ଵ୍ରହ୍ମପୁର ୬/୯- ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ନିଳକଣ୍ଠେଶ୍ୱର ମନ୍ଦିର ପର୍ଶ୍ୱରେ ରହୁଥିବା ଜଣେ ଯୁବକ ମଙ୍ଗଳବାର ସକାଳେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ନିଜ ବେକରେ ଗାମୁଛା ଲଗାଇ ନିଜ ଘର ବାରିପଟେ ଥିବା ଏକ ଫେନ ଦେହରେ ଝୁଲିଥିବା ଦେଖି ଘର ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଯୁବକ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଯୁବକଙ୍କ ବେକରୁ ଗାମୁଛା ବାହାର କରିବା ପରେ ମୃତଦେହ ଜବତ କରିଛି। ମୃତ ଯୁବକ ଜଣଙ୍କ ରାକେଶ ରାଉଳ (୨୪)। ପୋଲିସ ଏସଂକ୍ରାନ୍ତରେ ୧୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପାଇଁ ପଠାଇଛି। ବ୍ୟବଛେଦ ପରେ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ପୋଲିସ କହିଛି। ପୂର୍ବରୁ ଗତ ୨୦୨୦ ମସିହାରେ ତାଙ୍କ ବାପା ଭାଗିରଥି ରାଉଳ ମଧ୍ୟ ଆତ୍ମହତ୍ୟା କରିଥିଲେ। ଯୁବକ ଜଣଙ୍କ କୌଣସି ମାନସିକ ଅଶାନ୍ତିରୁ ଚାପଗ୍ରସ୍ତ ହୋଇ ଏଭଳି ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ସନ୍ଧେହ କରୁଛି। ବାପା ଆତ୍ମହତ୍ୟା ଘଟଣାର ଦୁଇ ବର୍ଷ ପରେ ପୁଅ ଆତ୍ମହତ୍ୟା କରିବା ଘଟଣା ଏକ ବଂଶଗତ ଲକ୍ଷଣ ହୋଇପାରେ ବୋଲି ସ୍ଥାନୀୟ ଲୋକ ଚର୍ଚ୍ଚା କରୁଛନ୍ତି। ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ନେଇ ମଧ୍ୟ କହିଛି।
