Odisha news

ଦାଦନ ବିସ୍ଥାପନ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

ସମନ୍ୱୟ ଭିତ୍ତିରେ ଜୀବିକାର୍ଜନ ଭିତ୍ତିକ କାର୍ୟ୍ୟ ଯୋଗାଇବା ଉପରେ ଗୁରୁତ୍ୱ , ବିଭିନ୍ନ ସଚେତନତା ଭିତ୍ତିକ କାର୍ୟ୍ୟ ଜାରି ରଖିବାକୁ ପରାମର୍ଶ 

ଭୁବନେଶ୍ୱର (Suvendra Pattanaik) : ଓଡ଼ିଶା ସରକାର ରାଜ୍ୟରେ ଦାଦନ ଶ୍ରମିକ ବିସ୍ଥାପନ ଜନିତ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦେଉଛନ୍ତି।ଏଥିପାଇଁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତି କରଣ ତଥା ଶକ୍ତି ବିଭାଗ ଶ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଗତ ଅକ୍ଟୋବର୨୮ତାରିଖରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ  ଟ୍ୟାକ୍ସ ଫୋର୍ସ ବୈଠକରେ ରାଜ୍ୟରେ ଦାଦନ ଜନିତ ବିସ୍ଥାପନ ସମସ୍ୟାର ପ୍ରତିକାରାତ୍ମକ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇ ଏଥିନିମନ୍ତେ  ନିୟମିତ ସମୀକ୍ଷା କରି କାର୍ୟ୍ୟାନୁଷ୍ଠାନ ନିମନ୍ତେ              ନିଷ୍ପତ୍ତି ନିଆଯାଇଥିଲା ।
ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ, ଅନୁସୂଚିତ ଜନ ଜାତି ଓ ଅନୁସୂଚିତ ଜାତି ଏବଂ ସଂଖ୍ୟା ଲଘୁ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢୀ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖଶାସନ ସଚିବ ଶ୍ରୀ ଏନ୍. ବି. ଏସ୍ ରାଜପୁତଙ୍କ ସମେତ ସଂପୃକ୍ତ ଅନ୍ୟ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ରାଜ୍ୟରେ ଦାଦନ ସମସ୍ୟା ଓ ସେମାନଙ୍କୁ ଜୀବିକାର୍ଜନ ବିକଳ୍ପ ପନ୍ଥା ଯୋଗାଇ ଦେବା ସଂପର୍କରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ସର୍ବେକ୍ଷଣରୁ ଜଣାଯାଇଛି ଯେ, ଆମ ରାଜ୍ୟର ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଗଜପତି, କନ୍ଧମାଳ, ରାୟଗଡା, ମାଲକାନଗିରି ଓ ସୁବର୍ଣ୍ଣପୁର ଆଦି୧୧ଟି ଜିଲ୍ଲାରେ ଅଧିକ ପରିବାର ବା ବ୍ୟକ୍ତି ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ କାମ ଧନ୍ଦା ପାଇଁ ଯାଇ ଥାଆନ୍ତି ।ଆଜିର ବୈଠକରେ ଉପରୋକ୍ତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ ଆଭାସୀ ମାଧ୍ୟମରେ ଯୋଗଦାନ କରି ଦାଦନ ରୋକିବା ଦିଗରେ ପ୍ରତିକାରାତ୍ମକ କିକି ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ସୂଚନା ଦେଇଥିଲେ ।
ଉପଯୁକ୍ତ ସଚେତନତାର ଅଭାବ ଏବଂ ବିଭିନ୍ନ କାରଣରୁ ସେମାନେ ନିର୍ଦ୍ଦିଷ୍ଟ ଋତୁ ମାନଙ୍କରେ କାମ ଧନ୍ଦା ଅଭାବରୁ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଇଟା ଭାଟି,କୃଷିଶ୍ରମିକ, ଅଣ କୁଶଳୀ ଶ୍ରମିକ ଭାବେ କାମ କରିବାକୁ ଯାଇଥାନ୍ତି ।ଅଧିକ ଟଙ୍କା ପାଇବା ଲୋଭନୀୟ ଆଶାରେ ହେଉ, କିମ୍ବା ସେମାନେ କରିଥିବା ଋଣ ପରିଶୋଧ କରିବା ପାଇଁ  ହେଉ ସେମାନେ ଏହି ପନ୍ଥା ଆପଣାଇ ଅନେକ ସମୟରେ ପ୍ରତାରଣାର ଶିକାର ହୋଇ ନାନା ହଇରାଣ ଓ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ, ସେମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଘଟି ନଥାଏ ।