ବ୍ରହ୍ମପୁର , ୨୨।୫ – ଵ୍ରହ୍ମପୁର ସହର ସହରତଳି ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁରରୁ ଚଣ୍ଡିପଦର ରାସ୍ତାରେ ଜଣେ ଯୁବକ ଅଜୟ ଭୂୟାଁଙ୍କୁ ଖଣ୍ଡାରେ ଆକ୍ରମଣ କରି ଦୁର୍ବୃତ୍ତ ମାନେ ତାଙ୍କ ବେକରୁ ଏକ ସୁନା ଚେନ୍ ଓ ସାର୍ଟ ପକେଟରେ ଥିବା କିଛି ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଏକ ନମ୍ବରବିହୀନ ଗାଡ଼ିରେ ଆସି ଅଭୟଙ୍କୁ ଆକ୍ରମଣ କରି ତାଙ୍କ ଠାରୁ ସୁନା ଓ ଟଙ୍କା ଲୁଟି ନେଇଥିଲେ ବୋଲି ତାଙ୍କ ବାପ ଲଢୁ ସ୍ୱାଇଁ ଗତ ୧୬ ତାରିଖରେ ନିମଖଣ୍ଡି ଥାନାରେ ଏତଲା ଦେଇଛନ୍ତି। ପୋଲିସ ୧୬୧/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାରୁ ପ୍ରକାଶ ଯେ, , ଚଣ୍ଡିପଦରର ଲଡ଼ୁ କିଶୋର ସ୍ବାଇଁଙ୍କ ପୁଅ ଗତ ୧୫ତାରିଖ ସନ୍ଧ୍ୟାରେ ବ୍ରହ୍ମପୁରରୁ କାମ ସାରି ନିଜ ବାଇକରେ ଘରକୁ ଫେରୁଥିଲେ। ଏକ ନମ୍ବରବିହୀନ ଟିଭିଏସ୍ ଆପାଚି ଗାଡ଼ିରେ ତିନିଜଣ ଦୃବୃତ୍ତ ତାଙ୍କ ଗାଢ଼ି ଅଟକାଇଥିଲେ। ବାପା ନାଁ ଲଡ଼ୁକିଶୋର ସ୍ବାଇଁ ବୋଲି ପଚାରିବାରୁ ସେ ହଁ କହିଥିଲେ। ଏହାପରେ ସେମାନେ ଏକ ଖଣ୍ଡାରେ ତାଙ୍କ ପୁଅକୁ ଆକ୍ରମଣ କରିବାରୁ ବାମ ଗୋଡ଼ରେ ଚୋଟ ପଡ଼ିଥିଲା। ଯାହାଫଳରେ ସେ ଗାଢିରୁ ତଳେ ଖସି ପଡ଼ିଥିଲେ। ତା’ପରେ ସେମାନେ ଅଜୟ ପିନ୍ଧିଥିବା ୧୦ଗ୍ରାମ ଓଜନର ସୁନା ଚେନ୍ ଓ ପକେଟରେ ଥିବା ୪ଶହ ଟଙ୍କା ଝାମ୍ପି ନେଇଥିଲେ। ଏସମ୍ପର୍କରେ କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇ ଫେରାର୍ ହୋଇଯାଇଥିଲେ। ପୁଅର ପ୍ରାଥମିକ ଚିକିତ୍ସା କରାଇ ଲଡ଼ୁକିଶୋର ଏନେଇ ଥାନାରେ ଏତଲା ଦେଇଥିଲେ।