ବାଲେଶ୍ୱର : ଭଦ୍ରକ ଜିଲ୍ଲା ବାସୁଦେବପୁର ଠାରେ ଥିବା ସିଡ଼ିପିଓ ଜାନକୀ ଦାସ ରାଜକିଶୋର ନାୟକଙ୍କ ଦରମା କରାଇଦେବା ପାଇଁ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ବିଭାଗ କର୍ମଚାରୀମାନଙ୍କ ହାତରେ ଧରାପଡ଼ିଛନ୍ତି । ଘଟଣାରୁ ପ୍ରକାଶ ରାଜକିଶୋର ନାୟକ ତାଙ୍କର ୪ମାସର ବକେୟା ଦରମା ବାବଦ ୩୫,୯୬୦/- ଟଙ୍କା କରାଇଦେବା ନିମନ୍ତେ ସିଡ଼ିପିଓ ଜାନକୀ ଦାସଙ୍କୁ କହିଥିଲେ । ଏହି ବିଲ୍ କରାଇବା ପାଇଁ ଜାନକୀ ଦାସ ୩ହଜାର ଟଙ୍କା ଦାବି କରିଥିଲେ । ଘଟଣା ସମ୍ପର୍କରେ ଅଭିଯୋଗକାରୀ ରାଜକିଶୋର ନାୟକ ବାଲେଶ୍ୱର ଭିଜିଲାନ୍ସ ବିଭାଗ ନିକଟରେ ଜଣାଇଥିଲେ । ପୂର୍ବଯୋଜନା ମୁତାବକ ଗତକାଲି ରାଜକିଶୋର ନାୟକ ବାସୁଦେବପୁର ସିଡ଼ିପିଓଙ୍କୁ ୩ହଜାର ଟଙ୍କା ଲାଞ୍ଚଦେଉଥିବା ବେଳେ ପୂର୍ବରୁ ସେଠାରେ ଛପି ରହିଥିବା ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ଲାଞ୍ଚଟଙ୍କା ସହ ସିଡ଼ିପିଓ ଜାନକୀ ଦାସଙ୍କୁ ଧରି ନେଇଥିଲେ । ଏବାବଦରେ ଭିଜିଲାନ୍ସ ବିଭାଗ ପକ୍ଷରୁ କେସ୍ ନଂ ୨୦/୨୦୨୦ ମୂଳେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି ।
