ଶକ୍ତି ବିଭାଗର ସମୀକ୍ଷା ବୈଠକ , ରାଜ୍ୟବାସୀଙ୍କୁ ସ୍ଥାୟୀ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ : ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ
ଭୁବନେଶ୍ୱର(Suvendra Pattanaik) : ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓପିଟିସିଏଲ୍, ଟିପିସିଓଡିଏଲ୍, ଟିପିଏନ୍ଓଡିଏଲ୍, ଟିପିଏସ୍ଓଡିଏଲ୍, ଟିପିଓଡବ୍ଲୁ୍ୟଓଡିଏଲ୍ (୪ଟି ବିଦ୍ୟୁତ ବିତରକ କମ୍ପାନୀ)ର କାର୍ଯ୍ୟାବଳୀର ବିସ୍ତୃତ ସମୀକ୍ଷା ହୋଇଥିଲା । ଏହି ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଟାଟାପାୱାର, ଓପିଟିସିଏଲ୍ର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ହେବାକୁ ଥିବା କାର୍ଯ୍ୟାବଳୀ ବିଷୟରେ ଆଲୋଚନା ହୋଇଥିଲା । ସର୍ବପ୍ରଥମେ ବାତ୍ୟା ‘ଦାନା’ ପରବର୍ତ୍ତୀ ସମୟରେ ତ୍ୱରିତ ବେଗରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କାର୍ଯ୍ୟ କରିଥିବାରୁ ମନ୍ତ୍ରୀ ଶ୍ରୀ ସିଂହଦେଓ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ସଂପ୍ରତି ରାଜ୍ୟରେ ଚାଲୁ ରହିଥିବା ୩୩/୧୧ କେଭି ବିଦ୍ୟୁତ ଗ୍ରୀଡ଼୍ ଓ ସବ୍ଷ୍ଟେସନ୍ କାର୍ଯ୍ୟ ୨୦୨୫ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଏବଂ ପୁରୁଣା ଟ୍ରାନ୍ସଫର୍ମର ଓ ଗ୍ରୀଡ଼୍ଗୁଡ଼ିକର ଅପଗ୍ରେଡ୍ ଓ ପୁନରୁଦ୍ଧାର କରିବାକୁ ମନ୍ତ୍ରୀ ଶ୍ରୀ ସିଂହଦେଓ ପରାମର୍ଶ ଦେଇଥିଲେ । ଆବଶ୍ୟକ ସ୍ଥାନ ଚିହ୍ନଟ କରି ହାତୀ କରିଡ଼ର ଏବଂ ଏହା ପାଶ୍ୱର୍ବର୍ତ୍ତୀ ବିଦ୍ୟୁତ ଯୋଗାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ରାଜ୍ୟର ଶତ ପ୍ରତିଶତ ଘରକୁ ବିଦ୍ୟୁତ ଯୋଗାଣ ଇତ୍ୟାଦି ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ଦିଗରେ ଟାଟାପାୱାର ପକ୍ଷରୁ ପଦକ୍ଷେପ ନିଆଯାଉଛି । ଏହା ଦ୍ୱାରା ପ୍ରାୟ ୨.୫ ଲକ୍ଷ ଉପଭୋକ୍ତା ଉପକୃତ ହେବେ । ଆସନ୍ତା ୨୦୨୫ ମାର୍ଚ୍ଚ ମାସ ସୁଦ୍ଧା ବାକିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରାଯିବ ବୋଲି ଟାଟାପାୱାରର ଅଧିକାରୀମାନେ ମତବ୍ୟକ୍ତ କରିଥିଲେ ।
ସେହିପରି ଅତ୍ୟଧିକ ଲୋଡ଼ ପଡ଼ୁଥିବା ଅଞ୍ଚଳରେ ନୂଆ ଗ୍ରୀଡ଼୍ ସ୍ଥାପନ ନେଇ ସ୍ଥାନ ଚିହ୍ନଟ ହୋଇସାରିଛି ଏବଂ କାର୍ଯ୍ୟରେ ଅଗ୍ରଗତି ଘଟିଛି । ଆଗାମୀ ଦିନରେ ଏହିସବୁ ସ୍ଥାନରେ ଓପିଟିସିଏଲ୍ ପକ୍ଷରୁ ନୂତନ ଗ୍ରୀଡ଼୍ ସ୍ଥାପନ ହେବ କିମ୍ବା ପାଶ୍ୱର୍ବର୍ତ୍ତୀ କମ୍ ଲୋଡ଼୍ ଥିବା ସବ୍ଷ୍ଟେସନ୍ ସହ ସଂଯୁକ୍ତ କରାଯାଇ କ୍ଷମତା ବଢ଼ାଯିବ ।
ଓଡ଼ିଶାରେ ବିଦ୍ୟୁତ ଶକ୍ତି ଯୋଗାଣର ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିବା ଏବଂ ରାଜ୍ୟବାସୀଙ୍କୁ ସ୍ଥାୟୀ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇଦେବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ଦ୍ୱାରା ରାଜ୍ୟର ବିକାଶ ଏବଂ ଅଭିବୃଦ୍ଧି ସାଧିତ ହେବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ମତବ୍ୟକ୍ତ କରିଥିଲେ ।