Odisha news

ଅନ୍ଧାରୀ ନାଳର ଅନ୍ଧାରୀ ରାଜ , ପୂର୍ତ୍ତବିଭାଗ ରାସ୍ତାର ଗମନାଗମନ ଦାୟୀତ୍ୱ ମୁଣ୍ଡାଇଛି : ଆରଡି ରାସ୍ତା

0

ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ପୂର୍ତ୍ତ ଉପଖଣ୍ଡ ଅଧୀନ ବୈଶିଙ୍ଗା ମାଣତ୍ରୀ ଏମଡିଆର-୭୦ ରାସ୍ତାଟିକୁ ନିର୍ମାଣ ପାଇଁ ଠିକାଦାର ପ୍ରହ୍ଲାଦ ଚରଣ ବାଗ ଖୋଳି ଦେଇ ଥିଲେ । ଏବେ ସାମାନ୍ୟ ବନ୍ୟା ପାଣି ଆସିବା ଦ୍ୱାରା ଏହି ରାସ୍ତାଟି ପାଣିରେ ବୁଡି ଯିବା ସହିତ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏହି ଘଟଣାକୁ ଦୀର୍ଘ ତିନି ଦିନ ବିତି ଯାଇ ଥିଲେ ମଧ୍ୟ ସଂପୃକ୍ତ ଠିକାଦାରଙ୍କର ଘଟଣାସ୍ଥଳରେ ଦେଖା ନାହିଁ । ଏହା ବ୍ୟତୀତ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀ ଆଲୋକ ମହାନ୍ତି, ଉପଖଣ୍ଡ ଯନ୍ତ୍ରୀ ଗୌରାଙ୍ଗ ଚରଣ ମାହାର୍ଣ୍ଣା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି ଫେରି ଥିଲେ ମଧ୍ୟ ଲୋକଙ୍କ ଯାତାୟତ ପାଇଁ କୌଣସି ବିକଳ୍ପ ବାହାର କରି ନପାରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ହଜାର ହଜାର ଲୋକଙ୍କର ଗମନାଗମନ, ବସ, ଟେମ୍ପୋ, ଟ୍ରକ, ପିକଅପ ଇତ୍ୟାଦି ଯାନ ବାହାନ ଏହି ମୁଖ୍ୟ ରାସ୍ତା ଦେଇ ଯିବା ଆସିବା କରୁ ଥିବା ବେଳେ ସେଗୁଡିକ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସାମ୍ବାଦିକ ମାନେ ଏଠାରେ ପୋଲର ଆବଶ୍ୟକତାକୁ ନେଇ ବାରମ୍ବାର ଖବର ପ୍ରକାଶ କରିବା ସହିତ ପରିଦର୍ଶନରେ ଆସି ଥିବା ସଚିବ ଓ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହି ପୋଲ ନିର୍ମାଣ ପାଇଁ ୧୦ କୋଟି ଟଙ୍କା ମଞ୍ଜୁରୀ ପାଇ ଥିଲା ।

ଏବେ ଅଧାପନ୍ତରିଆ ପୋଲ ଦ୍ୱାରା ଲୋକ ମାନେ ହନ୍ତସନ୍ତ ହେଉ ଥିବାରୁ ଏହାକୁ ନେଇ ବରିଷ୍ଠ ସାମ୍ବାଦିକ ଅଜୟ କୁମାର କର, କାର୍ତ୍ତିକ ଚନ୍ଦ୍ର ବିଶ୍ୱାଳ, ସର୍ବେଶ୍ୱର ମହାନ୍ତ, ହରିଶ୍ଚନ୍ଦ୍ର ସାମଲ ପ୍ରମୁଖ କ୍ଷୋଭ ପ୍ରକାଶ କରିଛନ୍ତି । ଉଭୟ ବିଭାଗ ଓ ଠିକାଦାରଙ୍କ ଦାୟୀତ୍ୱ ହୀନତାକୁ ସମାଲୋଚନା କରା ଯାଇଛି । ତେବେ ପୂର୍ତ୍ତ ବିଭାଗର ଏପରି ଅସହାୟତା ବେଳେ ଲୋକଙ୍କର ଗମନାଗମନ ଦାୟୀତ୍ୱ ତୁଲାଇବ ଶିଳପୁରିଆ-ବୋଧି ଆରଡି ରାସ୍ତା ।

ଏହି ରାସ୍ତାଟିର ପୋଲ କାର୍ଯ୍ୟଟି ହୋଇ ଯାଇ ଥିବାରୁ ଚାରି ଚକିଆ ପର୍ଯ୍ୟନ୍ତ ଯାନ ବଡକ୍ଷୀରପଦା ଛକ ନିଟରୁ ଡାଇଭର୍ସନ ନେଇ ବେଲାଣପୁରା ପର୍ଯ୍ୟନ୍ତ ଯାଇ ପାରିବା । ମୋଟର ସାଇକେଲ, ସାଇକେଲ ଓ ଅନ୍ୟାନ ଦୁଇ/ତିନି ଚକିଆ ମଧ୍ୟ ଏହି ରାସ୍ତା ଦେଇ ଯାଇ ପାରୁ ଥିବାରୁ ଲୋକଙ୍କର ଏହି ରାସ୍ତା ଏବେ ମୁଖ୍ୟ ଭରସା ହୋଇଛି । ଗତକାଲି ବଡସାହି ବିଧାୟକ ସନାତନ ବିଜୁଳି ତୁରନ୍ତ ପାଣି ନିଷ୍କାସନ ଓ ବିକଳ୍ପ ବ୍ୟବସ୍ଥା ପାଇଁ ଚେତାବନୀ ଦେଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ହୋଇ ନଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୁଷ୍ଟି ଦେଖା ଦେଇଛି । ଅନ୍ୟ ପକ୍ଷରେ ଏପରି ସମସ୍ୟା ଲାଗି ରହିଲେ ବିଜେପି ଓ ବିଜେପି ଯୁବ ମୋର୍ଚ୍ଚା ରାଜରାସ୍ତାକୁ ଉହ୍ଲାଇବ ବୋଲି ଚେତାବନୀ ଦିଆ ଯାଇଛି ।

Leave A Reply