Odisha news

କମ୍ପାନୀ ଓ ସରକାରଙ୍କ ମିଲିଭଗତ, ସଂକଟରେ ସବୁ ନଦୀ : ମହେଶ୍ୱର ସାହୁ

0

 ଅପାରଗ ରାଜ୍ୟ ସରକାରଙ୍କ ପାଇଁ ଓଡ଼ିଶାର ନଦୀ ଶୁଷ୍କ ଏବଂ ପ୍ରଦୁ୍ୟଷିତ
 ହସ୍ତକ୍ଷେପ ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ

ଭୁବନେଶ୍ୱର, ତା.୦୧/୦୮: ନଦୀ ଉପରେ ମାନବ ସଭ୍ୟତା ସର୍ବଦା ନିର୍ଭରଶୀଳ । ଓଡ଼ିଶାର ପ୍ରାୟ ସାଢ଼େ ଚାରିକୋଟି ଲୋକେ ତାଙ୍କ ଦୈନଦିନ ଜୀବନରେ ନଦୀ ଉପରେ ନିର୍ଭର କରିବା ସହ କୃଷି, ପଶୁପାଳନ ପାଇଁ ସର୍ବଦା ନିର୍ଭର କରିଥାନ୍ତି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ଇନ୍ଦ୍ରାବତୀ, ନାଗାବଳୀ ଓ ତେଲ ନଦୀ ଓଡ଼ିଶାରେ ପ୍ରବାହିତ ହେଉଛି କିନ୍ତୁ ଅପାରଗ ରାଜ୍ୟ ସରକାରଙ୍କ ଲାଗି ଓଡ଼ିଶାର ନଦୀ ଶୁଷ୍କ ଓ ପ୍ରଦୁ୍ୟଷିତ ହୋଇଗଲାଣି । ବିଭିନ୍ନ କଳ କାରଖାନା ଓ ଶିଳ୍ପଗୁଡିକ ନଦୀରୁ ମାତ୍ରାଧିକ ଜଳ ଶୋଷି ନେଉଛନ୍ତି କିନ୍ତୁ ଅକ୍ଷ୍ୟମ ଓ ଅପରାଗ ରାଜ୍ୟ ସରକାର ଜାଣିଶୁଣି ଚୁପ୍ ରହୁଛନ୍ତି ।
ନଦୀକୁ ସୁରକ୍ଷା ଦେବା ଲାଗି ଭାରତୀୟ ଜନତା ପାର୍ଟିର ନଦୀ ସୁରକ୍ଷା ସମୀତିର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ୍ଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । କେନ୍ଦୁଝର ଜିଲ୍ଲାର ଏସାର(ମିତଲ) କାରଖାନା ବୈତରଣୀ ଓ କାରୋ ନଦୀରୁ ଜଳ ଶୋଷଣ କରୁଛନ୍ତି । ଟାଟା କମ୍ପାନୀ ମୁର୍ଗା ଓ ସୋନନଦୀ ଜିନ୍ଦଲ ବୈତରଣୀ ନଦୀ ଜଗନ୍ନାଥ ଷ୍ଟିଲ, ପଂଚବଟୀ ଷ୍ଟିଲ, ଆରିଆଷ୍ଟିଲ, ରୁଙ୍ଗଟା ଷ୍ଟିଲ କାରୋନଦୀ, ଏମ୍ଏସପି, ବ୍ରାଣ୍ଡ ଓଏସଆଇଏଲ ବ୍ରାଣ୍ଡ ଅରଡେଇ ନଦୀରୁ ଜଳ ନେଇ କାରଖାନାରେ ବ୍ୟବହାର କରୁଛନ୍ତି । ସେହିପରି ରାୟଗଡା ଜିଲ୍ଲାରେ ଜେକେ ପେପରମିଲ ନାଗାବଳୀ ନଦୀରୁ ଜଳ ନେଉଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡାଠାରେ ରୁଙ୍ଗଟା କମ୍ପାନୀ ଦ୍ୱାରା ପ୍ରତିଷ୍ଠିତ ଲୁହା କାରଖାନା କାରୋ ନଦୀରୁ ମଧ୍ୟ ପାଣି ନେଉଛି ।

