ବାରିପଦା : ବାରିପଦା ବ୍ଲକ ଶଙ୍ଖାଭଙ୍ଗା ଫୁଟବଲ ପଡିଆରେ ମୟୂରଭଞ୍ଜ ଫୁଟବଲ ଏକାଡେମୀ (ଟ୍ରଷ୍ଟ) ତରଫରୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଏକ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଶଙ୍ଖାଭଙ୍ଗା ପଣ୍ଡିତ ରଘୁନାଥ ମୁର୍ମୁ ମେମୋରିଆଲ ଓ ମୟୂରଭଞ୍ଜ ଫୁଟବଲ ଏକାଡେମୀ (ଟ୍ରଷ୍ଟ)ର ମିଳିତ ସହଯୋଗରେ ଚଳିତ ମାସ ୧୭ତାରିଖ ଠାରୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୬ଟି ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ କରାଯାଇଥିଲା । ଏହା ତିନିଦିନ ଧରି ଚାଲିଥିଲାବେଳେ ୧୯ତାରିଖ ଉଦ୍ୟାପନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ନକ୍ଆଉଟ୍ ପର୍ଯ୍ୟାୟରେ ଖେଳା ଯାଇଥିଲା । । ଏହି ଉଦ୍ୟାପନୀ ସନ୍ଧ୍ୟାରେ ଫାଇନାଲ ଖେଳରେ ବାରିପଦା ବ୍ଲକ ଓ ବିଶୋଇ ବ୍ଲକ ମଧ୍ୟରେ ଖେଳା ଯାଇଥିଲା । ଏହି ଉଦ୍ୟାପନୀ ସନ୍ଧ୍ୟାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜୟୀ ବାରିପଦା ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିବା ସହିତ ରନର୍ସଅପ୍ ବିଶୋଇ ଦଳକୁ ମଧ୍ୟ ପୁରସ୍କୃତ କରିଥିଲେ । ମୟୂରଭଞ୍ଜ ଜିଲ୍ଲାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ହେବାପରେ, ତାର ପ୍ରଥମ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଆୟୋଜିତ ପ୍ରଥମ ଟୁର୍ଣ୍ଣାମେଣ୍ଟପାଇଁ କେନ୍ଦ୍ରମନ୍ତ୍ରୀ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ କିପରି ଆଗାମୀ ଦିନରେ ବିଭିନ୍ନ ଲିଗ୍, ବଡ ବଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଏକାଡେମୀ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ, ଛାତ୍ରାବାସ ତିଆରି ହେବ ଆଦି ବିଭିନ୍ନ ବିଷୟରେ ସେ ସମସ୍ତ ପ୍ରକାର ସହଯୋଗ କରିବେ ଏବଂ ମୟୂରଭଞ୍ଜ ଜିଲ୍ଲାର ଫୁଟବଲ ଖେଳାଳି ଓ ଖେଳକୁ କିପରି ଉଚ୍ଚସ୍ତରରେ ପହଞ୍ଚି ପାରିବ ସେ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ନିଜ ବକ୍ତବ୍ୟରେ କହିଲେ । ଏହି ଉଦ୍ୟାପନୀ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ସହିତ ମୟୂରଭଞ୍ଜ ମହାରାଜା ପ୍ରବିଣ ଭଞ୍ଜଦେଓ, ମୟୂରଭଞ୍ଜ ଫୁଟବଲ ଏକାଡେମୀ(ଟ୍ରଷ୍ଟ)ର ସଭାପତି ସୁମିତ୍ରା ଟୁଡୁ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟଲାଲ ମହାନ୍ତ, ଜୀବନ ସାହୁ ଓ ଫାଗୁ ହାଁସଦାଙ୍କ ସହିତ ସବୁବର୍ଗର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।
