Odisha news

ବେଲଘର ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳରେ ପୁଲିସ ଓ ମାଓବାଦୀ ପୁଣି ମୁହାଁମୁହିଁ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ  ତୁମୁଡ଼ିବନ୍ଧ ବ୍ଲକ୍‌ ବେଲଘର ଜଙ୍ଗଲ ନିକଟ ଉଷାବାଲି, ଗୁଦଗୁଦା ଓ ଗୁଚୁକା ଜଙ୍ଗଲରେ ମଧ୍ୟାହ୍ନ ସମୟରେ ଗୁଳି ବିନିମୟ ଶବ୍ଦ ଶୁଣିବାକୁ ମିଳିଛି। ଲଙ୍କାଗଡ଼-ମୁଣ୍ଡିଗଡ଼-ବେଲଘର-ଗୁମା ଜଙ୍ଗଲକୁ ସଂଯୋଗ କରୁଥିବା ପାହାଡ଼ ନିକଟରେ ବହୁ ସମୟ ଧରି ଗୁଳି ବିନିମୟ ଚାଲିଛି। ପୁଲିସ ଆଡୁ ଏ ନେଇ କୌଣସି ସୂଚନା ମିଳିନାହିଁ। ତେବେ ନିକଟସ୍ଥ ଅଞ୍ଚଳବାସୀ ଗୁଳି ବିନିମୟ ଚାଲିଥିବା ଓ ରହିରହି ଗୁଳି ଶବ୍ଦ ଶୁଣାଯାଉଥିବା କହିଛନ୍ତି। ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡ଼ିଛି।ପ୍ରକାଶ ଯେ,କିଛିଦିନ ତଳେ ସିର୍କି ଜଙ୍ଗଲରେ ପୁଲିସ ଗୁଳିରେ ମାଓବାଦୀ ପ୍ରାଣ ହରାଇବା ପରେ ପ୍ରତିଶୋଧ ପରାୟଣ ହୋଇଥିବା ଲାଲ୍‌ବାହିନୀ ଏବେ ବେଲଘର ଜଙ୍ଗଲ ଛାଡ଼ୁନାହାନ୍ତି। ବେକ କାଟି ଓ ଗୁଳି କରି ଦୁଇ ଜଣଙ୍କୁ ହତ୍ୟା କରିଥିଲେ। ପୁଲିସର ଲଗାତାର କମ୍ବିଂ ଅପରେସନ୍‌ ସତ୍ତ୍ବେ ଆଖପାଖରେ ଘୂରି ବୁଲୁଛନ୍ତି, ଆତଙ୍କ ଚଳାଇଛନ୍ତି। ଗତ ଜାନୁଆରି ମାସରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ତିନିଥର ମୁହାଁମୁହିଁ ହେଲାଣି। ବହୁ ଗୁଳିଗୋଳା ଓ ମାଓ ସଂପର୍କିତ ସାମଗ୍ରୀ ଜବତ ହୋଇଛି। ଏଥିରେ ମୋଷ୍ଟୱାଣ୍ଟେଡ଼ ମାଓ ନେତା ଦସୁର ଦୁଇ ଥର ଖସିଯାଇଥିବା ସୂଚନା ମିଳିଥିଲା। ହେଲେ ସିର୍କି ଜଙ୍ଗଲରେ ପୁଲିସ ଗୁଳିରେ ମାଓ କ୍ୟାଡର ପ୍ରାଣ ହରାଇବା ପରେ ପ୍ରତିଶୋଧ ପରାୟଣ ହୋଇଥିବା ଲାଲବାହିନୀ ଗତମାସ ୨୯ ତାରିଖରେ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଦୁଇ ଯୁବକଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ। ଏପରିକି ଏକ ବଡ଼ଧରଣର ଅଘଟଣ ପାଇଁ ଜଙ୍ଗଲରୁ ଜଙ୍ଗଲ ଘୂରି ବୁଲୁଛନ୍ତି। ଏବେ ଭଣ୍ଡରଙ୍ଗି, ଝିରିପାଣି ଓ ଲଙ୍କାଗଡ଼‌ରେ ଗ୍ରାମବାସୀ ମାଓ ଭୟରେ ରହିଥିବାବେଳେ ଦିନସାରା ଆଜି ଗୁଳି ବିନିମୟ ଶବ୍ଦ ଶୁଣି ଆତଙ୍କିତ ହୋଇ ପଡ଼ିଛନ୍ତି।
Nalco

Comments are closed.