Odisha news

ସାଇବର୍‌ ଠକଙ୍କ ଜାଲରେ ସାଧାରଣ ଲୋକ : ୭ ମାସରେ ଲୁଟି ନେଲେଣି କୋଟିଏ ଟଙ୍କା

0

ଵ୍ରହ୍ମପୁର, ୨୪/୭-  ସାଇବର୍‌ ଠକ ନିଜର ମାୟା ଜାଲରେ ସାଧାରଣ ଲୋକଙ୍କୁ ଫସାଇ ନିରୀହ ଲୋକଙ୍କୁ ଠକି ଚାଲିଛନ୍ତି। ନୂଆ ନୂଆ ତରିକା ଅପଣେଇ ଲୋକଙ୍କ ବିଶ୍ବାସ ହାସଲ କରି ଲୁଟୁଛନ୍ତି। ଜିଲା ତଥା ବ୍ରହ୍ମପୁର ସହରରେ ବାରମ୍ବାର ଏଭଳି ଘଟଣା ନଜରକୁ ଆସୁଛି। ଚଳିତ ବର୍ଷ ଜୁଲାଇ ୨୨ ତାରିଖ ସୁଦ୍ଧା ସାଇବର୍‌ ଠକ ୧୯ ଗୋଟି ଠକେଇ କରି ଜନସାଧାରଣଙ୍କ ଠାରୁ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ସାରିଲେଣି। ଯାହାକି ଏବେ ଚିନ୍ତାର ବିଷୟ ହୋଇଛି। ବିଟ୍‌ କଏନ୍‌ ଓ କ୍ରିପ୍ଟୋ କରେନ୍ସିରେ ବିନିଯୋଗ କଲେ ଅଧିକ ଲାଭର ଲୋକ ଦେଖାଇ ସାଇବର୍‌ ଠକ ଲକ୍ଷାଧିକ ଟଙ୍କା ଲୁଟି ସାରିଲେଣି। ବ୍ରହ୍ମପୁର ସହରରେ ଚଳିତ ମାସ ଏଭଳି ତିନୋଟି ବଡ଼ଧରଣର ଠକେଇ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ମାମଲାରେ  ଜଣେ ମହିଳା ବିଟ କଏନ ଲୋଭରେ ପଢି ଜୁଲାଇ ୧୦ ତାରିଖରେ ଗାନ୍ଧିନଗର ଅଞ୍ଚଳର ଜଣେ ମହିଳା ୨ଲକ୍ଷ ୭୨ହଜାର ଟଙ୍କା ହରାଇଥିଲେ। ସେହିପରି  ଜୁଲାଇ ୧୫ ତାରିଖରେ ବିଟ କଏନ ଲୋଭରେ ପଢି  ଦିଗପହଣ୍ଡି ବ୍ଲକ କୁଶପଢା ଗ୍ରାମର ଜଣେ ଯୁବକ ୧୧ଲକ୍ଷ ୪ହଜାର ୪୦୧ ଟଙ୍କା ହରାଇଥିଲେ। ସେହିଭଳି ଜୁଲାଇ ୧୭ ତାରିଖରେ ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ଗଣେଶ ନଗର ଅଞ୍ଚଳର ଜଣେ ବ୍ୟକ୍ତି ବିଦେଶୀ ବନ୍ଧୁ ପାଖରୁ ଉପହାର ପାଇବା ଲାଳସା ରେ ୨ଲକ୍ଷ ୫ହଜାର ଟଙ୍କା ହରାଇଥିଲା। ସେହିଭଳି ଗତ ଜୁନ ମାସରେ  ଜଣେ ଯୁବତୀ ୧୭ଲକ୍ଷ ଟଙ୍କା ହରାଇଥିବା ବେଳେ ଆଉ ଏକ ମାମଲାରେ ଅନ୍‌ଲାଇନ୍‌ରେ ରୋଜଗାର ଲୋଭରେ ପଡ଼ି ଜଣେ ଡାକ୍ତର ୧୭ଲକ୍ଷ ୮୨ହଜାର ଟଙ୍କା ହରାଇଥିଲେ।

