Odisha news

ବିଭାଗୀୟ ଅନୁକମ୍ପା ପାଉଛନ୍ତି ଠିକାଦାର : ବିଭାଗୀୟ ଯନ୍ତ୍ରୀଙ୍କ ଉପରେ ବର୍ଷିଲେ ସାଂସଦ ଓ ବିଧାୟକ , ଠିକାଦାର ଖୋଳି ପକାଇ ଦେବାରୁ ଏବେ ଅନିଶ୍ଚିତତା ଭିତରେ ବୈଶିଙ୍ଗା ମାଣତ୍ରୀ ଯୋଗାଯୋଗ ବ୍ୟବସ୍ଥା

0

ବେତନଟୀ,  : ବେତନଟୀ ପୂର୍ତ୍ତ ଉପଖଣ୍ଡ ଅଧୀନ ବୈଶିଙ୍ଗା ମାଣତ୍ରୀ ଏମଡିଆର-୭୦ର ଅନ୍ଧାରୀନାଳ ନିକଟରେ ଲଘୁଚାପ ବର୍ଷା ପାଣି ଏକତ୍ରିତ ହେବା ଫଳରେ ଏହା ବୈଶିଙ୍ଗା ମାଣତ୍ରୀ ଯୋଗାଯୋଗକୁ ବିଚ୍ଛିନ୍ନ କରିଛି । ଗତକାଲି ଠାରୁ ଏହି ରାସ୍ତାଟି ବୁଡି ରହି ଯୋଗାଯୋଗ ବିଚ୍ଛିନ୍ନ କରି ଥିବା ବେଳେ ଆଜି ମଧ୍ୟ ଅନୁରୁପ ପାଣି ଭର୍ତ୍ତି ହୋଇ ରହିଛି । ବିଶେଷ କରି ଏଠାରେ ନିର୍ମାଣ ହେଉ ଥିବା ପୋଲର ଠିକାଦାର ଜନ ସାଧାରଣଙ୍କ ଯିବା ଆସିବାର ବିକଳ୍ପ ବ୍ୟବସ୍ଥା ନକରି ପୋଲ ପାଇଁ ରାସ୍ତା ପାଶ୍ୱର୍ ଖୋଳି ଦେଇଛନ୍ତି । ଅନ୍ୟ ପକ୍ଷରେ ମୁଖ୍ୟ ପୋଲର ଚଟ୍ଟାଣ ଉପରେ ରଡ ବାନ୍ଧି ଏହାକୁ ମଧ୍ୟ ଅଧାପନ୍ତରିଆ କରି ପକାଇ ଥିବାରୁ ଏହା ଲୋକ ମାନଙ୍କ ପାଇଁ ଗମନାଗମନର ବାଧକ ସହିତ ବିପଦ ଶଙ୍କୁଳ ହୋଇ ପଡିଛି । ଏହା ଦ୍ୱାରା ହଜାର ହଜାର ଲୋକ ଯିବାଆସିବା ପାଇଁ ହନ୍ତସନ୍ତ ହେଉ ଥିବାର ଜଣା ପଡିଛି । ଡଙ୍ଗାଡିହା-ଉଦଳା-ମାଣତ୍ରୀ-ବୈଶିଙ୍ଗା ଠାରୁ ରୁପସା ପର୍ଯ୍ୟନ୍ତ ଏହି ରାସ୍ତାଟି ଲୋକଙ୍କ ପାଇଁ ପ୍ରମୁଖ ଗମନାଗମନର ମାଧ୍ୟମ ହୋଇ ଥିବା ବେଳେ ଏହି ରାସ୍ତାଟି ସାମାନ୍ୟ ବନ୍ୟା ପାଣି ପାଇଁ ଯୋଗାଯୋଗ ବିଚ୍ଛିନ୍ନ ହେବା ଏବେ ଲୋକଙ୍କର ଅସନ୍ତୁଷ୍ଟିର କାରଣ ହୋଇଛି ।

