ବ୍ରହ୍ମପୁର,୧୩ା୪- ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ଗଣେଶ୍ବର ପତି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ଥ କରିବା ସହ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସାବ୍ୟସ୍ଥ ହୋଇଥିବା ଅଭିଯୁକ୍ତ ହେଲେ ସିମିୟା ମଣ୍ଡଳ। କୋର୍ଟ ଅଭିଯୁକ୍ତକୁ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୭ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେବାକୁ ପଡିବ ବୋଲି ବିଚାରପତି ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ସେହିପରି ପିଡିତାକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା କରିବା ପାଇଁ କୋର୍ଟ ଜିଲା ଆଇନ୍ ସେବା ପ୍ରାଧିକରଣକୁ ନିର୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ୨୦୧୮ ମସିହା ଡିସେମ୍ବର ୬ ତାରିଖର ଘଟଣା। ପାଟପୁର ଥାନା ଅଧିନ ଏକ ଗ୍ରାମରେ ଜଣେ ନାବାଳିକାଙ୍କୁ ଗୁଣ୍ଡୁରିଗୁଡା ଗ୍ରାମର ଅଭିଯୁକ୍ତ ସିମିୟା ମଣ୍ଡଳ ବଳାତ୍କାର କରିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ପାଟପୁର ଥାନାରେ ମାମଲାର ରୁଜୁ ହୋଇଥିଲା। ପାଟପୁର ଥାନା ପୁଲିସ ମାମଲାର ତଦନ୍ତ କରି ଏ ସଂକ୍ରାନ୍ତରେ ଥାନାରେ ୯୩/୨୦୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସିମିୟାକୁ ଗିରଫ କରିଥିଲା। ଏହାପରେ ଅଭିଯୁକ୍ତ ବିରୋଧରେ କୋର୍ଟରେ ଅଭିଯୋଗଫର୍ଦ ଦାଖଲ କରିଥିଲା।
ମାମଲାର ବିଚାର ଚାଲିଥିବା ବେଳେ ୧୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ବିଚାରପତି ପତି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ମୋହନ ସିଂହାରୀ ମାମଲା ପରିଚାଳନା କରୁଥିବା ବେଳେ ଅଭିଯୁକ୍ତଙ୍କ ପକ୍ଷରୁ ବିରେନ୍ ପଟ୍ଟନାୟକ ମାମଲା ଲଢୁଥିଲେ।