Odisha news

ଏମକେସିଜି ରେଜିଷ୍ଟ୍ରାରଙ୍କ ବଦଳି ପ୍ରତ୍ୟାହାର ଦାବି

0

ବ୍ରହ୍ମପୁର , ୨୦/୪- ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲର ରେଜିଷ୍ଟ୍ରାର ରାଜେନ୍ଦ୍ର ମିଞ୍ଜଙ୍କୁ ଗଜପତି ଜିଲା ଅତିରିକ୍ତ ଜିଲାପାଳ ଭାବେ ବଦଳି ହୋଇଛି। ଏହାକୁ ଓଡିଶା ନର୍ସିଂ ଅଫିସର ଓ କର୍ମଚାରୀ ସଂଘ ଏବଂ  ଆଉଟସୋରସିଂ କର୍ମଚାରୀ ସଂଘ ପକ୍ଷରୁ ବିରୋଧ କରାଯାଇଛି। ଉକ୍ତ ବଦଳି ବାତିଲ ନ ହେଲେ ଆସନ୍ତା୨୧ ରେ ଗଣ ବିକ୍ଷୋଭ ଏବଂ ୨୨ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଉପରୋକ୍ତ ଦୁଇ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସେମାନେ ଏନେଇ ଏମକେସିଜି ମେଡିକାଲ ଅଧିକ୍ଷକଙ୍କୁ ଏସଂକ୍ରାନ୍ତରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉ କି ୧୦ମାସ ତଳେ ରାଜେନ୍ଦ୍ର ମିଞ୍ଜ ଏମକେସିଜି ମେଡିକାଲର ରେଜିଷ୍ଟ୍ରାର ଭାବେ ଯୋଗ ଦେଇଥିଲେ। ସେ ଉଭୟ କର୍ମଚାରୀ ଓ ସାଧାରଣ ଲୋକଙ୍କ ଅଭାବ ଓ ଅସୁବିଧା ବୁଝି ତ୍ୱରିତ ପଦକ୍ଷେପ ନେବା ସହ ସଭିଙ୍କ ପ୍ରିୟଭାଜନ ହୋଇପାରିଛନ୍ତି।ଏଭଳି ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କ ବଦଳି ଆଦେଶ ପ୍ରତ୍ୟାହାର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନର୍ସିଂ ଅଫିସର ସଂଘ ସଭାପତି କନକଲତା ଦାଶ, ସମ୍ପାଦକ ସୁପ୍ରଭା ଦେଉରୀ , ଆଉଟସୋରସିଂ କର୍ମଚାରୀ ସଂଘର ସଭାପତି ସିଏଚ. ସୁନୀଲ ପାତ୍ର , ସମ୍ପାଦକ ଏନ. ନିରଞ୍ଜନ ଦାଶ ଦାବିପତ୍ରରେ ନିବେଦନ କରିଛନ୍ତି। ପ୍ରକାଶ ଥାଉ କି , ରାଜେନ୍ଦ୍ର ମିଞ୍ଜଙ୍କୁ ଅତିରିକ୍ତ ଜିଲାପାଳ ଭାବେ ବଦଳି ହୋଇଥିବା ବେଳେ ଗଜପତି ଅତିରିକ୍ତ ଜିଲାପାଳ ଥିବା ସଂଗ୍ରାମ ପଣ୍ଡା ଙ୍କୁ ଏମକେସିଜି ରେଜିଷ୍ଟ୍ରାର ଭାବେ ବଦଳି କରାଯାଇଛି।

Leave A Reply