ଭୁବନେଶ୍ୱର,(ନି.ପ୍ର): ନିଶା ଶକ୍ତ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ନିଶା ଶକ୍ତ ଅବସ୍ଥାରେ ଖେଳ ପଡିଆରେ ପଡି ରହିବା ଘଟଣା ରାଜଧାନୀ ଉପକଣ୍ଠ ଇମ୍ଫୋଭ୍ୟାଲି ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଅଭାବନୀୟ ଘଟଣା ଇମ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଛତାବର ପଞ୍ଚାୟତର ଦୁର୍ଗାପୁର ଖେଳ ପଡିଆରୁ ନିଶାଶକ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଖବର ପାଇ ଇମ୍ଫୋଭ୍ୟାଲି ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଆହତ ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍ସ ଡାକ୍ତରଖାନାକୁ ପଠାଇଛି । ଆହତମାନେ ହେଲେ ପ୍ରେମିକା ପମି ନାଏକ ଓ ପୁରଷ ବନ୍ଧୁ କାର୍ତ୍ତିକ ।
ସୂଚନାଯୋଗ୍ୟ ଯେ, ପମି ନାଏକ ଓ ତାଙ୍କ ସ୍ୱାମୀ ପ୍ରେମା ଉଭୟ ସ୍ଥାନୀୟ ଅଞ୍ଚଳରେ ରହି ଶ୍ରମିକ ଭାବେ କାମଧନ୍ଧା କରନ୍ତି । ପମିର ଗତ କିଛି ମାସ ହେବ କାର୍ତ୍ତିକ ନାମକ ଏକ ଯୁବକ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାକୁ ଲାଗିଲା । ମଙ୍ଗଳବାର ପମି ଓ ତାଙ୍କ ପୁରୁଷ ବନ୍ଧୁ କାର୍ତ୍ତିକ ଦୁର୍ଗାପୁର ଖେଳ ପଡିଆର ନିଶାଶକ୍ତ ହୋଇ ଏକ ଧାରୁଆ ବ୍ଲାଡ ପାତିଆ ଦ୍ୱାରା ଉଭୟ ପେଟ ଓ ଦେହକୁ କାଟି ପକାଇ ଅଚେତ ଅବସ୍ଥାରେ ପଡ଼ିଥିଲେ ।
ଖେଳ ପଡିଆରେ ପଡିଥିବାରୁ କିଛି ଲୋକ ଦେଖି ଦୁଇ ଜଣ ମରିପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଇମ୍ଫୋଭ୍ୟାଲିି ଥାନା ଅଧିକାରୀ ପ୍ରସନ୍ନ କୁମାର ନାଏକ ଘଟଣା ସ୍ଥଳରେ ପହଁଚିଥିଲେ । ଦେଖିବା ବେଳକୁ ସେମାନେ ଅଚେତ ଅବସ୍ଥାରେ ପଡ଼ିଥିଲେ । ଦୁଇ ଜଣକୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ଏମ୍ସ ଡାକ୍ତରଖାନାକୁ ପଠାଇଥିଲେ । ଚେତା ଫେରିବା ପରେ ଉଭୟ ଉଭୟଙ୍କୁ ଭଲ ପାଉଥିଲେ ବୋଲି କହିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଡାକ୍ତରଖାନାରୁ ଫେରିବା ପରେ ସେମାନଙ୍କୁ ଅଧିକ ପଚରାଉଚରା କରାଯିବ ବୋଲି ସୂଚନା ମିଳିଛି ।
