ବାରିପଦା : ଯୁବ ପ୍ରତିଭା ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳାକୁ ଲୋକଲୋଚନକୁ ଆଣିବାରେ ଦି ଇଉଫୋରିଆ ଅନୁଷ୍ଠାନ ୨୫ବର୍ଷ ଧରି ତାର ପ୍ରଚେଷ୍ଟାରେ ଲାଗି ରହିଛି । ରାଜ୍ୟସ୍ତରୀୟ ଆନ୍ତମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଉଫୋରିଆ-୨୦୨୪ ଆଜି ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ଅଧ୍ୟକ୍ଷ ଅସିତ କୁମାର ଗିରିଙ୍କ ପୌରହିତ୍ୟରେ ଉଦ୍ଘାଟିତ ହୋଇଛି । ଏହି ମହୋତ୍ସବ ୨୫ବର୍ଷରେ ପଦାର୍ପଣ କରୁଥିବାରୁ ଚଳିତବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିବା ସହ ତାର ଉଦ୍ଘାଟନୀ ଉତ୍ସବରେ ବାରିପଦା ପୌରପରିଷଦର ପୌରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଦ୍ୱାରା ଉଦ୍ଘାଟିତ ହେବା ସହ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ବିଭୁ ପ୍ରସାଦ ଦାସ, ଶାନ୍ତନୁ କୁମାର ସିଂହ ଓ ରଣଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟର ୩୨ଗୋଟି ଶିକ୍ଷାନୁଷ୍ଠାନ ମାନଙ୍କରୁ ୩୮୫ଜଣ ପ୍ରତିଯୋଗୀ ଯୋଗ ଦେଇଥିବା ସମ୍ପାଦକ ସତ୍ୟସ୍ୱରୂପ ଦାଶ ପ୍ରକାଶ କରିଛନ୍ତି । ସ୍ଥାନୀୟ ସହୀଦ ସ୍ମୃତି ଭବନରେ ୪ଦିନ ଧରି ଏହି ମହୋତ୍ସବର ପ୍ରତିଯୋଗିତାମାନ ଅନୁଷ୍ଠିତ ହେବାସହ ଏହାର ଉଦ୍ୟାପନୀ ଉତ୍ସବ ଛଉପଡିଆ ରେ ଅନୁଷ୍ଠିତ ହେବ । ୩୧ତାରିଖ ସନ୍ଧ୍ୟାରେ ହେବାକୁ ଉଦ୍ୟାପନୀ ଉତ୍ସବରେ ଇଣ୍ଡିଆନ ଆଇଡ଼ଲ ଓ ସାରେଗାମାପାର ସୁପ୍ରସିଦ୍ଧ କଳାକାରମାନେ ଯୋଗଦେବା ସହ ବିଭିନ୍ନ ନୃତ୍ୟ ଅନୁଷ୍ଠାନ ତରଫରୁ ବିଭିନ୍ନ ରଙ୍ଗାରଙ୍ଗ କର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ଏହି ମହୋତ୍ସବ ରେ ୧୮ଟି ଏକକ ଓ ୭ଟି ଦଳଗତ ପ୍ରତିଯୋଗିତା ହେବାସହ ମିଷ୍ଟର ଓ ମିସ ଇଉଫୋରିଆ ପ୍ରତିଯୋଗିତା ହେବାର ସ୍ଥିର ହୋଇଛି ବୋଲି ସାଂସ୍କୃତିକ ସମ୍ପାଦକ ରାକେଶ କୁମାର ବେହେରା ଜଣାଇଛନ୍ତି । ଶେଷରେ ଉପସଭାପତି ଅଙ୍କୁର ଖୁରାନା ଧନ୍ୟବାଦ ଅର୍ପଣ କରିଥିଲେ ।