ଶହ ଶହ ଲୋକ ପୂର୍ତ୍ତ ବିଭାଗର ଜନ ସାଧାରଣଙ୍କ ପ୍ରତି ଏପରି ଅବହେଳାକୁ ନିନ୍ଦା କରିଛନ୍ତି । ଘଟଣା ଜାଣିବା ପରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଆଲୋକ ମହାନ୍ତି ଘଟଣା ସ୍ଥଳକୁ ଆସି ଦେଖି ଥିଲେ । ଲୋକ ମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନକରି କେବଳ ନିଜର ପରିଦର୍ଶନ ଦାୟୀତ୍ୱ ଦେଖି ଫେରି ଯାଇ ଥିଲେ । ଏହି ରାସ୍ତା ଉପରେ ଯେ କେତେ ଲୋକ ନିର୍ଭରଶୀଳ ସେକଥାକୁ ନିର୍ବାହୀ ଯନ୍ତ୍ରୀ ଅନୁଧ୍ୟାନ କରିବାକୁ ଭୁଲି ଗଲେ । ଦୀର୍ଘ ୪୮ ଘଣ୍ଟା ବିତିବା ପରେ ଆଜି ମୟୂରଭଞ୍ଜ ସାଂସଦ ଇଂ. ବିଶେଶ୍ୱର ଟୁଡୁ ଓ ବଡସାହି ବିଧାୟକ ସନାତନ ବିଜୁଳିଙ୍କ ପାଖରେ ବିଭିନ୍ନ ପଞ୍ଚାୟତର ଜନ ସାଧାରଣ ନଡପୁର ପଟୁ ବୁଲି ପହଞ୍ଚି ଅଭିଯୋଗ କରି ଥିଲେ । ଗତ ଜାନୁଆରୀ ମାସରେ ଏହି ପୋଲ କାମ ପୂର୍ଣ୍ଣ ହେବା କଥା କିନ୍ତୁ ଠିକାଦାରର ଅବହେଳା ହେତୁ ଏହା ସମ୍ପୂର୍ଣ୍ଣ ହୋଇ ନଥିବାରୁ ଏବେ ଲୋକ ମାନେ ଯାତାୟାତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବୋଲି ଅଭିଯୋଗ କରି ଥିଲେ ।

ଠିକାଦାରଙ୍କୁ ବିଭାଗ ତରଫରୁ ସୁରକ୍ଷା ଦିଆ ଯାଉଛି ବୋଲି ଲୋକେ ଅଭିଯୋଗ କରି ଥିଲେ । ଘଟଣାକୁ ନେଇ ବିଧାୟକ ସନାତନ ବିଜ୍ୁଳି ସାଂସଦ ଇଂ. ବିଶେଶ୍ୱର ଟୁଡୁଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବେତନଟୀ ଉପଖଣ୍ଡ ଅଧିକାରୀ ଇଂ. ଗୌରାଙ୍ଗ ମାହାର୍ଣ୍ଣାଙ୍କୁ ଯୋଗଯୋଗ କରି ଏହି ରାସ୍ତାରୁ ପାଣି ନିଷ୍କାସନ କରିବା ସହିତ ଲୋକଙ୍କ ପାଇଁ ଯାତାୟତର ବିକଳ୍ପ ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦେଇ ଥିଲେ । ଘଟଣା ସର୍ମ୍ପକରେ ପଚାରିବାରେ ଉପଖଣ୍ଡ ଅଧିକାରୀ ଗୌରାଙ୍ଗ ଚରଣ ମାହାର୍ଣ୍ଣା ଠିକାଦାରର ଚୁକ୍ତି ଗତ ଜାନୁଆରୀରେ ଶେଷ ହୋଇ ଯାଇ ଥିବାର ସୂଚନା ଦେଇ ଥିଲେ । ଠିକାଦାର କାର୍ଯ୍ୟ କରିବାକୁ ଅଧିକ ସମୟ ମାଗିବାରୁ ତାଙ୍କୁ ଇଓଟି ପ୍ରଦାନ କରା ଯାଇଛି । ତେବେ ବର୍ଷା ଦିନ ଆସୁ ଥିବାର ଜାଣି ମଧ୍ୟ ବିଭାଗ ଲୋକଙ୍କ ପାଇଁ ବିକଳ୍ପ ଯାତାୟତ ପଥର ବ୍ୟବସ୍ଥା କରି ନାହିଁ କାହିଁକି ବୋଲି ଏବେ ପ୍ରଶ୍ନ ଉଠୁଛି । ଠିକାଦାରକୁ କାହିଁକି ବିଭାଗୀୟ ଅନୁକମ୍ପା ଦେଖା ଯାଉଛି ସେନେଇ ଏବେ ପ୍ରଶ୍ନ ଛିଡା ହୋଇଛି ।

Leave A Reply