ବାରିପଦା : ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଜାନୁଆରୀ ୧୦ତାରିଖ ରୁ ଚାଲିଥିବା ନୂଆ-ଓ ସାହିତ୍ୟ କାର୍ଯ୍ୟକ୍ରମର ଉଦ୍ୟାପନୀ ସମାରୋହ ସ୍ଥାନୀୟ ଏମ୍ପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ୟାପନୀ ସଭାର ପୌରହିତ କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ମୁକ୍ତିକାନ୍ତ ପଣ୍ଡା । ଉତ୍ସବର ପ୍ରାରମ୍ଭରେ ସ୍ୱାଗତ ଭାଷଣ ସହ ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ଡଃ ଦେବପ୍ରିୟ ପ୍ରିୟଦର୍ଶି ଚକ୍ର, ମୁଖ୍ୟଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଯୋଗଦେଇ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ପୌରାଧ୍ୟକ୍ଷ ତଥା ସମାଜସେବୀ ଜିତେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟକୁ ମୟୂରଭଞ୍ଜ ଲେଖକଙ୍କ ଅବଦାନ ସମ୍ପର୍କରେ ନିଜ ମତାମତ ରଖିଥିଲେ । ମୁଖ୍ୟବକ୍ତା ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡଃ ସୁଶାନ୍ତ କୁମାର ବସା ଓଡ଼ିଆ ଭାଷା ଓ ସଂସ୍କୃତି ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ଓଡ଼ିଆ ସାହିତ୍ୟ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡଃ ରୀନା ମୁର୍ମୁ ସମଗ୍ର ସାହିତ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ବିବରଣୀ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୂଆ-ଓ ଜିଲ୍ଲା ନୋଡାଲ ଅଧିକାରୀ ଡଃ କୈଳାସ ମିଶ୍ର, କଲେଜ ନୂଆ ଓ ନୋଡାଲ ଅଧିକାରୀ ଡଃ ପ୍ରମୋଦ ଚନ୍ଦ୍ର ସାହୁ, କଲେଜ ପ୍ରାଶାସନିକ ମୁଖ୍ୟ ଡଃ ଦୀପକ ବେହେରା ମଞ୍ଚାସୀନ ହୋଇଥିଲେ । ଅଧ୍ୟାପକ ଡଃ ପ୍ରିୟବ୍ରତ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଅଧ୍ୟାପିକା ଛନ୍ଦିତା ବିଶ୍ୱାଳ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।