Odisha news

ହତ୍ୟା ମାମଲାର ୪ ଅଭିଯୁକ୍ତ ନିର୍ଦୋଷ

0

ଵ୍ରହ୍ମପୁର , ୧୨/୭- ଜିଲା ଦୌରା ଜଜ ଆନନ୍ଦ ଚନ୍ଦ୍ର ବେହେରା ମଙ୍ଗଳବାର  ଏକ ହତ୍ୟା ମାମଲାର ବିଚାରଣା କରି ପ୍ରମାଣ ଅଭାବରୁ ୪ଜଣ ଅଭିଯୁକ୍ତଙ୍କୁ ଘଟଣାର ୨୧ ବର୍ଷ ପରେ ନିର୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ଆଙ୍କୁଲିର ଡିଲୁ ଶତପଥି , ତାଙ୍କ ମା’ କୁନି ଶତପଥି , ମନୋରଞ୍ଜନ ପଣ୍ଡା ଓ ଶିବ ପାତ୍ର। ପୂର୍ବରୁ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ମୁଖ୍ୟ ଅଭିଯୁକ୍ତଙ୍କ ଭାଇ ସାରୋଜ ଶତପଥୀଙ୍କ ବିଚାରଣା ବେଳେ ମୃତ୍ୟୁ ହୋଇସାରିଥିଲା। ଘଟଣାରୁ ପ୍ରକାଶ ଯେ , କୌଣସି ଏକ କାରଣକୁ କେନ୍ଦ୍ର କରି ଡିଲୁ ଶତପଥୀ ଓ  ବୁଲା ମହାନ୍ତି ସହ  ପୁଞ୍ଜିଭୁତ ଅଶାନ୍ତି ଲାଗିରହିଥିଲା। ଗତ ୨୦୦୧ ମାର୍ଚ୍ଚ ୭ ତାରିଖ ସନ୍ଧ୍ୟାରେ ବୁଲୁ ମହାନ୍ତି ଓ ତାଙ୍କ ସାଙ୍ଗ ଜେ. ଶଙ୍କର ବାଇକରେ ଫେରୁଥିଲେ।

ଆଙ୍କୁଲି ନିକଟ ପାନଖଳାପଲିରେ ସେମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ଡିଲୁ ଓ ତାଙ୍କ ସମର୍ଥକ ମାନେ ଖଣ୍ଡା ଓ ବୋମାର ଆକ୍ରମଣ କରିଥିଲେ। ଏଥିରେ ବୁଲା ମହାନ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ତାଙ୍କ ସାଙ୍ଗ ଶଙ୍କର ଗୁରୁତର ଆହତ ହୋଇଥିଲେ। ଅଭିଯୋଗ ପରେ ବୈଦ୍ୟନାଥପୁର ପୋଲିସ ଏସଂକ୍ରାନ୍ତରେ ୬୧/୨୦୦୧ରେ ଏକ ହତ୍ୟା ମାମଲା ରୁଜୁ କରି ଡିଲୁ ଶତପଥୀ ସମେତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେମାନେ ହାଇକୋର୍ଟରୁ ସର୍ତ୍ତମୂଳକ ଜମିନ ପାଇଥିଲେ। ମଙ୍ଗଳବାର ଏହି ମାମଲାର ବିଚାରଣା ବେଳେ ୭ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଉପଯୁକ୍ତ ପ୍ରମାଣ ମିଳିନଥିବାରୁ ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ପିପି ତ୍ରିଲୋଚନ ପରିଢା ଓ ମୁଦୁଲାଙ୍କ ପକ୍ଷରୁ ଆଇନଜୀବୀ କୈଳାସ ଚନ୍ଦ୍ର ପଣ୍ଡା, ଏସ. ରାମ କୁମାର, କୈଳାସ ପାଣିଗ୍ରାହୀ, ଶାନ୍ତନୁ କୁମାର ସାବତ ଓ ଶିବ ପାତ୍ର ମକଦ୍ଦମା ପରିଚାଳନା କରିଥିଲେ।

IEC 2 years
Leave A Reply