ବ୍ରହ୍ମପୁର , ୨୨/୧୨- ନକଲି ବିଦେଶୀ ମଦ ପ୍ରସ୍ତୁତ ହୋଇ ଜିଲା ତଥା ଅନ୍ୟ ଜିଲାର ବିଭିନ୍ନ ଗ୍ରାମାଞ୍ଚଳକୁ ଚାଲାଣ ହେଉଥିବା ଅବକାରୀ ପୋଲିସକୁ ଖବର ମିଳିଥିଲା। ଅବକାରୀ କମିଶନର ଆଶିଷ ସିଂ ଓ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଢାଙ୍କ ନିର୍ଦେଶ କ୍ରମେ ଏକ ଅବକାରୀ ଷ୍ଟ୍ରୀଇକିଂ ଟିମ ଗୁରୁବାର ସକାଳେ ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଇନ୍ଦିରା ଆବାସ ଛକରେ ନକଲି ମଦ ଭର୍ତ୍ତି ଏକ ପିକଅପ ନମ୍ବର ଓଡ଼ି୦୭ୟୁ- ୬୪୧୬ ଗାଢି ଅଟକାଇଥିଲା । ଯାଞ୍ଚ ବେଳେ ସେଥିରୁ ୧୦୦ ବୋତଲ ନକଲି ବିଦେଶୀ ମଦ ଜବତ ହୋଇଥିଲା। ଗାଡ଼ି ଚାଳକ ଅଡବା ଥାନା ଅନ୍ତର୍ଗତ ସିଆଳିଲଟି ଗ୍ରାମର ନକୁଳ ଗମଙ୍ଗୋ(୨୮) ଓ ବ୍ୟବସାୟୀ ଅଢ଼ବା ଥାନା ଚୁଡଙ୍ଗପୁର ଗ୍ରାମର ପ୍ରଫୁଲ କୁମାର ସାହୁ(୫୯)ଙ୍କୁ ଗିରଫ କରିଥିଲା। ସେମାନେ ଉକ୍ତ ନକକି ମଦ କେହୁଁଠି ଆଣିଥିଲେ ସେ ନେଇ ଅବକାରୀ ଟିମ ସେମାନଙ୍କୁ ଜେରା କରିଥିଲା। ସେମାନେ ଉକ୍ତ ନକଲି ମଦ ଫାଷ୍ଟଗେଟ ଅଯୋଧ୍ୟା ନଗର ରୁ ଆଣିଥିବା ଉକ୍ତ ଟିମକୁ କହିଥିଲେ। ପରେ ପ୍ରଫୁଲ ସାହୁ ନକଲି ମଦ ପ୍ରସ୍ତୁତ କରୁଥିବା କିଙ୍ଗପିନ ତାରିଣୀ ଜେନା(୨୫)ଙ୍କୁ ବିକ୍ରି ପାଇଁ ଅଧିକ ମଦ ଆବଶ୍ୟକ ବୋଲି କହିବା ସହ ଫାଷ୍ଟଗେଟ ଛକରେ ସେ ଅପେକ୍ଷା କରିଥିବା କହିଥିଲେ। ଯୋଜନା ମୁତାବକ ପ୍ରଫୁଲ ଙ୍କୁ ନେଇ ଅବକାରୀ ଟିମ ଫାଷ୍ଟଗେଟ ଛକରେ ଅପେକ୍ଷା କରିଥିଲା। ତାରିଣୀ ଜେନା ଏକ ସ୍କୁଟି ଗାଡ଼ିରେ ୫୪ ବୋତଲ ନକଲି ମଦ ଧରି ସେଠାରେ ପହଞ୍ଚିଥିଲେ। ସେଠାରେ ଅବକାରୀ ଟିମ ତାଙ୍କୁ ଜେରା କାବୁ କରିଥିଲା। ପରେ ତାରିଣୀଙ୍କ ବୟାନ କୁ ଆଧାର କରି ଅଯୋଧ୍ୟା ନଗରରେ ସେ ଏକ ଘର ଭଡ଼ା ନେଇ ନକଲି ବିଦେଶୀ ମଦ ଫେକ୍ଟ୍ରିରେ ଚଢଉ କରିଥିଲା। ସେଠାରୁ ଅବକାରୀ ଟିମ ୫୪ ବୋତଲ ନକଲି ବିଦେଶୀ ମଦ ଜବତ କରିଥିବା ବେଳେ ସେଠାରେ ଏହି ନକଲି ମଦ ପ୍ରସ୍ତୁତ ପାଇଁ ଗଛିତ ଥିବା କଞ୍ଚାମାଲ ଜବତ କରିଥିଲା। ସେଠାରେ ଚଢାଉ ବେଳେ ସେହି ଘରୁ ବିଭିନ୍ନ ବ୍ରାଣ୍ଡର ୫୪ ବୋତଲନକଲି ବିଦେଶୀ ମଦ, ୨୦୦ ଖାଲି ବୋତଲ, ୨୦୦୦ ଉର୍ଦ୍ଧ ଠିପି, ୩୦୦ ସିଟ ବିଭିନ୍ନ ବ୍ରାଣ୍ଡ କମ୍ପାନୀର ଅବକାରୀ ଲେବେଲେ, ୨୦ ଲିଟର (ଅର୍ଗାନିକ ଆଲବମ)ସ୍ପିରିଟ , ତିନି ଲିଟର କଲର (ରଙ୍ଗ) , ୬ଲିଟର ସ୍ପିରିଟ , ଜବତ କରାଯାଇଥିଲା । କଲିକତାରୁ ବୋତଲ, ଠିପି , ରଙ୍ଗ ଓ ସ୍ପିରିଟ ଆଣି ଏଠାରେ ନକଲି ମଦ ପ୍ରସ୍ତୁତ କରିବା ପରେ ତାରିଣୀ ଜେନା ଗଞ୍ଜାମ ଜିଲ୍ଲା ଓ ଗଜପତି ଜିଲାର ଆଖପାଖ ଅଞ୍ଚଳକୁ ବିକ୍ରି ପାଇଁ ପଠାଉଥିଲେ ବୋଲି ଜେରା ବେଳେ ଅବକାରୀ ଟିମ ଜାଣିବାକୁ ପାଇଥିଲେ। ଜବତ ନକଲି ବିଦେଶୀ ମଦ ଓ କଞ୍ଚାମାଲର ଗାଡ଼ିର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।ଚଢ଼ାଉ ବେଳେ ଅବକାରୀ ଷ୍ଟ୍ରୀଇକିଂ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାଇକ , ଇନ୍ସପେକ୍ଟର ଅର୍ଜୁନ ମଲିକ ଓ ତାଙ୍କ ଟିମ ସାମିଲ ଥିଲେ। ଜବତ ନକଲି ବିଦେଶୀ ମଦ ନମୁନା ସଂଗ୍ରହ କରାଯାଇ ପରକ୍ଷା ନିମନ୍ତେ ପଠାଯାଇଛି ବୋଲି ଇନ୍ସପେକ୍ଟର ମଲିକ ସୂଚନା ଦେଇଛନ୍ତି।