ଶିଳ୍ପ କାରଖାନା ଜଳ ବ୍ୟବହାର ପରେ ୱାଟର ଟ୍ରିଟମେଂଟ ପ୍ଲାଂଟ ଯୋଗେ ପରିଷ୍କାର କରି ପୁର୍ନବାର ବ୍ୟବହାର କରିବା କଥା ମାତ୍ର କମ୍ପାନୀମାନେ ମଇଳା ଜଳକୁ ସଫା ନକରି ସିଧାସଳଖ ନଦୀକୁ ଛାଡୁଛନ୍ତି ଫଳରେ ନଦୀଜଳ ପ୍ରଦୂଷିତ ହେଉଛି । ଓଡ଼ିଶାର ପ୍ରଦୂଷିତ ଜଳ ପିଇବା ଓ ସ୍ନାନକରିବା ପାଇଁ ଅସ୍ୱାସ୍ଥଅକର ବୋଲି ଶ୍ରୀ ସାହୁ କହିଛନ୍ତି । ସେହିପରି ସହରାଂଚଳ ଥିବା ଡ୍ରେନ୍ଜ ଜଳ ବିଶୁଦ୍ଧ କରାନଯାଇ ନଦୀରେ ଛଡାଯାଉଛି । ଫଳରେ ବିଭିନ୍ନ ଚର୍ମ ରୋଗ, ହଇଜା, କଲେରା ଓ ଅନ୍ୟାନ୍ୟ ରୋଗ ବ୍ୟାପୁଥିଲେ ମଧ୍ୟ ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେଦ ନେଉନାହାନ୍ତି । କୋରାପୁଟ ଜିଲ୍ଲାରେ ଝାଡାବାନ୍ତି, ହଇଜା ଯୋଗୁ ସାଧାରଣ ଲୋକେ ରୋଗାକ୍ରାନ୍ତ ହେବା ସହ ଅନେକଙ୍କ ଜୀବନ ଯାଇଛି । ୨୫ବର୍ଷ ଶାସନରେ ରହି ମଧ୍ୟ ରାଜ୍ୟ ସରକାର ପାନୀୟ ଜଳ ଓ ନଳକୂପର ବ୍ୟବସ୍ଥା କରିନାହାନ୍ତି । ଫଳରେ କୋରାପୁଟ ଅଂଚଳର ଲୋକେ ନଦୀ, ନାଳ ଉପରେ ନିର୍ଭର କରୁଛନ୍ତି । କାଶୀପୁରରେ ୧୧ଜଣରୁ ଊଦ୍ଧ୍ୱର୍ ଲୋକଙ୍କ ମୃତୁ୍ୟ ଓ ଅନେକ ରୋଗଗ୍ରସ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ଦଶମନ୍ତପୁର ବ୍ଲକରେ ଝାଡାବାନ୍ତିରେ ଶହଶହ ଲୋକ ଆକ୍ରାନ୍ତ ହେବା ସହ ୨ଜଣଙ୍କ ମୃତୁ୍ୟ ଘଟିଛି ଓ ଝାଡାବାନ୍ତି ବଢ଼ିବାରେ ଲାଗିଛି ।

ଅନ୍ୟପକ୍ଷେ ଜାତୀୟ ଗ୍ରିନ ଟ୍ରିବୁ୍ୟନାଲର ନିଦେ୍ର୍ଦଶବଳୀ ଅନୁଯାୟୀ ବର୍ଷାଦିନେ ନଦୀରୁ ବାଲି ଉଠାଇବାକୁ ବାରଣ ଥିବା ସତ୍ୱେ ଏହାକୁ ଉଲଘଂନ କରି ମାଲିମାଫିଆମାନେ ଖୁଲୁମଖୁଲା ନଦୀମାନଙ୍କରୁ ବାଲି ଚାଲାଣ କରୁଛନ୍ତି । ଶାସକ ଦଳର ନେତା, ମନ୍ତ୍ରୀଙ୍କ ଚାପ ଯୋଗୁଁ ଆରଆଇ, ତହସିଲଦାରମାନେ ବାଲିମାଫିଆମାନଙ୍କୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ବାଲିପଟାଦାରମାନଙ୍କୁ ସରକାରୀ ନିୟମକ୍ୁ ଉଲଘଂନ କରି ଶାସକ ଦଳର ଚାପରେ ଲାଇସେନ୍ସ ପ୍ରଦାନ କରାଯାଉଛି । କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ମୟୂରଭଞ୍ଜ, ଢ଼େଙ୍କାନାଳ, ସମ୍ବଲପୁର, ଗଞ୍ଜାମ ଓ ବୌଦ୍ଧ ଜିଲ୍ଲାମାନଙ୍କରେ ଗ୍ରୀନ୍ ଟୁ୍ୟବୁନାଲର ନିୟମକୁ ଉଲଘଂନ କରି ଦିବାଲୋକରେ ବାଲି ଚାଲାଣ କରାଯାଉଛି । ରାଜ୍ୟର ସମ୍ବିଧାନିକ ମୁଖ୍ୟ ଉପରୋକ୍ତ ସମସ୍ୟାର ତୁରନ୍ତ ସମାଧାନ ଲାଗି ପଦକ୍ଷେପ ନେବାକୁ ଶ୍ରୀ ସାହୁ ସ୍ମାରକପତ୍ର ଦେଇଛନ୍ତି ।

ଏହି ପ୍ରତିନିଧି ଦଳରେ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା, ଅଜୟ କୁମାର ସାହୁ, ଅଶୋକ କୁମାର ରଥ, ବିକ୍ରମକେଶରୀ ରାଉତରାୟ, ସଞ୍ଜିବ ରଣା, ଶ୍ରୀନିବାସ ପ୍ରଧାନ, ବାସୁଦେବ ପଣ୍ଡା ଓ ସୁଦର୍ଶନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply