ଵ୍ରହ୍ମପୁର ୩୦/୫- ଟାଉନଥାନା ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଏକ ବାରରେ ରବିବାର ସନ୍ଧ୍ୟାରେ ଦୁଇ ଗୋଷ୍ଟି ମଧ୍ୟରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ଦୁଇଟି ମାମଲା ରୁଜୁ କରିଛି। ଗୋଟିଏ ଗୋଷ୍ଠିର ଯୁବକ ମାନେ ଅନ୍ୟ ଏକ ଗୋଷ୍ଠିର ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ପୋଲିସ ଏନେଇ ୧୩୪ /୨୨ରେ ଏକ ମାମଲା ରୁଜୁ କରିଥିଲା।ସେହିପରି ଅନ୍ୟ ଗୋଷ୍ଠିର ଅଭିଯୋଗ କ୍ରମେ ପୋଲିସ ୧୩୬/୨୨ ରେ ଆଉ ଏକ ମାମଲା ରୁଜୁ କରିଥିଲା। ମାମଲା ନମ୍ବର ୧୩୪/୨୨ରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଗେଟବଜ଼ାର କେନାଲ ସାହିର ଲିଙ୍କନ ନାଇକ(୧୯)ଓ ହାଉସିଂବୋର୍ଡ଼ ଅଞ୍ଚଳର ମନୋଜ କୁମାର ମହାନ୍ତି (୨୧)। ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ କହିଛି।
ପୂର୍ବଶତ୍ରୁତାରୁ ଦୁଇ ଗୋଷ୍ଟି ମୁହାଁମୁହିଁ ହେବାରୁ ଏହି ଗଣ୍ଡଗୋଳ ଘଟିଥିଲା ବୋଲି ପୋଲିସ କହିଛି।ସେହିପରି ଘଟଣାରେ ବ୍ୟବହୃତ କାର ଓ ମୁଖ୍ୟ ଅଭିଯୁକ୍ତ ଏବେ ଫେରାର ଥିବା ପୋଲିସ କହିଛି। ପ୍ରକାଶ ଯେ ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ଚାଞ୍ଚଢାପଢ଼ିଆ ସାହିର ସୁକାନ୍ତ କୁମାର ସାମନ୍ତରା ତାଙ୍କର କିଛି ସାଙ୍ଗଙ୍କ ସହ ନିଶା ସେବନ ପାଇଁ ଉପରୋକ୍ତ ବାର’କୁ ଯାଇଥିଲେ। ସେମାନେ ନିଶା ସେବନ କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠିର କେତେକ ଯୁବକଙ୍କ ସହ ନିଶା ସେବନକୁ କେନ୍ଦ୍ରକରି ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହି ଯୁକ୍ତିତର୍କ ଉଗ୍ରରୂପ ନେଇଥିଲା। ଗୋଟିଏ ଗୋଷ୍ଠିର ଯୁବକ ମାନେ ଅନ୍ୟ ଏକ ଗୋଷ୍ଠିର ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ସୁକାନ୍ତ ସମାନ୍ତରା ଓ ବାବୁ ବାରିକ ଆହତ ହୋଇଥିଲେ। ପରେ ସୁକାନ୍ତଙ୍କ ଅଭିଯୋଗ କ୍ରମେ ପୋଲିସ ୧୩୪/୨୨ ରେ ଏକ ମାମଲା ରୁଜୁ କରିଥିଲା ବୋଲି କହିଛି।
