ବ୍ରହ୍ମପୁର : ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ୨୧ ଦିନିଆ ଯାତ୍ରା ଗତ ମାସ ୨୫ ତାରିଖ ଠାରୁ ଆରମ୍ଭ ହୋଇ ଥିବା ବେଳେ ଆଜି ଠାରୁ ୧୩ ଦିନିଆ ପୁଞ୍ଜା ର ଯାତ୍ରା ଆରମ୍ଭ ହୋଇଯାଇଛ। ଆଜି ସ୍ଥାନୀୟ ପାଣିଗ୍ରାହୀପେଣ୍ଠ,ହରଡାଖଣ୍ଡୀ, ଲୋଚାପଡା,ପାତାଳେଶ୍ବର,ଗୋସାଇଁନୂଆଁ ଗା,ନୂଆଁ ବସଷ୍ଟେଣ୍ଡ,ବ୍ରଜ ନଗର, ବୋରଗାଁ, ଝାଡାଙ୍କୁଲି, ଆଙ୍କୁଶପୁର,ରାଇଝୋଳ, କୁକୁଡାଖଣ୍ଡୀ, କଞ୍ଚୁଡୁ, ବାରୁ, ଖଣ୍ଡରା ସମେତ ବହୁ ଦଣ୍ଡ ନାଚ ଆଜି ଠାରୁ ଆରମ୍ଭ ହୋଇ ଯାଇଛି। ଜିଲ୍ଲାର ସମସ୍ତ କାଳୀ ମନ୍ଦିର ସମେତ ସମଗ୍ର ଜିଲାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ଦଣ୍ଡ ଯାତ୍ରା ଦଳ ରେ ଶହଶହ ସଂଖ୍ୟାରେ ମାନସିକଧାରୀମାନେ ଭୁକ୍ତା ଭାବରେ ସାମିଲ ହୋଇଛନ୍ତି। ଏମାନେ ଦୀର୍ଘ ୧୩ ଦିନ କାଳ ସ୍ୱତ ବସ୍ତ୍ରକୁ ପରିଧାନକରି ହରଗୌରୀଙ୍କୁ ସଙ୍ଗ ରେ ଧରି ସମଗ୍ର ଜିଲାର ବିଭିନ୍ନ ଗ୍ରାମଗୁଡ଼ିକୁ ଖାଲି ପାଦରେ ଚାଲିଚାଲି ଯାଇ ମାନସିକଧାରୀ ବ୍ୟକ୍ତିଙ୍କ ଦାଣ୍ଡରେ ଟାଣ ଖରାରେ ମଧ୍ୟାହ୍ନରେ ଧୂଳିଦଣ୍ଡ, ପାଣିଦଣ୍ଡ ସନ୍ଧ୍ୟା ସମୟରେ ଆରତି ପରେ ଅର୍ଦ୍ଧରାତ୍ର ରେ ଅଗ୍ନିଦଣ୍ଡ ପରିବେଷଣ କରିବେ। ଏହା ସହ ଧୁଳିଦଣ୍ଡ ପରେ ଭୁକ୍ତାମାନେ ଆମ୍ବପତ୍ରରେ ଦାନ୍ତ ଘଷିବା ପରେ ପାଣି ଦଣ୍ଡ ପରେ ଖଇ ପଣା ଲାଗି ପରେ ପୂଜା ଅର୍ଚ୍ଚନା ପରେ ପ୍ରସାଦ ସେବନ ବ୍ୟବସ୍ଥା କରିଥିବା ବେଳେ ଖୋଲା ଆକାଶ ତଳେ,ଖରା ବର୍ଷାରେ ରହିବା ସହ ଦିନକୁ ଗୋଟିଏଥର ନିଃଶବ୍ଦ ଅର୍ଧ ରାତ୍ରରେ ଅକଟା, ଅବଟା, ଅଫୁଟା ଖାଦ୍ୟ ଭୋଗ ଲାଗି ପରେ ସେବନ କରିଥାନ୍ତି। ଏହା ଯାତ୍ରା ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ଢୋଲ,ମହୁରୀ ଓ ଘଣ୍ଟ ଶଦ୍ଦ ରେ ପରିବେଶ ପ୍ରକମ୍ପିତ ହୋଇ ଯିବ। ଏହି ଯାତ୍ରା ଆସନ୍ତା ୧୪ ତାରିଖ ପଣା ସଂକ୍ରାନ୍ତିରେ ଉଦ୍ଯାପିତ ହେବ।
