Odisha news

କେନ୍ଦ୍ରର ‘ମାଗଣା ଚାଉଳ’କୁ ନାମ ପରିବର୍ତନ କରି ଅପରାଧ କରିଛି ବିଜେଡି ସରକାର: ବିଜେପି

0

 ଖାରବେଳନଗର ଥାନାରେ ମାମଲା ରୁଜୁ
 ‘ରାଜ୍ୟ ଖାଦ୍ୟ ସୁରକ୍ଷା’ ରେ କାହିଁକି ଓ କାହା ସ୍ୱାର୍ଥରେ ‘ଆମ ଓଡିଶା, ନବୀନ ଓଡିଶା’, ୫-ଟି ଏବଂ ବିଜେଡିର ଦଳୀୟ ଚିହ୍ନ ଶଙ୍କକୁ ବ୍ୟବହାର କରାଯାଉଛି ?
 ରାଜ୍ୟ ସରକାରଙ୍କ ଏଭଳି ଅର୍ଦ୍ଧସତ୍ୟ ‘ବିଜ୍ଞାପନ’ ପୃଷ୍ଠାକୁ ପୋଡି ପ୍ରତିବାଦ କରାଗଲା

ଭୁବନେଶ୍ୱର, ତା.୨୦/୧୨: ଅର୍ଦ୍ଧସତ୍ୟ ମିଥ୍ୟାଠାରୁ ଭୟଙ୍କର । ଏହି ଅର୍ଦ୍ଧସତ୍ୟ ଉପରେ ବିଜୁ ଜନତା ଦଳ ସରକାର ଓ ତାଙ୍କ ମୁଖିଆ ନବୀନ ପଟ୍ଟନାୟକ ବିଶ୍ୱାସ କରନ୍ତି । ନିର୍ବାଚନ ଆସିଲେ ବିଜେଡି ଭେଳିକି ଦେଖାଇବା ଆରମ୍ଭ କରେ । ମାଗଣା ଚାଉଳ ହିତାଧିକାରୀ ପୃଷ୍ଠପୋଷକ ହେବା ପାଇଁ ନବୀନ ପଟ୍ଟନାୟକ ସରକାର ଗତ କାଲି ସବୁ ଖବର କାଗଜକୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ନେଇ ଏକ ବିଜ୍ଞାପନ ଦେଇଛନ୍ତି । ଏହି ବିଜ୍ଞାପନରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଫଟୋ ସହ ‘ଆମ ଓଡିଶା, ନବୀନ ଓଡିଶା’, ୫-ଟି ଏବଂ ବିଜେଡିର ଦଳୀୟ ଚିହ୍ନ ଶଙ୍କକୁ ବ୍ୟବହାର କରାଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ରାଜ୍ୟବାସିଙ୍କୁ ଭ୍ରମିତ କରିବାର ଅପଚେଷ୍ଟା କରାଯାଇଛି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କର ଦଳୀୟ ସ୍ୱାର୍ଥ ପାଇଁ ଚିରାଚରିତ ଢଙ୍ଗରେ କେନ୍ଦ୍ରୀୟ ଯୋଜନାକୁ ଚଂଚକତା କରି ହଡପ୍ କରିବା ବିଜେଡି ସରକାରର ହୀନ ପ୍ରୟାସ । ଯାହା ଠକାମି ଭଳି ଅପରାଧ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାକୁ ହଡପ୍ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଦେଇଥିବା ମିଛ ବିଜ୍ଞାପନ ବିରୁଦ୍ଧରେ ଆଜି ଖାରବେଳ ଥାନାରେ ଏଫଆଇଆର ଦିଆଯାଇଛି ।
ରାଜ୍ୟରେ ‘ଜାତୀୟ ଖାଦ୍ୟସୁରକ୍ଷା ଯୋଜନା’ ଅନୁଯାୟୀ ୨୦୧୫ ମସିହାରୁ ରାଜ୍ୟ ଜନସଂଖ୍ୟାର ୭୮ଭାଗ ଲୋକ ଅର୍ଥାତ ୩.୨୫ କୋଟି ଲୋକଙ୍କୁ ମାଗଣା ଚାଉଳ ଦେଉଛନ୍ତି କେନ୍ଦ୍ର ସରକାର । ମାତ୍ର ରାଜ୍ୟରେ ବିଜେଡି ସରକାର ମନ୍ଦ ଉଦ୍ଦେଶ୍ୟ ରଖି କେନ୍ଦ୍ରୀୟ ଯୋଜନାକୁ ନିଜସ୍ୱ ଯୋଜନା କହି ଆତ୍ମପ୍ରଚାର ପାଇଁ ୨୦୧୮ ମସିହାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଚଳନ କରିଥିଲେ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮ଲକ୍ଷ ୮ହଜାର ୮୦୦ଜଣ ହିତାଧିକାରୀ ତାଲିକା ପ୍ରସ୍ତୁତ କରି ‘ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା’କୁ ହଡପ୍ କରିବାର ଷଡଯନ୍ତ୍ର ରଚିଛି ବିଜେଡି ସରକାର । ରାଜ୍ୟ ବଜେଟ୍‌ରେ ବ୍ୟୟବରାଦ ନଥାଇ ବିନା କ୍ୟାବିନେଟ୍ ନିଷ୍ପତିରେ କିଭଳି ଅଗାମୀ ୫ବର୍ଷ ପାଇଁ ସମ୍ପ୍ରସାରଣର ବିଜ୍ଞାପନ ଛାପିଲେ, ତାହା ସାଧାରଣ ଲୋକଙ୍କ ମଧ୍ୟରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ୨୦୧୮ ମସିହାରୁ ‘ରାଜ୍ୟ ଖାଦ୍ୟ ସୁରକ୍ଷା’ ଯୋଜନାର ପ୍ରଚଳନ କରିଛନ୍ତି, ତାହେଲେ ଏବେ କାହିଁକି ଓ କାହା ସ୍ୱାର୍ଥରେ ଏହି ଯୋଜନାରେ ‘ଆମ ଓଡିଶା, ନବୀନ ଓଡିଶା’, ୫-ଟି ଏବଂ ବିଜେଡିର ଦଳୀୟ ଚିହ୍ନ ଶଙ୍କକୁ ବ୍ୟବହାର କରାଯାଉଛି ? ଏଭଳି ଆଇନବିରୋଧୀ କାର୍ଯ୍ୟର ତଦନ୍ତ ହେବା ଆବଶ୍ୟକ ବୋଲି ଏତଲାରେ ଦର୍ଶାଯାଇଛି ।
ରାଜ୍ୟ ସରକାରଙ୍କ ଏଭଳି ଅର୍ଦ୍ଧସତ୍ୟ ତଥ୍ୟ ରାଜ୍ୟବାସୀଙ୍କୁ ଭ୍ରମିତ କରୁଥିବାରୁ ତାର ପ୍ରତିବାଦ ସ୍ୱରୁପ ‘ବିଜ୍ଞାପନ’ ପୃଷ୍ଠାକୁ ଜନପଥରେ ପୋଡାଯାଇଥିଲା । ଏହି ଅବସରରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ମନୋଜ ମହାପାତ୍ର, ରାଜେନ୍ଦ୍ର ପଣ୍ଡା, ସୋନାଲୀ ସାହୁ, ତେଜେଶ୍ୱର ପରିଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହସଂଯୋଜକ ସୁଜିତ୍ କୁମାର ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଲିଗାଲ୍ ସେଲ୍ ସଂଯୋଜକ ଜୟନ୍ତ ଜେନା, ସିଦ୍ଧାର୍ଥ ଶଙ୍କର ପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply