ବ୍ରହ୍ମପୁର , ୧୫/୧୧- ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ନୂଆବନ୍ଧରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଲାଞ୍ଜିପଲ୍ଲୀ ରେଡିକା ସାହିର ସଦାନନ୍ଦ ବେହେରା(୫୫) । ବ୍ରହ୍ମପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କର ମୃତ ଦେହକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛି। ପାଣିରେ ବୁଡିଯାଇ ଶ୍ୱାସରୁଦ୍ଧ ହୋଇ ସଦା ନନ୍ଦଙ୍କ ମୃତ୍ୟୁ ଘଟିଥିବା ପୋଲିସ ସନ୍ଧେହ କରୁଛି। ବୈଦ୍ୟନାଟପୁର ପୋଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛି। ପୋଲିସ ଏସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଘଟଣାରୁ ପ୍ରକାଶ ଯେ ସଦାନନ୍ଦ ସୋମବାର ମଧ୍ୟାନ୍ନ ୧୨ଟା ବେଳେ ଲାଞ୍ଜିପଲିରେ ଥିବ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଅନେକ ସମୟ ଯାଏଁ ସଦାନଦ ଘରକୁ ଫେରିନଥିଲେ । ଯାହା ଫଳରେ ପରିବାର ଲୋକେ ସେହି ପୋଖରୀ ନିକଟରେ ପହଞ୍ଚି ଦେଖିବା ବେଳେ ପୋଖରୀ ହୁଡ଼ାରେ ତାଙ୍କର ଚପଲ , ଗାମୁଛା, ପ୍ୟାଣ୍ଟ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ । ଯାହା ଫଳରେ ସେ ପୋଖରୀରେ ବୁଡି ଯାଇଥିବା ନେଇ ଘର ଲୋକଙ୍କ ସନ୍ଦେହ ଉପୁଜିଥିଲା । ପରେ ଏ ନେଇ ପରିବାର ଲୋକେ ଉଭୟ ପୋଲିସ ଓ ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପୋଖରୀରେ ବହୁ ସମୟ ଧରି ସଦାନନ୍ଦଙ୍କୁ ଖୋଜିଥିଲେ ହେଲେ ନିଖୋଜ ଥିବା ସଦାନନ୍ଦଙ୍କୁ ଠାବ କରିପାରିନଥିଲେ। ପୁଣିଥରେ ମଙ୍ଗଳବାର ଅଗ୍ନିଶମ କର୍ମଚାରୀମାନେ ଏକ୍ସିଜେନ କ୍ୟାପ୍ ବ୍ୟବହାର କରି ପୋଖରୀ ଜଳରେ ପ୍ରବେଶ କରିଥିଲେ। ବହୁ ଖୋଜାଖୋଜି କରିବା ପରେ ପାଣି ଭିତରୁ ସଦାନନ୍ଦନଜ ମୃତଦେହକୁ ଉଦ୍ଧାର କରିଥିଲେ ।
