ଭୁବନେଶ୍ୱର,(ନି.ପ୍ର): ୪ହଜାର ୫୦୦ ଦାଦାବଟି ପାଇଁ ଗାଡି ପୋଡିବା ସହ ଦୋକାନ ମଧ୍ୟ ପୋଡି ଦେଇଥିଲେ ଦୁବୃର୍ତ୍ତ । ଏପରିକି ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏ ନେଇ ବ୍ୟବସାୟୀ ଥାନାରେ ଅଭିଯୋଗ କରିବାପରେ ଲକ୍ଷ୍ମୀସାଗର ଥାନା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି । ଏହାସହ ପୂର୍ବରୁ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

କଳ୍ପନା ଓଭରବ୍ରିଜ ଠାରେ ଅବକାଶ ସାହୁଙ୍କର ଏକ ଫଳ ଦୋକାନ ଥିଲା । ଗତ ଅଗଷ୍ଟ ୧୭ ତାରିଖରେ ଶିଖରଚଣ୍ଡୀ ବସ୍ତିର ଟିକି ଖାନ୍(୨୯), ରମି ନାୟକ(୨୪), ଟିକିଆ ପ୍ରଧାନ, ବାପି ନାୟକ ଏବଂ ଲିଙ୍ଗା ପ୍ରଧାନ ନାମକ ପାଞ୍ଚ ଜଣ ଯୁବକ ଅବକାଶଙ୍କ ଦୋକାନକୁ ଆସି ତାଙ୍କୁ ୪ହଜାର ୫୦୦ ଟଙ୍କା ଦାଦାବଟି ମାଗିଥିଲେ । ସେ ଦେବାକୁ ମନା କରିବାରୁ ସେମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଗାଡି ଓ ଦୋକାନରେ ନିଆଁ ଲଗାଇ ପୋଡି ଦେଇଥିଲେ ।

ଏ ନେଇ ଅବକାଶ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁକରି ଘଟଣାର ତଦନ୍ତ କରି ପୂର୍ବରୁ ବାପି ଏବଂ ଲିଙ୍ଗାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଗୁରୁବାର ଟିକି ଓ ରମିଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଟିକିଆ ଏବେ ବି ଫେରାର ରହିଛି । ସେ ଖୁବଶିଘ୍ର ଗିରଫ ହେବବୋଲି ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here