ଅନ୍ୟ ପକ୍ଷରେ ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗ ଜରିଆରେ କର୍ମଭିତ୍ତିକ ବିଭିନ୍ନ ରୋଜଗାର ସୁବିଧା ରହିଥିଲେ ମଧ୍ୟ ସଚେତନତା ଅଭାବରୁ ସେମାନେ କାମଧନ୍ଦା ନ ପାଇ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ବୈଠକରେ ବିଭିନ୍ନ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁଏଥି ପାଇଁ କିକି ପଦକ୍ଷେପ ନିଆ ଯାଉଛି, ସେ ସଂପର୍କରେ ଆଲୋଚନା କରା ଯାଇଥିଲା।ଏଥିପାଇଁ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ଯୋଜନା ବିଭାଗରେ ୨୦୧୫ମସିହାରୁ କାର୍ୟ୍ୟକାରୀ ହେଉଥିବା ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ ମାନଙ୍କ ସୁରକ୍ଷା ଓ  କଲ୍ୟାଣ ସଂପର୍କିତ ରାଜ୍ୟ କାର୍ୟ୍ୟାନୁଷ୍ଠା ଯୋଜନା ଅନୁସାରେ ଅନ୍ୟ ରାଜ୍ୟକୁ କାମ ପାଇଁ ଯାଉଥିବା ଲୋକମାନଙ୍କ ପାଇଁ ନିୟମ  ଅନୁସାରେ ବିଭାଗ ତରଫରୁ କିକି ପଦକ୍ଷେପ ନିଆ ଯାଉଛି, ସେ ସଂପର୍କରେ ଉପସ୍ଥାପନ କରା ଯାଇଥିଲା।
ଜୀବିକା ନିର୍ବାହ ପାଇଁ ରାଜ୍ୟ ସରକାର ବିଭିନ୍ନ ବିଭାଗରେ ସ୍ୱତନ୍ତ୍ର କାର୍ୟ୍ୟକ୍ଷମ ଅଧିନରେ କର୍ମ ନିଯୁକ୍ତି ଯୋଗାଇ ଦିଆଯାଉଛି। ପଞ୍ଚାୟତିରାଜ ବିଭାଗ ତରଫରୁ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ ଦିଆଯାଉଛି। ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜରିଆରେ କାର୍ୟ୍ୟକାରୀ କରାଯାଉଥିବା କାମ୍ପା ଯୋଜନାରେ ବନୀକରଣ, ଆମ ଜଙ୍ଗଲ ଯୋଜନା, ଇକୋ-ଟୁରିଜିମ୍, ଜାତୀୟ ବନୀକରଣ ପ୍ରକଳ୍ପ, ବନ୍ୟ କ୍ଷେତ୍ର ବିକାଶ ପ୍ରକଳ୍ପ, ମିଶନ ଶକ୍ତି ବିଭାଗ ଜରିଆରେ ବିଭିନ୍ନ ଜୀବିକାର୍ଜ୍ଜନ ଓ ଉଦ୍ୟୋଗ ପ୍ରୋତ୍ସାହନ କାର୍ୟ୍ୟକ୍ରମ, ଏସଟିଏସି ଉନ୍ନୟନ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଆଦି ଜରିଆରେ ବିଭିନ୍ନ କାର୍ୟ୍ୟକ୍ରମରେ କର୍ମନିଯୁକ୍ତି ସୁଯୋଗ ସହିତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମାଧ୍ୟମରେ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ଦିଆଯାଉଥିବା ସଂପର୍କରେ ବିଭାଗୀୟ ସଚିବମାନେ ଆଲୋଚନା କରିଥିଲେ । ଏସବୁର ସୁବିଧା ଯେପରି ଦାଦନ ଶ୍ରମିକ ଭାବେ ଯାଉଥିବା ଲୋକମାନଙ୍କୁ ମିଳିପାରିବ, ସେଥିପ୍ରତି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।
ବୈଠକରେ କେଉଁ ବ୍ଲକରୁ କେଉଁମାନେ ଦାଦନ ଭାବେ ଅନ୍ୟ ରାଜ୍ୟକୁ ଯାଉଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା ।ଦାଦନ ଶ୍ରମିକ ଭାବେ ଯାଉଥିବା ସମସ୍ତ ଗାଁରେ କାମ ଯୋଗାଇ ଦିଆଯିବ।ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗ ସେମାନଙ୍କ ଜରିଆରେ  କାର୍ୟ୍ୟକାରୀ ହେଉଥିବା ଜୀବିକାର୍ଜନ କାର୍ୟ୍ୟକ୍ରମକୁ ସମ୍ମିଳିତ (କନଭରଜେନ୍ସ ) ମୋଡରେ ଯୋଗାଇ ଦେବେ।ପଂଚାୟତିରାଜ ବିଭାଗ ସହିତ କୃଷି,ବିଭାଗ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟଓପ୍ରାଣୀସଂପଦ, ଜଳସେଚନ, ଜଙ୍ଗଲ ବିଭାଗ ଆଦିର ସହଯୋଗରେ କାର୍ୟ୍ୟକାରୀ ହେଉଥିବା ସମସ୍ତ ଯୋଜନାକୁ ସେହି ସବୁ ଗ୍ରାମରେକାର୍ୟ୍ୟକାରୀ କରାଯାଇ ଯେପରି ସେମାନଙ୍କୁ ସବୁଦିନିଆ କାମ ମିଳିବ ଏବଂ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ, ସେଥିପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଦାଦନ ନଯିବାପାଇଁ ଅନ୍ତତଃ ସେମାନଙ୍କୁ ବର୍ଷକୁ୨୦୦ରୁ୩୦୦ଦିନ କାମ ଦିଆଯିବା ସଂପର୍କରେ ଆଲୋଚନା କରାଯାଇଥିଲା । ଜିଲ୍ଲା ପ୍ରଶାସନଙ୍କୁ ଏଥିପାଇଁ ତ୍ୱରିତ ପଦକ୍ଷେପ ପଦକ୍ଷେପ ନେଇ ଦାଦନ ପରିବାର ତଥା ଲୋକ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍ଥାୟୀ ରୋଜଗାର ବ୍ୟବସ୍ଥା କରିବାକୁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ  ନିଆଯାଇଛି । ବିଭିନ୍ନ ଜିଲ୍ଲାର ୩୦ବ୍କକରେ ଅଧିକ ଦାଦନ ଅନ୍ୟତ୍ର କାମ ପାଇଁ ଯାଉଥିବା ସର୍ବେକ୍ଷଣରୁ ଜଣାଯାଇଛି।
ବୈଠକରେ ସମୀକ୍ଷା କରି ମୁଖ୍ୟ ଶାସନ ସଚି ବଶ୍ରୀ ଆହୁଜା ବିଭିନ୍ନ ବିଭାଗର ସମ୍ମିଳିତ ପ୍ରୟାସରେ ଏ ସମସ୍ତ ଗ୍ରାମ ଗୁଡ଼ିକରେ କନଭରଜେନ୍ସି ମୋଡରେ ରୋଜଗାର ଭିତ୍ତିକ କାର୍ୟ୍ୟକ୍ରମ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି ।ଏଥିପାଇଁ ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗକୁ ଅଗ୍ରଣୀ ଭୂମିକା ନେବାକୁ ପରାମର୍ଶ ଦେଇଛନ୍ତି।ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେଏକ ରାଜ୍ୟ ସ୍ତରୀୟ ପରିଚାଳନା କମିଟି ଗଠନ ପାଇଁ ପ୍ରସ୍ତାବ ଦିଆଯାଇ ଥିବା ବେଳେ ଜିଲ୍ଲା ଓ ବ୍ଲକ ସ୍ତରରେ ମଧ୍ୟ କମିଟି ଗଠନ କରାଯାଇ ଦାଦନ ସମସ୍ୟାର ସମାଧାନ ଓ ସେମାନଙ୍କୁ କର୍ମନିଯୁକ୍ତି ଯୋଗାଇବା ସଂପର୍କରେ ନିୟମିତ ଅନୁଧ୍ୟାନ ସହ କାର୍ୟ୍ୟାନୁଷ୍ଠାନ ହେବ । ଏଥିପାଇଁ ଏକ ଡାଟାବେସ ପ୍ରସ୍ତୁତି ସହ ପରିବାର ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ।ଚିହ୍ନଟ ପରିବାରଙ୍କୁ ଆଗାମୀ ୩ମାସ ପାଇଁ ଶ୍ରମ ଭିତ୍ତିକ କାର୍ୟ୍ୟକ୍ରମ, ବିଭିନ୍ନ ସରକାରୀ ଯୋଜନାରେ ରହିଥିବା ସୁଧ ଛାଡ଼ ସୁବିଧାଦେବା, ଦାଦନ ସ୍ଥାନାନ୍ତର ରୋକିବା ପାଇଁଥିବା ଆଇନର ଅନୁ ପାଳନ କରାଯିବା ସଂପର୍କରେ ନିୟମିତ ସମୀକ୍ଷା ଓ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରମ ଓ କର୍ମଚାରୀ ବୀମା ଯୋଜନା ବିଭାଗକୁ ଅନ୍ୟ ରାଜ୍ୟକୁ ଯାଇ ଦାଦନ ପାଇଁ ଯାଉଥିବା ଲୋକ ତଥା ଶ୍ରମିକ ମାନଙ୍କର ବାସ୍ତବ ସ୍ଥିତି ଏବଂ ଏହାର କାରଣ ସର୍ବେକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯଦ୍ୱାରା ଆମ ରାଜ୍ୟରେ ପ୍ରତିକାତ୍ମକ ପଦକ୍ଷେପ ନିଆ ଯାଇପାରିବ।
ଅନ୍ୟ ପକ୍ଷରେ ଦାଦନ ଯାଉଥିବା ପରିବାର ଓ ଲୋକ ମାନଙ୍କୁ ବିଭିନ୍ନ ଗୋଷ୍ଠୀ ଭିତ୍ତିକ ଆଲୋଚନା ଏବଂ ବୈଠକ  ମାଧ୍ୟମରେ ସଚେତନ କରାଯିବା, ପଂଚାୟତ ଜନ ପ୍ରତିନିଧି ମାନଙ୍କ ସଂପୃକ୍ତିରେ ସେମାନଙ୍କୁ ସଚେତନ କରିବା,  ଲୋକନୃତ୍ୟ, ପଥପ୍ରାନ୍ତ ପ୍ରାଚୀର ଚିତ୍ର ଏବଂ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ଜରିଆରେ ଏହି ସମସ୍ୟାର ସମାଧାନ କରାଯିବା ସଂପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

Comments are closed.