୋକମାନେ ଆସିବା ପରେ କରମ୍ ଡାଳ ଆଣିବାକୁ ଜଙ୍ଗଲକୁ ଯାଆନ୍ତି । କରମ୍ ଗଛ ବା କୟମ ଗଛ ତଳେ ପୂଜା ବିଧି ସାରି ତିନି ଚେଙ୍ଗା ବିଶିଷ୍ଟ ଡାଳକୁ ମାଦଳ, ଧୁମସା ବଜେଇ ନାଚି ନାଚି ସେହି ଡାଳକୁ ଘରକୁ ଆଣି ମଣ୍ଡପରେ ସ୍ଥାପନ କରାଯାଇଥାଏ । ତା ପରେ କୁଆଁରୀ ଝିଅମାନେ ଯାୱା ଡଲାଟିକୁ କରମ୍ ଡାଳ ତଳେ ରଖି ସେହି ଡାଳର ଚାରିପାଖରେ ତିନି ଥର ଗୀତ ଗାଇ ନାଚି କରି ବୁଲନ୍ତି । ପୂଜା ବିଧି ସମର୍ପଣ ପରେ କର୍ମୁ ଧର୍ମୁ ଦୁଇ ଭାଇଙ୍କ କାହାଣୀ କୁହାଯାଇଥାଏ । କରମ୍ କାହାଣୀରେ କୁହାଯାଇଥାଏ- “କେଉଁଠି ପାଇବା ବ୍ରାହ୍ମଣ ଓ ବୈଷ୍ଣବ”? “ତୁମେ ହିଁ ବ୍ରାହ୍ମଣ, ତମେ ହିଁ ବୈଷ୍ଣବ” । ଏହାପରେ ନାଚଗୀତରେ ରାତିସାରା ସବୁ ଲୋକ ମସ୍ଗୁଲ୍ ହୋଇଥାଆନ୍ତି ।
ଏହି କରମ୍ ପୂଜାର ପରଦିନ ସକାଳୁ ବାର କରିଥିବା ବାରୁୱାତିର ମାତା କାନ୍ଥରେ ଜଡା ପତ୍ର ଡେମ୍ଫରେ ଚୂନାପାଣି ସାହାଯ୍ୟରେ ଛାପ ଦେଇ ଛାପ ଉପରେ ସିନ୍ଦୁର ଟୀକା ଦେଇଥାଆନ୍ତି । ସେହି କରମ୍ ଡାଳକୁ, “ଆଜ୍ ରେ କରମ୍ ରାଜା ଘରେ ଦୁଆରେ, କାଲ୍ରେ କରମ୍ ରାଜା ସାତ୍ ସମୁନ୍ଦ୍ର ପାରେ” ଗାଇ ନାଚି କରି ସବୁ ଲୋକ ଭସାଇବା ପାଇଁ ନଦୀ ତୋଠକୁ ଯାଇଥାଆନ୍ତି । ନଦୀ ତୋଠରେ ସେହି ଭଳି ବାରୁୱାତିମାନେ ଜହ୍ନି ପତ୍ରରେ, ଶାଳ ଦାନ୍ତକାଠିରେ ହଳଦୀ ଦେଇ ପୂର୍ବ ଆଡକୁ ଉଦିତ ସୂର୍ଯ୍ୟଙ୍କୁ ଚାହିଁ ତିନି ଥର ତେଲ-ସି-ହ-ରୀ କହି ପ୍ରଣାମ କରନ୍ତି । ସ୍ନାନ ସାରି ତିନି ଚେଙ୍ଗା ବିଶିଷ୍ଟ ଧାନ ଗଛଟିଏ ଆଣି ଘରେ ଛପା ମରା ହୋଇଥିବା କାନ୍ଥ ପାଖରେ ରଖି ସାରୁ ପତ୍ରର ଓଲଟା ପଟରେ ପାନ୍ନା ଭୋଗ ଲଗାଇଥାଆନ୍ତି । ଏହି କରମ୍ ପୂଜା ଶେଷରେ କୁଡୁମୀ ଜାତିର ଲୋକମାନେ ଗୋଟିଏ ବନ୍ଦଣା ଗୀତ ଗାଇ ଏହାକୁ ଶେଷ କରିଥାଅନ୍ତି ।
