ବ୍ରହ୍ମପୁର, ୭।୯: ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ଟାଉନ୍ ଥାନା ଅନ୍ତର୍ଗତ ବିଜିପୁର କାଳୀମନ୍ଦିର ନିକଟ ବନ୍ଧସାହି ଠାରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି। ସେ ହେଲେ ଅରୁଣ ମହାରଣା (୨୬)। ତାଙ୍କର ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ଏମ୍କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତିକରି ଥାନାରେ ଦୁଇଟି ପୃଥକ୍ ମାମଲା (୨୪୭/୨୨, ୨୪୮/୨୨)ରୁଜୁ ହୋଇଥିବା ବେଳେ ସ୍ଥାନୀୟ କର୍ପୋରେଟର୍ଙ୍କ ସହ ୭ଜଣଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ସେମାନେ ହେଲେ ବିଜିପୁର ଲକ୍ଷ୍ମୀସାହିର ସୁକାନ୍ତ ମହାରଣା (୪୫), ତାଙ୍କ ପୁତୁରା ସୁମିତ୍ ମହାରଣା (୨୬), କର୍ପୋରେଟର୍ ନରସିଂହ ସେଠୀ ଓରଫ୍ ବାଇ (୩୫), ତାଙ୍କ ଭାଇ ନାରାୟଣ ସେଠୀ (୩୪), ବିଜିପୁର ବଡ଼ସାହିର ଏନ୍.ପ୍ରକାଶ (୩୮), ବନ୍ଧସାହିର ଜି.ପ୍ରସାଦ ରାଓ (୪୪), କେନାଲସାହିର ପି.ନରସିଂହ ରାଓ (୪୭)। ଘଟଣାରେ ବ୍ୟବହୃତ ଖଣ୍ଡା, କାତି ଏବଂ କାଠ ଫାଳିଆକୁ ମଧ୍ୟ ପୁଲିସ ଜବତ କରିଛି।
ପୁଲିସ ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୧୨ଟା୪୫ରେ କର୍ପୋରେଟର୍ ନରସିଂହ ସେଠୀ ବନ୍ଧୁମାନଙ୍କ ସହ ବିଜିପୁର କାଳୀମନ୍ଦିର ନିକଟ ବନ୍ଧସାହି ଠାରେ ଥିବା ବେଳେ ଅଭିଯୁକ୍ତ ସୁକାନ୍ତଙ୍କ ସହ ଅନ୍ୟ ୪ଜଣ କେର୍ପାରେଟର୍ଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିଲେ। ଏହା ଜାଣିବା ପରେ କର୍ପୋରେଟର୍ଙ୍କ ବଡ଼ଭାଇ ନାରାୟଣ ପିଲାଦିନର ସାଂଗ ସୁକାନ୍ତଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ପଚାରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସୁକାନ୍ତ ଏବଂ ତାଙ୍କର ଦୁଇ ପୁତୁରା ସୁମିତ ଏବଂ ଅରୁଣ ନାରାୟଣଙ୍କୁ କାତି ଏବଂ କାଠ ଫାଳିଆରେ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିଲେ। ନାରାୟଣ ଏବଂ ନରସିଂହ ଏହାର ପ୍ରତିରୋଧ କରିବା ସହ ଅରୁଣକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହିସମୟରେ ଅଭିଯୁକ୍ତ ପ୍ରକାଶ, ପ୍ରସାଦ ଏବଂ ନନି ସେଠାରେ ଉପସ୍ଥିତ ଥିଲେ, ଏବଂ ନାରାୟଣ ଏବଂ ନରସିଂହଙ୍କୁ ପ୍ରତିଆକ୍ରମଣ କରିବାରେ ସହଯୋଗ କରିଥିଲେ। ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି
