Odisha news

ଵ୍ରହ୍ମପୁର ମଣ୍ଡଳକାରାଗାରରେ ଜେଲ ଡିଜି କିନ୍ନର କଏଦୀଙ୍କ ୧୦ ବେଡ଼ ବିଶିଷ୍ଠ ୱାର୍ଡ ଉଦ୍‌ଘାଟନ

0

ବ୍ରହ୍ମପୁର, ,୩୧ା୫- ଜେଲ ଡିଜି ଡ଼. ମନୋଜ କୁମାର ଛାବ୍ରା ବୁଧବାର ଦିନିକିଆ ଗସ୍ତରେ ଵ୍ରହ୍ମପୁର ମଣ୍ଡଳକାରାଗାର ଗସ୍ତରେ ଆସିଥିଲେ।  ଏହି ପରିଦର୍ଶନ ସମୟରେ ଜେଲ ପରିସରରେ ଅଧିକ ୧୦୦ ୱାର୍ଡ ବିଶିଷ୍ଟ ଏକ ପ୍ରକୋଷ୍ଠକୁ ଉଦ୍‌ଘାଟନ କରିଥିଲେ। ଏହାସହ କିନ୍ନର କଏଦୀମାନେ ରହିବା ପାଇଁ ଏକ ୧୦ ବେଡ୍‌ ବିଶିଷ୍ଟ ୱାର୍ଡ ଉଦ୍‌ଘାଟନ କରିଥିଲେ।  ଠିକ ସେହିପରି ଜାତୀୟ ସ୍ତରରେ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କଏଦୀମାନଙ୍କୁ ସେ ପୁରସ୍କୃତ କରିଥିଲେ।ଓଡିଶା ସରକାରଙ୍କ ସ୍କିଲ ଡେଭେଲପମେଣ୍ଟ ଅଥରିଟି ଦ୍ବାରା ସମନ୍ବୟ ରକ୍ଷା କରାଯାଇ କଏଦୀମାନଙ୍କୁ ଏସି ମେକାନିକ, ପାଣି ପାଇପ ମେକାନିକ, କମ୍ପ୍ୟୁଟର ତାଲିମ, ମୋବାଇଲ ରିପାରିଂ ,ନୃତ୍ୟ, ଗୀତ, ସଙ୍ଗୀତ ଶିକ୍ଷା ଭୁବନେଶ୍ବର ଓ ଚୌଦ୍ବାର ଜେଲରେ ଆରମ୍ଭ ହୋଇଛି। ଏହାକୁ ମଧ୍ୟ ବ୍ରହ୍ମପୁର ଜେଲରେ ଲାଗୁ କରାଯିବ ବୋଲି ଜେଲ ଡିଜି କହିଥିଲେ। ବ୍ରହ୍ମପୁର ଜେଲର ଅନ୍ତେବାସୀମାନେ ଏଫଏମ୍‌ ରେଡିଓ ପରିଚାଳନା କରିବେ। ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ରେଡିଓ ମାଧ୍ୟମରେ ପରିବେଷିତ ହେବ। ଯାହାକୁ ଲୋକମାନେ ଶୁଣିବାର ସୁଯୋଗ ପାଇବେ। ଜେଲ ଅନ୍ତେବାସୀଙ୍କ ରେଡିଓ ଧୂନ ମତୁଆଲା କରିବ ସ୍ରୋତାଙ୍କୁ। ଏ ନେଇ ଯୋଜନା ହୋଇଛି ଓ ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ଜେଲ ଡିଜି ଡ଼.ଛାବ୍ରା ମତବ୍ୟକ୍ତ କରିଛନ୍ତି। ବୁଧବାର ବ୍ରହ୍ମପୁର ଜେଲ ପରିଦର୍ଶନରେ ଆସି ଡଃ. ଛାତ୍ରା ଏହା କହିଛନ୍ତି।

ସେ କହିଛନ୍ତି ବ୍ରହ୍ମପୁର ଜେଲରେ ଥିବା ଅନ୍ତେବାସୀଙ୍କ ମଧ୍ୟରେ ବହୁବିଧ ଲୁକ୍କାୟତ ପ୍ରତିଭା ରହିଛି। କେତେକ ଅନ୍ତେବାସୀ ଖୁବସୁନ୍ଦର ନୃତ୍ୟ ପରିବେଷଣ କରି ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି। ତେଣୁ ସେମାନଙ୍କ ପ୍ରତିଭାକୁ ଅଧିକ ବିକଶିତ କରିବା ପାଇଁ ଜେଲ ମଧ୍ୟରେ କେତେକ ସଂସ୍କାର କାର୍ଯ୍ୟ କରାଯାଉଛି। ସେମାନେ କିପରି ଏଫଏମ୍‌ ରେଡିଓ ପରିଚାଳନା କରିବେ ସେ ନେଇ ସେମାନଙ୍କୁ ତାଲିମ ଦିଆଯିବ। ଏହାସହ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଏହି ଏଫଏମ୍‌ ମାଧ୍ୟମରେ ପରିବେଷଣ କରାଯିବ ବୋଲି ଡିଜି କହିଛନ୍ତି। ସେ କହିଲେ ଓଡିଶାରେ ୮୭ ଜେଲ ରହିଛି। ବ୍ରହ୍ମପୁର ସର୍କଲ ଜେଲ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଜେଲ। ସବୁ ଜେଲକୁ ଏକ ଦଣ୍ଡ ଗୃହ ବୋଲି ବିଚାର ନ କରି ଏକ ସୁଧାର ଗୃହ ତଥା ଆଶ୍ରମ ଭାବେ ବିଚାର କରାଯାଉ। ଏ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଭୁବନେଶ୍ବର ଜେଲ ଓ ଚୌଦ୍ବାର ଜେଲରେ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯାହା ଫଳରେ କଏଦୀମାନେ ସେମାନଙ୍କ ପ୍ରତିଭାର ବିକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ ଥିବା ବୈଷୟିକ ଜ୍ଞାନର ମଧ୍ୟ ବିକାଶ ହୋଇଛି। ଜେଲରେ ବ୍ୟୁଟି ପାର୍ଲର ତାଲିମ, ହେୟାର ଷ୍ଟାଇଲ, ସ୍ବାସ୍ଥ୍ୟ ସେବା ତାଲିମ ଦିଆଯିବ। ଏହି ପରିଦର୍ଶନ ସମୟରେ ଡିଜି ଡା. ମନୋଜ ଛାବ୍ରାଙ୍କ ସହ ଥିଲେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଜେଲ ଅଧୀକ୍ଷକ ଧୀରେନ୍ଦ୍ରନାଥ ବାରିକ, ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌, ଜେଲର ସତ୍ୟନାରାୟଣ ବେହେରା।

Leave A Reply