Odisha news

ଛାତ୍ରଙ୍କୁ ରେଗିଂ ମାମଲା, ୩ ଅଭିଯୁକ୍ତ ନିର୍ଦୋଷ

0

ଵ୍ରହ୍ମପୁର , ୧୨/୧୨- ଏସଡ଼ିଜେଏମ ପ୍ରଜ୍ଞା ପରମିତା ପ୍ରତିହାରୀ ଏକ ରେଗିଂ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ ସେ ତିନି ଜଣ ଅଭିଯୁକ୍ତଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଭାବାନଗରରେ ଥିବା ସ୍ପେକ୍ଟ୍ରୋମାଇଣ୍ଡ ଆବାସିକ କୋଚିଂ ସେଣ୍ଟରର ମାଲିକ ମନୋଜ କୁମାର ମହାପାତ୍ର , ତାଙ୍କ ସ୍ତ୍ରୀ ସୁଜାତା କୁମାରୀ ପାଢ଼ୀ ଓ ଅନ୍ୟଜଣେ ଛାତ୍ର ଜରଡ଼ା ଥାନା ଅନ୍ତର୍ଗତ ବି. ନୂଆଗାଁ ର ଅମିଶ କୁମାର ବେହେରା। ସରକାରଙ୍କ ପକ୍ଷରୁ କେଡର ଏପିପି ମାଳତୀ ପାଳ ଓ ମୁଦୁଲାଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ ଉପଧେୟ ଓ କୁମାରେଶ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ। ଘଟଣାରୁ ପ୍ରକାଶ ଯେ, ଆସିକା ଥାନା ଅନ୍ତର୍ଗତ ଧନୀଜା ଗ୍ରାମର ସୁଜାତା ପ୍ରଧାନଙ୍କ ପୁଅ ବିଶ୍ୱଜିତ ପ୍ରଧାନ ଵ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଭାବେ ପଢୁଥିଲେ।  ସେ ଭାବନଗରରେ ଥିବା ଉପରୋକ୍ତ ଆବାସିକ କୋଚିଂ ସେଣ୍ଟରରେ ରହୁଥିଲେ। ସେଠାରେ ବିଶ୍ୱଜିତଙ୍କୁ  ଉକ୍ତ କୋଚିଂ ସେଣ୍ଟର ମାଲିକ ମନୋଜ କୁମାର ମହାପାତ୍ର , ସୁଜାତା କୁମାରୀ ପାଢ଼ୀ ଓ ଜଣେ ଯୁକ୍ତ ତିନି ବର୍ଷର ଛାତ୍ର ଅମିଶ କୁମାର ବେହେରା ମାନସିକ , ଶାରୀରିକ ଓ ଯୌନ ନିର୍ଯାତନା ଦେବା ସହ ରେଗିଂ କରୁଥିଲେ। ଏନେଇ ରେଗିଂର ଶିକାର ହୋଇଥିବା ଛାତ୍ର ବିଶ୍ୱଜିତଙ୍କ ମା’ ସୁଜାତା ପ୍ରଧାନ ବୈଦ୍ୟନାଥପୁର ଥାନାରେ ଗତ ଜାନୁଆରୀ ୨୧ ତାରିଖରେ ଅଭିଯୋଗ କରିଥିଲେ। ପୋଲିସ ଏସଂକ୍ରାନ୍ତରେ ୧୫/୨୨ ରେ ଉକ୍ତ କୋଚିଂସେଣ୍ଟର ମାଲିକ ଦମ୍ପତ୍ତି ଓ ଅନ୍ୟଜଣେ ଛାତ୍ର ଅମିଶ କୁମାର ବେହେରାଙ୍କ ନାମରେ ମାମଲା ରୁଜୁ କରିଥିଲା। ପରେ ଅଭିଯୁକ୍ତଙ୍କୁ ଥାନାରେ ପୋଲିସ ଧାରା ୪୧ ସିଆରପିସି ରେ ଜାମିନ ପ୍ରଦାନ କରିଥିଲା। ପରେ ତଦନ୍ତକାରୀ ଅଧିକାରୀ ତଥା ଏସଆଇ ଦୁଷ୍ମନ୍ତ କୁମାର ପ୍ରଧାନ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା। ଏସଡ଼ିଜେଏମ ଉକ୍ତ ମାମଲାର ବିଚାରଣା ବେଳେ ଦୁଇଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ପକ୍ଷରୁ ଦାଖଲ ଚାର୍ଜସିଟକୁ ଆଧାର କରି ପ୍ରମାଣ ମିଳିନଥିବାରୁ ଉପରୋକ୍ତ ସମସ୍ତ ଅଭିଯୁକ୍ତଙ୍କୁ ସେ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି।

Nalco
Leave A Reply