ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଇଁ ଚ୍ୟାଲେଞ୍ଜ ରହିଛି। ମୁମ୍ବାଇ, ଦିଲ୍ଲୀ ଓ ଚେନ୍ନାଇରେ କରୋନା ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି। ଭୁବନେଶ୍ୱରରେ ମଧ୍ୟ କରୋନା ପଜିଟିଭ ସଂଖ୍ୟା ବଢ଼ିବାର ସମ୍ଭାବନା ଅଛି। ଭୁବନେଶ୍ୱର କୋଭିଡ ଅବଜରଭର ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଏହା କହିଛନ୍ତି।
ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତି ଗର୍ଗ କହିଛନ୍ତି, ଭୁବନେଶ୍ୱରରେ କୋଭିଡ ମୁକାବିଲା ପାଇଁ ୬୭ଟି ଓ୍ଵାର୍ଡରେ ଓ୍ଵାର୍ଡ ସଚେତକ କମିଟି ଗଠନ ହୋଇଛି। ଏହି କମିଟିଗୁଡ଼ିକରେ ୨୫ ଜଣ ଲେଖାଏଁ ସଦସ୍ୟ ଅଛନ୍ତି। ଏଥିରେ ସ୍ୱେଚ୍ଛାସେବୀ, ବରିଷ୍ଠ ଅଧିକାରୀ, ଅବସରପ୍ରାପ୍ତ ଡାକ୍ତର ନିଜର ଓ୍ଵାର୍ଡରେ କୋଭିଡ ମୁକାବିଲା ପାଇଁ କାମ କରିବେ। ଏହି କମିଟିକୁ କିଟ, ଥର୍ମାଲ ସ୍କାନର ଦିଆଯାଇଛି। ପ୍ରତି ଓ୍ଵାର୍ଡରେ ହ୍ଵାଟସ୍ଆପ୍ ଗ୍ରୁପ କରାଯାଇଛି। ୫ଟି ଓ୍ଵାର୍ଡରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି ଓ ଏମାନଙ୍କୁ ତାଲିମ ଦିଆଯାଇଛି।
ଭୁବନେଶ୍ୱରରେ ଯେଉଁମାନେ କରୋନାରୁ ସୁସ୍ଥ ହୋଇଯାଇଛନ୍ତି, ସେମାନଙ୍କ ପାଇଁ ଏକ ଟ୍ରାଞ୍ଜିଟ ହୋମ୍ କରାଯାଇଛି। ଶ୍ରୀମତୀ ଗର୍ଗ କହିଛନ୍ତି, ହୋମ୍ କ୍ୱାରେଣ୍ଟାଇନକୁ ଅନୁମତି ଦିଆଯାଇଛି। ବୃଦ୍ଧ ଲୋକ ଓ ଏକାଧିକ ରୋଗରେ ପୀଡ଼ିତ ଥିବା ରୋଗୀ ଚିହ୍ନଟ କରାଯାଉଛି। ଏତଦ୍ ବ୍ୟତୀତ ୬୨୦୦ ଲୋକ ‘ସଚେତକ’ ଆପ୍ ଡାଉନଲୋଡ କରିଛନ୍ତି। ଆପ୍ରେ ସମସ୍ତ ସୂଚନା ମଧ୍ୟ ମିଳିପାରୁଛି।
ଆମେ ସତର୍କ ରହିଲେ କରୋନା ମୁକାବିଲା କରିପାରିବା। ଆମେ ମାସ୍କ ପିନ୍ଧି ବାହାରକୁ ଯିବା। ନିହାତି ଆବଶ୍ୟକ ନ ପଡ଼ିଲେ ବାହାରକୁ ଯିବା ନାହିଁ। ସମସ୍ତେ ହାତ ଧୋଇବୁ ଓ ସାମାଜିକ ଦୂରତ୍ୱ ରକ୍ଷା କରିବୁ ଆଦି ଚିନ୍ତାଧାରା ରଖିବା ଦରକାର। ଏସବୁ କାମ କରିବା ଦରକାର ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।