ବାରିପଦା : ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ଭଞ୍ଜସେନା, ବାମନଘାଟି ଉପଖଣ୍ଡ ଶାଖା ପକ୍ଷରୁ ପୁନର୍ବାର ଆଜି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାରିପଦାରେ ମୟୂରଭଞ୍ଜ ଜିଲ୍ଲାପ୍ରଶାସନର ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦ୍ୟଶରେ ଏକ ୧୨ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛନ୍ତି । ସଂଗଠନ ପକ୍ଷରୁ ବାମନଘାଟୀ ଉପଖଣ୍ଡରେ ସମସ୍ତ ଛୋଟବଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭାବୀ ଅଭିଜ୍ଞ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରିବା ସହ ରାଇରଙ୍ଗପୁର ହସ୍ପିଟାଲକୁ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ଭାବେ ନିର୍ମାଣ କରିବା, କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଗଠନ କରାଯିବା, ଅତିରିକ୍ତ ଜିଲ୍ଲାପାଳଙ୍କୁ ଆର୍ଥôକ କ୍ଷମତା ପ୍ରଦାନ କରାବା, ଜିଲ୍ଲା ଖଣିଜ ପାଣ୍ଠିକୁ କେବଳ ଖଣି ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିବେଷ ସନ୍ତୁଳନ ଉପରେ ଖର୍ଚ୍ଚ କରାଯିବା ଓ ଫୁଟବଲ ଏକାଡେମୀ ପ୍ରତିଷ୍ଠା କରାଯିବା ଆଦି ଦାବିମାନ କରାଯାଇଥିଲା । ବାମନଘାଟୀ ଅଧିବାସୀଙ୍କ ଦାବୀକୁ ଅଗ୍ରାଧିକାର ଦେଇ ଆଗାମୀ ୧୦ଦିନ ମଧ୍ୟରେ ଦାବୀ ପୂରଣ କରିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା ନକଲେ, ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀରୁ ମାର୍ଚ୍ଚ ୪ତାରିଖ ଠାରୁ ଏକ ସାଇକେଲ ରାଲି ଉପଖଣ୍ଡର ସମସ୍ତ ବ୍ଲକ ପରିକ୍ରମା କରି ରାଇରଙ୍ଗପୁର ମୁର୍ମୁ ଛକ ଠାରେ ସମାପ୍ତ ହେବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗଠନ ସଭାପତି ପିଣ୍ଟୁ ମାଇତି, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦାଃ, ଓବିସି ଶାଖା ସଭାପତି ରାକେଶ ବେହେରା ଓ ମୁଖ୍ୟପାତ୍ର ମାନସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
