Odisha news

ଅରୁନ୍ଧତୀ ଜୁଏଲର୍ସରୁ ସୁନା ଗହଣା ଚୋରି ଘଟଣା : ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ, ୫୨୩.୨୩୦ ଗ୍ରାମର ସୁନା ଜବତ

0

ବ୍ରହ୍ମପୁର୬/୨(Amarendra Pattanail) :-  ବଡ଼ବଜାର ଥାନା ଅନ୍ତର୍ଗତ ସାନବଜାର ସ୍ଥିତ ଅରୁନ୍ଧତୀ ଜୁଏଲର୍ସ ସୋ’ରୁମରୁ ସୁନା ଗହଣା ଚୋରି ହୋଇଥିବା ଘଟଣାରେ ପୋଲିସ ଉକ୍ତ ସୋରୁମର ଆସିଷ୍ଟାଣ୍ଟ ମ୍ୟାନେଜର  ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଉକ୍ତ ସୋ’ରୁମରେ ଆସିଷ୍ଟାଣ୍ଟ ମ୍ୟାନେଜର ଥିବା  ସୀମାଞ୍ଚଳ ପାତ୍ର  । ଅଭିଯୁକ୍ତଙ୍କ ବୟନକୁ ଆଧାର କରି ପୋଲିସ ମୁଥୁଟ ଫାଇନାନ୍ସ ଓ  ମାନପୁରମ ରୁ  ୫୨୩.୨୩୦ଗ୍ରାମ ସୁନା ଅଳଙ୍କାର ଜବତ କରିଛି। ମାମଲା ନମ୍ବର ୩୩/୨୩ ରେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏନେଇ   ବ୍ରହ୍ମପୁର ଏସପି ଡ଼ା.ସର୍ବଣା ବିବେକ ଏମ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉ କି  ସାନବଜାର ଛକ ଠାରେ ଥିବା ଅରୁନ୍ଧତୀ ଜୁଏଲର୍ସରେ ବ୍ରଜନଗରର ୩ୟ ଲାଇନର ସୀମାଞ୍ଚଳ ପାତ୍ର ବହୁ ବର୍ଷ ହେବ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି । ସେହିକ୍ରମ ତାଙ୍କୁ ବ୍ରାଞ୍ଚ ମ୍ୟାନେଜର ବିଶ୍ୱାସ କରି ଆସୁଥିଲେ । ସେହି ବିଶ୍ୱାସ ଫାଇଦା ନେଇ ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ଲକ୍ଷାଧିକ ଟଙ୍କାର ସୁନା ଗାଏବ କରି ନେଇଥିବା ଜଣାପଡିଥିଲା । ଗତ କିଛି ଦିନ ପୂର୍ବେ ସେ କେତେକ ଗ୍ରାହକଙ୍କ ଘରକୁ ସୁନା ଅଳଙ୍କାର ବିକ୍ରି କରିବାକୁ ନେବାକୁ କହି ସୋ’ରୁମରୁ ୫୨୩.୨୩୦ ଗ୍ରାମର ସୁନା ଅଳଙ୍କାର ନେଇଥିଲେ ।

ସେ ନେଇଥିବା ସୁନା ଅଳଙ୍କାର ମଧ୍ୟରେ  ୧୮.୪୦୦ ଗ୍ରାମ ଓଜନର ଏକ ସୁନା କାନଫୁଲ, ୧୬୧.୧୦୦ ଗ୍ରାମ ଓଜନର ବ୍ରେସଲେଟ, ୨୧୧.୨୧୦ ଗ୍ରାମର ଚେନ୍, ୯୭.୫୦୦ଗ୍ରାମର ଚେନ୍, ୩୪.୭୦୦ଗ୍ରାମର ସୁନା ବ୍ରେସଲେଟ ରହିଥିଲା । ଯାହାର ଅନୁମାନିକ ମୂଲ୍ୟ ୩୩ ଲକ୍ଷ ୩୮ ହଜାର ଟଙ୍କା ଥିଲା । ହେଲେ ସୀମାଞ୍ଚଳ ଏହି ସବୁ ସୁନା ଅଳଙ୍କାର ଧରି ସୋ’ରୁମରୁ ଗ୍ରାହକଙ୍କ ଘରକୁ ବିକ୍ରି କରିବାକୁ ନଯାଇ ନିଜ ଆର୍ଥିକ ଆବଶ୍ୟକତା ମେଣ୍ଟାଇବାକୁ ଭିନ୍ନ ଯୋଜନା ରଚିଥିଲେ । ସୀମାଞ୍ଚଳ ସମସ୍ତ ସୁନା ଧରି ମଣାପୁରମ ଗୋଲ୍ଡ ଲୋନ କାର୍ଯ୍ୟାଳୟକୁ ଯାଇ ବନ୍ଧକ ରଖି ୧୯ ଲକ୍ଷ ୭୦ ହଜାର ଋଣ ଉଠାଇ ନେଇଥିଲେ । ଆଉ ସେହି ଟଙ୍କାରେ ସେ ଅନଲାଇନ ଗେମ ଖେଳିଥିଲେ ।  କିଛି ଦିନ ପରେ ଷ୍ଟୋରର ଷ୍ଟକ ଯାଞ୍ଚ ବେଳେ ଉପରୋକ୍ତ ପରିମାଣର ସୁନା ଅଳଙ୍କାର ନିଅଣ୍ଟ ହୋଇଥିଲା । ଏ ନେଇ ତାଙ୍କୁ ପଚରାଉଚରା ପରେ ସେ ସଠିକ ଉତ୍ତର ଦେଇନଥିଲେ । ଅଧିକ ପଚରାଉଚରା ପରେ ସେ ସୁନାକୁ ନେଇ ଋଣ ଉଠାଇଥିବା କହିଥିଲେ । କମ୍ପାନୀର ନିୟମ ଉଳଙ୍ଘନ କରି ନିଜ ସ୍ବାର୍ଥ ସାଧନ ପାଇଁ ସୀମାଞ୍ଚଳ ଏଭଳି କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ସୁନା ଅଳଙ୍କାର ଫେରିପାଇବା ପାଇଁ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ବଡବଜାର ଥାନାରେ ଏତଲା ଦିଆଯାଇଥିଲା ।

Nalco
Leave A Reply