ଵ୍ରହ୍ମପୁର ୨/୪- ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ସରକାର ଅଣ୍ଟା ଭିଡୁଥିବା ବେଳେ ଦୁର୍ଘଟଣା କିନ୍ତୁ ଥମିବାର ନାଁ’ନେଉନାହିଁ। ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଖୋରଧାର ଗ୍ରାମ ନିକଟରେ ଶୁକ୍ରବାର ଏକ ସଡକ ଦୁର୍ଘଟଣାରେ ଘଟିଥିଲା। ରାସ୍ତା କଢରେ ଠିଆ ହୋଇଥିବା କୋଟିଲିଙ୍ଗ ଗ୍ରାମର ଦମ୍ପତ୍ତି ଡ଼ି.ମୁକୁନ୍ଦ ରାଓ ଓ ତାଙ୍କ ସ୍ତ୍ରୀ କେ. ହେମବତୀଙ୍କ ଉପରେ ଏକ ଘରୋଇ ସ୍କୁଲ ଭ୍ୟାନ ମାଡିଯାଇଥିଲା। ସେହିପରି ଏପ୍ରିଲ ୧ତାରିଖରେ ସଦର ଥାନା ଅନ୍ତର୍ଗତ କୁମ୍ଭଝରି ନିକଟରେ ଏକ ବସ ଧକ୍କାରେ ଲଣ୍ଡା ଦାସ ଙ୍କ ମୃତ୍ୟୁ ଘଟିଛି। ଦୁଇ ଦିନରେ ସଡକ ଦୁର୍ଘଟଣାରେ ଦମ୍ପତ୍ତି ସମେତ ୩ଜଣଙ୍କ ଜୀବନ ଚାଲିଯାଇଛି। ଯାହାଫଳରେ ଶୁନ ମୃତାହତ ସପ୍ତାହ ପାଳନ କାମରେ ଅସୁନଥିବା ଦେଖିବାକୁ ମିଳିଛି।ଏପ୍ରିଲ୧ରୁ ୭ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୁନ ମୃତାହତ ସପ୍ତାହ ପାଳନ ହେଉଛି। ସଡକ ଦୁର୍ଘଟଣାରେ ଜଣେ ବି ଯେପରି ମୃତ୍ୟୁବରଣ କରିବେନି ସେ ନେଇ ଏହି ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଗଞ୍ଜାମ ପରିବହନ ପକ୍ଷରୁ ୪ଟି ଟିମ ଗଠନ କରାଯାଇଛି।ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସମୀକ୍ଷା ହୋଇଥିବା ଦିନ ଓ ତା’ ପରଦିନ ହିଁ ଜିଲାରେ ଦୁର୍ଘଟଣାରେ ପୃଥକ ଭାବେ ୩ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ସଦର ଥାନା ଅନ୍ତର୍ଗତ କୁମ୍ଭଝରି ନିକଟରେ ଥିବା ପେଟ୍ରୋଲ ପମ୍ପ ସମୂଖରେ ଶନିବାର ପୂର୍ବାହ୍ନ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ପଦରବାଲିର ଲଣ୍ଡା ଦାସ(୨୭) ବୋଲି ପୋଲିସ କହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଏମକେସିଜି ମେଡିକାଲ ପଠାଇଛି। ପୋଲିସ ବସ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି। ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଲାଣ ଯୋଗୁଁ ଏଭଳି ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଘଟଣାରୁ ପ୍ରକାଶ ଯେ, ଲଣ୍ଡା ଦାସ ବାଇକରେ ଗାଁ’ରୁ କୌଣସି କାମରେ ବାଲିପଡା ଆସୁଥିଲେ। ସେହି ସମୟରେ ଵ୍ରହ୍ମପୁର ଅଭିମୁଖେ କାମଧେନୁ ନାମକ ଏକ ଯାତ୍ରୀବାହୀ ବସ ନମ୍ବର ଓଡ଼ି ୦୭ ଇ – ୬୯୨୮ ଆସୁଥିଲା। ବସଟି ଆଗରେ ଯାଉଥିବା ବାଇକ କୁ ଧକ୍କା ଦେଇଥିଲା। ଯାହାଫଳରେ ବାଇକ ଚାଳକ ଗାଡ଼ିରୁ ଖସି ରାସ୍ତା ଉପରେ କଚାଡି ହୋଇ ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଯାହାଫଳରେ ଘଟଣା ସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ସେଠାରେ ରୁଣ୍ଢ ହେବା ସହ ପୋଲିସ କୁ ଖବର ଦେଇଥିଲେ। ପୋଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିଲା। ସେହିପରି ଦୁର୍ଘଟଣା ଘଟାଇଥିବା ବସ କୁ ଜବତ କରିବା ସହ ଡ୍ରାଇଭରଙ୍କୁ କାବୁ କରି ତଦନ୍ତ କରୁଥିବା କହିଛି।
