ବ୍ରହ୍ମପୁର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ୨0୨୩ ମସିହା ବାର୍ଷିକ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେଉଛି l ପୂର୍ବାହ୍ଣ ୧0ଟାରେ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏରେ ପ୍ରଥମ ସିଟିଂରେ ସରୁଥିବା ରାଜ୍ୟର ଏହି ମହତ୍ତ୍ୱପୂର୍ଣ୍ଣ ଦ୍ବିତୀୟ ବଡ଼ ପରୀକ୍ଷା ଆଗାମୀ ଅପ୍ରେଲ୍ ମାସ ୫ ତାରିଖ ଦିନ ଶେଷ ହେବ l ପରୀକ୍ଷାକୁ ସମ୍ପୂର୍ଣ୍ଣ ଶୃଙ୍ଖଳିତ, ସ୍ୱଚ୍ଛ ଓ କପିମୁକ୍ତ କରିବା ଦିଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି l କଡ଼ା ସୁରକ୍ଷା ଓ ସିସି-କ୍ୟାମେରା ମଧ୍ୟରେ ସଂଚାଳିତ ହେବାକୁ ଥିବା ଏହି ପରୀକ୍ଷାକୁ ସମଧିକ ଅବାଧ, ତ୍ରୁଟିଶୂନ୍ୟ ଓ ସମ୍ପୂର୍ଣ୍ଣ କପିମୁକ୍ତ କରିବା ଲକ୍ଷ୍ୟରେ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟର ଉପସଚିବ ଡ. କୁଳମଣି ଓଝାଙ୍କ ସୌଜନ୍ୟରୁ ଜଣାପଡ଼ିଛି l
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ଥିବା ଆଠଟି ଜିଲ୍ଲା ଯଥା : ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଥିବା ମୋଟ ୪୫ଟି ‘ପରୀକ୍ଷା ପରିଚାଳନା ହବ୍’ (ଇ.ଏମ୍.ଏଚ୍.) ଅଧୀନରେ ସର୍ବମୋଟ ୨0୭ଟି ପରୀକ୍ଷା କେନ୍ଦ୍ର ରହିଛି l ପରୀକ୍ଷା ଆରମ୍ଭ ହେବାର ଅନ୍ୟୂନ ଦୁଇରୁ ତିନି ଘଣ୍ଟା ପୂର୍ବରୁ ହବ୍ କେନ୍ଦ୍ରରୁ ସାଧାରଣ ପରୀକ୍ଷା କେନ୍ଦ୍ରକୁ ଜଣେ ପର୍ଯ୍ୟବେକ୍ଷକ ଓ ଜଣେ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ସହିତ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପ୍ରେରଣ କରାଯିବ ଏବଂ ପରୀକ୍ଷା ସରିବା ପରେ ସମ୍ପୃକ୍ତ ପର୍ଯ୍ୟବେକ୍ଷକ ସମ୍ପୃକ୍ତ ହବ୍ ଷ୍ଟ୍ରଙ୍ଗ୍ ରୁମରେ ଆଣି ସିଲ୍ ହୋଇଥିବା ଉତ୍ତରଖାତା ପ୍ୟାକେଟ୍ ଦାଖଲ କରିବେ l
ଚଳିତ ବର୍ଷ ଦକ୍ଷିଣାଞ୍ଚଳରେ +୨ ବାର୍ଷିକ ପରୀକ୍ଷା ନିମନ୍ତେ କଳା ସ୍ରୋତରେ ୫0୨00, ବିଜ୍ଞାନ ସ୍ରୋତରେ ୧୯୨୭୯ , ବାଣିଜ୍ୟ ସ୍ରୋତରେ ୫0୮୮ ଓ ଧନ୍ଦାମୂଳକ ଶିକ୍ଷାରେ ୯00 ଜଣ ଏହିପରି ମୋଟ ୭୫, ୪୬୭ ଜଣ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକୃତ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ରେଗୁଲାର୍ ପରୀକ୍ଷାର୍ଥୀ ଭାବେ ୬୭, ୯୮୬ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ଭାବେ ୪,୫୮୬ ଏହିପରି ମୋଟ ୭୨, ୫୭୨ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷର ଉଚ୍ଚ ମାଧ୍ୟମିକ ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଛନ୍ତି l
ଗଞ୍ଜାମ ଜିଲ୍ଲାରେ ୧୬ଟି ହବ୍ ଓ ୭୨ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୧୯୧୨୬, ବିଜ୍ଞାନରେ ୯୫୭୮, ବାଣିଜ୍ୟରେ ୨୩୪୪, ଧନ୍ଦାମୂଳକ ଶିକ୍ଷାରେ ୨୭୭ ପରୀକ୍ଷାର୍ଥୀ ଏହିପରି ମୋଟ ୩୧, ୩୨୫ ଜଣଙ୍କ ନାମ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ରେଗୁଲାର୍ ଭାବେ ୨୯,୧୨୩ ଓ ଏକ୍ସ-ରେଗୁଲାର୍ ଭାବେ ୧0୨୨ ଏହିପରି ସର୍ବମୋଟ ୩0, ୧୪୫ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି ରହିଛି l ମାର୍ଚ୍ଚ ୧ ତାରିଖ ପ୍ରଥମ ସିଟିଂରେ ବିଜ୍ଞାନ ସ୍ରୋତ ଛାତ୍ରଛାତ୍ରୀଙ୍କ ପାଇଁ ଆଧୁନିକ ଭାରତୀୟ ଭାଷା (ଓଡ଼ିଆ) ପରୀକ୍ଷା ରହିଥିବା ଉପସଚିବ ଡ. ଓଝାଙ୍କୁ ପଚାରିବାରେ ଜଣାପଡ଼ିଛି l