ସାଇବର୍‌ ଠକ ପ୍ରଥମେ ଫୋନ୍‌ କରି ଲୋକଙ୍କ ବିଶ୍ବାସ ହାସଲ କରୁଛନ୍ତି। ନିଜକୁ ବ୍ୟାଙ୍କ ଅଧିକାରୀ, ବିଭିନ୍ନ ସଂସ୍ଥାର ଅଧିକାରୀ ପରିଚୟ ଦେଉଛନ୍ତି। ଏପରିକି ଅନ୍‌ଲାଇନ୍‌ରେ ରୋଜଗାର ସମ୍ପର୍କିତ ବିଭିନ୍ନ ଲୋଭନୀୟ ଅଫର୍‌ ଦେଉଛନ୍ତି। ସାଇବର୍‌ ଠକଙ୍କ ଚିକ୍କଣ କଥାରେ ପଡ଼ି ଲୋକେ ଲକ୍ଷାଧିକ ଟଙ୍କା ହରାଉଛନ୍ତି। ସେହିପରି ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରିବା ଓ ଏନିଡେସ୍କ୍‌ ଡାଉନ୍‌ଲୋଡ୍‌ କଲେ ମଧ୍ୟ ଟଙ୍କା କଟି ଯାଉଛି। ଏ ନେଇ ପୁଲିସ ତରଫରୁ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି। ହେଲେ ସାଇବର୍‌ ଠକଙ୍କ ଜାଲରେ ପଡ଼ି ଲୋକେ ଟଙ୍କା ହରାଇ ଚାଲିଛନ୍ତି। ଗତ ଜାନୁଆରି ମାସରେ ୩ଟି ସାଇବର୍‌ ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଗୋଟିଏ ମାମଲାରେ ସର୍ବାଧିକ ୪ଲକ୍ଷ ୮୨ହଜାର ଟଙ୍କା ଲୁଟେରା ଲୁଟି ନେଇଥିଲେ। ବିଦେଶୀ ମୁଦ୍ରା ଲୋଭରେ ପଡ଼ି ଜଣେ ମହିଳା ଏଭଳି ଠକେଇର ଶିକାର ହୋଇଥିଲେ। ସେହିପରି ମାର୍ଚ୍ଚ ମାସରେ ଏକ କୋରିଅର୍‌ରେ ସାମଗ୍ରୀ ପଠାଇବା ବେଳେ ଏକ ଅଜଣା ଲିଙ୍କ୍‌ରେ କ୍ଲିକ୍‌ କରି ୨ଲକ୍ଷ ୬୭ହଜାର ଟଙ୍କା ଠକେଇ ହୋଇଥିଲେ। ଏପ୍ରିଲ୍‌ ମାସରେ ବିଟ୍‌କଏନ୍‌ରେ ବିନିଯୋଗ କରିଥିବା ମାଚ୍ୟୁରିଟି ଟଙ୍କା ଫେରସ୍ତ କରିବା ବାହାନାରେ ସାଇବର୍‌ ଠକ ଜଣେ ଯୁବକଙ୍କ ଠାରୁ ୮ଲକ୍ଷ ଟଙ୍କା ଠକେଇ କରିଥିଲେ। ମେ’ ମାସରେ ମଧ୍ୟ ଦୁଇଟି ଠକେଇ ହୋଇଥିଲା। ଅନ୍‌ଲାଇନ୍‌ରେ ସାମଗ୍ରୀ ମଗାଇ ଜଣେ ବ୍ୟବସାୟୀ ୭ଲକ୍ଷ ୭୫ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ। ଏଭଳି ବିଭିନ୍ନ ଉପାୟରେ ସାଇବର୍‌ ଠକ ଠକି ଚାଲିଛନ୍ତି। ସେହିପରି ଛତ୍ରପୁର ଓ ବେଗୁନିଆପଡ଼ାରେ ଅନ୍‌ଲାଇନ୍‌ ସାମଗ୍ରୀ କ୍ରୟ ଓ ଏନଡେସ୍କ ଡାଉନ୍‌ଡୋଲ୍‌ କରି ଦୁଇଜଣ ଯୁବକ ପ୍ରାୟ ୧ଲକ୍ଷ ୩୦ହଜାର ଟଙ୍କା ହରାଇଥିଲେ।

ସାଇବର୍‌ ଥାନା ପୋଲିସ ଏଭଳି ମାମଲାର ତଦନ୍ତ କରୁଛି। ଯେଉଁ ଆକାଉଣ୍ଟ୍‌କୁ ଟଙ୍କା ଯାଇଥିଲା ତାହା ମଧ୍ୟ ଠାବ କରୁଛି। ହେଲେ ଯେଉଁ ବ୍ୟକ୍ତିଙ୍କ ନାମରେ ବ୍ୟାଙ୍କ ଖାତା ରହୁଛି ତାହା ନକଲି ବୋଲି ଜଣାପଡ଼ୁଛି। ଜଣଙ୍କ ନାମରେ ବ୍ୟାଙ୍କ ଖାତା ରହୁଥିବା ବେଳେ ତାହା ଅନ୍ୟ ଜଣେ ଅପରେଟ୍‌ କରୁଛି। ଲୋକଙ୍କ ଆକାଉଣ୍ଟ୍‌ରୁ ସେହି ଜାଲ୍‌ ଖାତାକୁ ଟଙ୍କା ଟ୍ରାନ୍ସଫର୍‌ ହେବା ପରେ ସାଇବର୍‌ ଠକ ତୁରନ୍ତ ତାହା ଉଠାଇ ଦେଉଛନ୍ତି। ଫଳରେ ପୁଲିସ ତଦନ୍ତ ବେଳେ ଅସଲି ଲୁଟେରାକୁ ଠାବ କରିପାରୁ ନାହିଁ। ବିଭିନ୍ନ ଲୋକଙ୍କ ନାମରେ ଏଭଳି ଶହଶହ ଜାଲ୍‌ ଆକାଉଣ୍ଟ୍‌ ଖୋଲି ସାଇବର୍‌ ଠକ ତାଙ୍କର କାରବାର ଜାରି ରଖିଛନ୍ତି। ଏ ସମ୍ପର୍କରେ ଏଏସ୍‌ପି ରମେଶଚନ୍ଦ୍ର ସେଠୀ କହନ୍ତି, କେତେ ‌କ୍ଷେତ୍ରରେ ଟଙ୍କା ଫେରାଇ ଅଣାଯାଇଛି। ଟଙ୍କା କଟିବାର ୨୪ଘଣ୍ଟା ମଧ୍ୟରେ ଅଭିଯୋଗ ହେଲେ ସମ୍ପୃକ୍ତ ଆକାଉଣ୍ଟ୍‌କୁ ଫ୍ରିଜ୍‌ କରି ଟଙ୍କା ଫେରସ୍ତ ହୋଇପାରୁଛି ବୋଲି ସେ କହିଛନ୍ତି।

IEC 2 years
Leave A Reply