ବ୍ରହ୍ମପୁର :ବ୍ରହ୍ମପୁର ଠାରେ ବିମାନ ବନ୍ଦର ସ୍ଥାପନ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଜୋର ଧରିଲା । ପ୍ରସ୍ତାବିତ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରବିବାର ସ୍ଥାନୀୟ ଏନ.ଜି.ଓ ହଲ ଠାରେ ସର୍ବଦଳୀୟ ଜନସଭା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ସର୍ବବୃହତ ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ସ୍ଥାପନ ନେଇ ଦୀର୍ଘ ବର୍ଷ ଧରି ଆନ୍ଦୋଳନ, ବିକ୍ଷୋଭ, ଧାରଣା ମାଧ୍ୟମରେ ଦାବି ହେଉଥିଲେ ମଧ୍ୟ ଏହି ଜିଲ୍ଲା ପ୍ରତି ବିଭିନ୍ନ ସମୟରେ ବିଭିନ୍ନ ସରକାର ବୈମାତୃକ ମନୋଭାବ ପୋଷଣ କରିଆସୁଛନ୍ତି ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି । ଗଞ୍ଜାମ ଜିଲ୍ଲା ଠାରୁ ଭୁବନେଶ୍ୱର ବିମାନ ବନ୍ଦର ଯିବାକୁ ହେଲେ ୧୭୦ କି.ମି ଯାତ୍ରା କରିବାକୁ ପଡୁଛି । ଅନ୍ୟପଟେ ଜନସଂଖ୍ୟା ତଥା ଆବଶ୍ୟକ ଭିତ୍ତିଭୂମି ଥିବା ସତ୍ୱେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହତାଦର ଜିଲ୍ଲାବାସୀଙ୍କୁ ଚକିତ କରୁଛି l ଓଡିଶାରେ ୯ ଟି ବିମାନ ବନ୍ଦର ପ୍ରସ୍ତାବ ରହିଛି । ଝାରସୁଗୁଡାରେ ୨୧୦ କୋଟି ଟଙ୍କାରେ ବିମାନ ବନ୍ଦର କାମ ସରିଛି ମଧ୍ୟ ସାରି ବିମାନ ଚଳାଚଳ ଆରମ୍ଭ ହାଇସାରିଛି ।ରାଉରକେଲା ଓ ଜୟପୁରରେ ବିମାନ ବନ୍ଦର କାର୍ଯ୍ୟ ଚାଲୁ ରହିଥିବାବେଳେ ଅନୁଗୁଳ, ସମ୍ବଲପୁର, ନବରଙ୍ଗପୁର, କଳାହାଣ୍ଡି, କଟକରେ ଏୟାରବେସ୍ ପ୍ରସ୍ତାବ ରହିଛି । ଏପଟେ ପୁରୀ ଠାରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠାପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ବ୍ରହ୍ମପୁର ନିକଟସ୍ଥ ରଙ୍ଗାଈଲୁଣ୍ଡା ଏୟାରଷ୍ଟ୍ରିପ୍ ସର୍ବପୁରାତନ । ବିଡିଏ ଅନୁମୋଦନ କରିଥିବା ସିଡିପି ଅନୁସାରେ ବ୍ରହ୍ମପୁର ନିକଟ ଲକ୍ଷ୍ମୀପୁର ମୌଜାର ଶୀତଳାପଲ୍ଲୀ ଠାରେ ବିମାନବନ୍ଦର କରିବାକୁ ୮ବର୍ଗ କିମି ଜମି ସରଂକ୍ଷିତ ମଧ୍ୟ ରହିଛି । ଏତଦବ୍ୟତୀତ ପ୍ରାୟ ୩୦୦ଏକର ପ୍ରାଇଭେଟ ଜମି ପ୍ରସ୍ତାବ ରହିଛି । ତଥାପି ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ବୋଲି କମିଟି ଅଭିଯୋଗ ଆଣିଛି । ରାଜ୍ୟ ସରକାର ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ କେନ୍ଦ୍ର ସରକାର ନିକଟକୁ ପଠାଇନାହାନ୍ତି । ପାର୍ଲିଆମେଣ୍ଟରେ ବ୍ରହ୍ମପୁର ସାଂସଦଙ୍କ ପ୍ରଶ୍ନର ଉତ୍ତର ବିଭାଗୀୟ ମନ୍ତ୍ରୀ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ କେନ୍ଦ୍ରକୁ ପଠାଇନଥିବା କହିଛନ୍ତି । ଶିକ୍ଷା, ବାଣିଜ୍ୟ, ପର୍ଯ୍ୟଟନ, ଆଇଜର୍ , ଆଇଆରଇ, ଟାଟା ଶିଳ୍ପ ତଥା ଅନ୍ତର୍ଜାତୀୟ ଲିଙ୍କ୍ ଥିବା ପୁରାତନ ସହର ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାରେ ବିମାନ ବନ୍ଦର ପ୍ରତିଷ୍ଠା ପ୍ରତି ଅଣଦେଖା କରିଚାଲିଛନ୍ତି । ବ୍ରହ୍ମପୁରର ବହୁ ସ୍ବେଛାସେବୀ ଅନୁଷ୍ଠାନ, ବୁଦ୍ଧିଜୀବୀ, ବ୍ୟବସାୟୀ, ଆଇନଜୀବୀ ମାନେ ମଧ୍ୟ ଏକତ୍ରିତ ଆନ୍ଦୋଳନ କରିବାକୁ ନିଷ୍ପତ୍ତିନେବାକୁ ଯାଉଥିବାରୁ ଗଞ୍ଜାମବାସୀ ଆଗାମୀ ଦିନରେ ନିଶ୍ଚୟ ବିମାନଘାଟି ହେବବୋଲି ଆଶା ବାନ୍ଧିଛନ୍ତି ଓ ଜାଗା ଚିହ୍ନଟ କରିବା ଡ଼ିପିଆର ବାରମ୍ବାର ପରିବର୍ତ୍ତନକୁ ନିନ୍ଦା କରାଯାଇଛି I ୨୦୨୪ ମସିହା ସୁଦ୍ଧା ୧୦୦ଟି ନୂତନ ବିମାନବନ୍ଦର ୧୦୦୯ ନୁଆଁ ରାସ୍ତା ସଂଯୋଗ ପାଇଁ କେନ୍ଦ୍ର ସରକାର ଏକ ଲକ୍ଷ କୋଟି ଖର୍ଚ୍ଚ ଅଟକଳ କରୁଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି । ରାଜ୍ୟ ସରକାର ଗ୍ରୀନ ଫିଲଡ଼ ଯୋଜନାରେ ବିମାନ ବନ୍ଦର ପାଇଁ ସ୍ଥାନ ଚି଼ହ୍ନଟ ଯଦି ନ କରିପାରିବେ ତେବେ ଏହି ଯୋଜନା ହାତଛଡା ହେଲେ ଗଞ୍ଜାମରେ ଜନ ଅସନ୍ତୋଷ ଦେଖାଦେବା ନିଶ୍ଚିତ ବୋଲି କମିଟି କହିଛି । ଆୟୋଜିତ ସସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ଓକିଲ ସଂଘର ସଭାପତି କପିଳ ପଟ୍ଟନାୟକ ବକ୍ତବ୍ୟରେ ବ୍ରହ୍ମପୁର ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ୩୩ ଟି କ୍ରିୟାନୁଷ୍ଠାନ ର ସମସ୍ତ କମିଟି ସଦସ୍ୟ ଉପସ୍ଥିତ ଥିଲେ ।
