ବ୍ରହ୍ମପୁର, ୨୮୯ ସାଇବର ଅପରାଧ ଏବେ ଏକ ଚିନ୍ତା ଜନକ ବିଷୟ ପାଲଟିଛି। ସମ୍ପ୍ରତି ଅଣ ଶିକ୍ଷିତ ଠାରୁ ଶିକ୍ଷିତ ସମସ୍ତେ ସାଇବର ଠକେଇର ଶିକାର ହେଉଛନ୍ତି।
ସାଇବର ଠକଙ୍କ ଠାରୁ ସୁରକ୍ଷିତ ରହିବା ପରେ ରାଜ୍ୟବ୍ୟାପି ସାଇବର ସୁରକ୍ଷା ଅଭିଯାନ କରାଯାଉଛି । ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଆସନ୍ତା ୨ରୁ ଗାନ୍ଧୀ ଜୟନ୍ତୀ ରୁ ୧୪ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ କରାଯିବ । ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗରେ ସଚେତନ କରିବାକୁ ବ୍ରହ୍ମପୁର ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିବା ନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି ଡା.ସବଣା ବିବେକ ଏମ୍ କହିଛନ୍ତି। ବହୁ ପ୍ରକାର ସାଇବର ଅପରାଧ ରହିଛି । ସେଥୁରୁ ଆମେ ବର୍ତ୍ତିବା ପାଇଁ ସଚେତନ ହେବାକୁ ପଡିବ।
ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅଦୃଶ୍ୟ ଜାଲରେ ଲୋକମାନଙ୍କୁ ଫଶୀଇ ଦେଉଛନ୍ତି ଏହି ଅପରାଧୀ ମାନେ। ଆଗକୁ ହେବାକୁ ଥିବା ସଚେତନତା କାର୍ଯ୍ୟକ୍ରମରେ ସମସ୍ତ ବର୍ଗକୁ ସାମିଲ କରାଯିବ । ଅନ୍ୟପକ୍ଷରେ ଚାକିରି ଏବଂ ଟଙ୍କା ରୋଜଗାରର ମାଧ୍ୟମ ଦେଖାଇବା ସହ ବହୁ ପକ୍ରିୟାରେ ସାଇବର ଠକ ମାନେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିଦେଉଛନ୍ତି । ସେଥପ୍ରତି ଆମେ ସଚେତନ ରହିବାକୁ ହେବ । ଟୋଲ ଫ୍ରି ନମ୍ବର ୧୯୩୦ରେ ସଙ୍ଗେ ସଙ୍ଗେ ଫୋନ କଲେ ଟଙ୍କା ଫେରି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଏସ୍ପି କହିଥିଲେ । ଏହି ଅବସରରେ ଏକ ରଥ ମଧ୍ୟ ବାହାରିବ । ଉକ୍ତ ରଥଟି ଜିଲ୍ଲାର ବିଭିନ୍ନ ଜାଗା ବୁଲି ଲୋକମାନଙ୍କୁ ସଚେତନ କରିବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ବିଏମ୍ସି କମିଶନର ଜେ. ସୋନାଲ୍ କହିଥିଲେ, ସାଇବର ଠକ ମାନେ ବଡ଼ ବଡ଼ ଅଫିସର ମାନଙ୍କ ସୋସିଆଲ୍ ମିଡ଼ିଆ ଆକାଉଣ୍ଟକୁ ହ୍ୟାକ୍ କରି ଲୋକଙ୍କୁ ଟଙ୍କା ମାଗୁଛନ୍ତି। ସାଇବର ଅପରାଧୀଙ୍କ ଠାରୁ ବର୍ତ୍ତିବା ପାଇଁ ନିଜେ ଓ ଅନ୍ୟ ମାନଙ୍କୁ ସଚେତନ କରାଇବା ଆବଶ୍ୟକ । ସମସ୍ତଙ୍କ ଦାୟିତ୍ଵ ଭାବି ଆମେ ସାଇବର ସୁରକ୍ଷା ଅଭିଯାନରେ ଲୋକଙ୍କୁ ସଚେତନ କରିବା ବୋଲି ସେ ପରାମର୍ଶ ଦେଇଥିଲେ ।
